ଭୁବ‌ନେଶ୍ବର: ଭାରତୀୟ କ୍ରିକେଟ୍‌ର କିଂବଦନ୍ତି ପୁରୁଷ, କ୍ରିକେଟ୍‌ର ଭଗବାନ ଭାବେ ସର୍ବତ୍ର ପରିଚିତ ସଚିନ ତେନ୍ଦୁଲକରଙ୍କୁ ଶନିବାର ୪୮ ବର୍ଷ ପୂର୍ଣ୍ଣ ହୋଇଛି। ଜନ୍ମଦିନ ଅବସରରେ ସଚିନଙ୍କ ନିକଟକୁ ଦିନ ତମାମ ଶୁଭେଚ୍ଛା, ଶୁଭକାମନା, ଆଶୀର୍ବାଦର ସୁଅ ଛୁଟିଥିଲା। ବହୁ ପୂର୍ବତନ କ୍ରିକେଟର୍‌, କ୍ରିକେଟ୍‌ ପ୍ରଶାସକ, ପରିବାର ସଦସ୍ୟ, ବଂଧୁ ଓ ପରିଜନ ସଚିନଙ୍କୁ ଶୁଭକାମନା ଜଣାଇବା ଲାଗି ସାମାଜିକ ଗଣମାଧ୍ୟମର ସହାୟତା ନେଇଥିଲେ। ଓଡ଼ିଶା ବି ଏ କ୍ଷେତ୍ରରେ ପଛରେ ପଡ଼ିଯାଇନଥିଲା। ଓଡ଼ିଶାର ହକି କିଂବଦନ୍ତି ଦିଲୀପ ତିର୍କି ଏବଂ ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ଅଲିମ୍ପିଆନ୍ କେ ରବି କୁମାର ସଚିନଙ୍କ ସହ ନିଜ ନିଜ ଶ୍ରେଷ୍ଠ ମୁହୂର୍ତର ଫଟୋ ସେୟାର୍‌ କରି ଶୁଭକାମନା ଜଣାଇଥିଲେ। ଦିଲୀପ ତିର୍କି ତାଙ୍କ ଶୁଭେଚ୍ଛା ବାର୍ତାରେ ଲେଖିଥିଲେ, ‘କ୍ରିକେଟ୍‌ର ଭଗବାନ ମାଷ୍ଟର୍ ବ୍ଲାଷ୍ଟର ସଚିନଙ୍କୁ ଜନ୍ମଦିନର ଶ‌ୁଭେଚ୍ଛା’। କ୍ରିକେଟ୍‌ ଭଳି ଖେଳକୁ ଖେଳି ସେ କୋଟି କୋଟି ଲୋକଙ୍କୁ ପ୍ରେରିତ କରିଛନ୍ତି।

Advertisment

୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା କେ ରବି କୁମାର କିନ୍ତୁ ଟିକିଏ ନିଆରା ଥିଲେ। ସମାନ ତାରିଖରେ (ଏପ୍ରିଲ୍‌ ୨୪)ରେ ରବି କୁମାର ଜନ୍ମଗ୍ରହଣ କରିଥିବାରୁ ନିଜକୁ ଧନ୍ୟ ମଣିଥିଲେ। ‘ଜନ୍ମଦିନର ଶୁଭକାମନା ସଚିନ ତେନ୍ଦୁଲକର, ଅନେକ ଅନେକ ଶୁଭେଚ୍ଛା ସଚିନ ସାର୍‌। ଆପଣଙ୍କ ଜନ୍ମଦିନରେ ମୋର ଜନ୍ମ ହୋଇଥିବାରୁ ମୋତେ ବହୁତ ଖୁସି ଲାଗୁଛି। ଆପଣଙ୍କ ଭଳି ମୁଁ ବି ଭାରତ ପାଇଁ କିଛି କରିପାରିଥିବାରୁ ଆନନ୍ଦିତ। ଆପଣ ମୋ ପ୍ରେରଣା ଥିବାରୁ ଧନ୍ୟବାଦ’ ବୋଲି ରବି କୁମାର ଉଲ୍ଲେଖ କରିଥିଲେ। ଏହି ଅବସରରେ ରାଜ୍ୟ କ୍ରିକେଟ୍‌କୁ କିଛି ପରିଚିତ ମୁହଁ ମଧ୍ୟ ସଚିନଙ୍କୁ ଶୁଭକାମନା ଜଣାଇଥିଲେ।

ନଟରାଜ ବେହେରା, ପୂର୍ବତନ ରଣଜୀ ଅଧିନାୟକ
ସଚିନ ତେନ୍ଦୁଲକରଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭକାମନା। ଭାରତ ପାଇଁ ଗୌରବ ଆଣିଥିଲେ, ସାରା ବିଶ୍ବରେ ସେ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କ ଉତ୍ସର୍ଗୀକୃତ ମନୋଭାବ ପାଇଁ ସେ ଶ୍ରେଷ୍ଠ ଖେଳାଳି ହୋଇପାରିଥିଲେ। ତାଙ୍କ ପାଇଁ ଭାରତ ମଧ୍ୟ ବିଶ୍ବର ସର୍ବଶ୍ରେଷ୍ଠ ଦଳର ମାନ୍ୟତା ପାଇଥିଲା। ଯୁବ ଖେଳାଳିଙ୍କୁ ପାଇଁ ସେ ପ୍ରେରଣାର ଉତ୍ସ ରହି ଆସିଛନ୍ତି। ପ୍ରଭୂଙ୍କ ନିକଟରେ ପ୍ରାର୍ଥନା ତାଙ୍କ ଜୀବନରେ କୌଣସି ବାଧାବିଘ୍ନ ନ ଆସୁ।

ପ୍ରଭଞ୍ଜନ ମଲ୍ଲିକ, ଓସିଏ ଚୟନ ସମିତି ଅଧ୍ୟକ୍ଷ
ସଚିନ ତେନ୍ଦୁଲକରଙ୍କୁ ଜନ୍ମଦିନର ଶୁଭକାମନା ଜଣାଉଛି। ୧୦୦ ଅନ୍ତର୍ଜାତୀୟ ଶତକ ମାରିବା ସହଜ କଥା ନୁହେଁ ଯାହା ସଚିନ କରିପାରିଥିଲେ। ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସି ୩୯ ବର୍ଷ ବୟସ ପର୍ଯ୍ୟନ୍ତ ଖେଳିଥିଲେ। ସବୁ ଦେଶ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ। ବିଶ୍ବ କ୍ରିକେଟର୍ ସେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍‌।

ତାରିଣୀ ସା, ଯୁବ କ୍ରିକେଟର୍‌
ସଚିନ ତେନ୍ଦୁଲକର ସାରଙ୍କୁ ଜନ୍ମଦିନର ଶୁଭକାମନା। ଈଶ୍ବର ଆଶୀର୍ବାଦ କରନ୍ତୁ। ସଚିନ ଜ‌ଣେ ସମ୍ପୂର୍ଣ୍ଣ କ୍ରିକେଟର୍‌ ଥିଲେ। ଖେଳ ଜୀବନନରେ ସେ ବହୁହ କୀର୍ତ୍ତିମାନ କରିଛନ୍ତି, ଯାହା ଏବେ ବି ଅତୁଟ ରହିଛି। ଆମ ଭଳି ଯୁବ ଖେଳାଳିଙ୍କ ପାଇଁ ସେ‌ ପ୍ରେରଣାର ଉତ୍ସ ପାଲଟିଥିଲେ।

ଶୋଭନ ଦେବ, ପୂର୍ବତନ କ୍ରିକେଟର୍‌
ସଚିନ ତେନ୍ଦୁଲକରଙ୍କୁ ୪୮ତମ ଜନ୍ମଦିନର ଅଭିନନ୍ଦନ ଓ ଶୁଭେଚ୍ଛା। ତେନ୍ଦୁଲକରଙ୍କ ଖେଳ ଷ୍ଟାଇଲ୍‌ ଭାରତୀୟ କ୍ରିକେଟ୍‌ର ରୂପରେଖ ବଦଳାଇ ଦେଇଥିଲା। ତାଙ୍କୁ ଅନେକ ପସନ୍ଦ କରିଥା’ନ୍ତି। ସେଥିପାଇଁ ସେ ମହାନତମ ବ୍ୟାଟ୍ସମ୍ୟାନ୍‌। ସାରା ବିଶ୍ବରେ ସେ ନାମ କମାଇଥିଲେ। ମୋ ପାଇଁ ସେ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି।