ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା; ଆଜି ନର୍ଥଇଷ୍ଟ୍‌କୁ ଭେଟିବ

ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ୬ ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ପଏଣ୍ଟ୍‌ ପାଇଥିବା ଓଡ଼ିଶା ଏଫ୍‌ସି ମଙ୍ଗଳବାର ନର୍ଥଇଷ୍ଟ୍‌ ୟୁନାଇଟେଡ୍‌ ଏଫ୍‌ସିକୁ ଭେଟିବ। ‌ଜିଏମ୍‌ସି ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଚଳିତ ଋତୁର ପ୍ରଥମ ବିଜୟ ଲକ୍ଷ୍ୟ ନେଇ ଓଡ଼ିଶା ଓହ୍ଲାଇବ। ଭୁବନେଶ୍ବରର ଏହି ଦଳ ୫ ମ୍ୟାଚ୍‌ ହାରି ଟେବୁଲର ଶେଷ ସ୍ଥାନରେ ରହିଥିଲା ବେଳେ ନର୍ଥଇଷ୍ଟ (୧୦ ପଏଣ୍ଟ୍‌) ୭ ମ୍ୟାଚ୍‌ ଖେଳି କେବଳ ଗୋଟିଏ ପରାଜୟ ବରଣ କରି ଚତୁର୍ଥ ସ୍ଥାନରେ ରହିଛି। ୬ ମ୍ୟାଚ୍‌ରେ ଅପରାଜେୟ ଥିବା ନର୍ଥଇଷ୍ଟର ଏହି ଧାରା ଗତ ମ୍ୟାଚ୍‌ରେ ଭାଙ୍ଗିଥିଲା। ଚଳିତ ଋତୁରେ ଓଡ଼ିଶାର ଉଭୟ ଆକ୍ରମଣାତ୍ମକ ଏବଂ ରକ୍ଷଣତ୍ମକରେ ଦୁର୍ବଳ ପ୍ରଦର୍ଶନ ଜାରି ରହିଛି। ଏପର୍ଯ୍ୟନ୍ତ ଦଳ ୯ ଗୋଲ୍‌ ବରଣ କରି ଦ୍ବିତୀୟ ସ୍ଥାନରେ ରହିଛି। ଏହାମଧ୍ୟରୁ ୭ଟି ଗୋଲ୍‌ ପ୍ରଥମାର୍ଧରେ ହିଁ ଆସିଛି। ଷ୍ଟୁଆର୍ଟ ବକ୍ସଟରଙ୍କ ଦଳ ୪୨ ସୁଯୋଗରୁ କେବଳ ୩ ଗୋଲ୍‌ କରିବାକୁ ସମର୍ଥ ହୋଇଛି। ପ୍ରଥମାର୍ଧର ପ୍ରଦର୍ଶନ ସହ ୨ଟି ଲେଖାଏଁ ଗୋଲ୍‌ କରିଥିବ‌ା ନର୍ଥଇଷ୍ଟର ଅଗ୍ରଭାଗ ଖେଳାଳି ଇଦ୍ରିସା ସିଲା ଓ କ୍ବେସି ଆପିହାଙ୍କୁ ଅଟକାଇ ପାରିଲେ ଓଡ଼ିଶାର ସପକ୍ଷରେ ମ୍ୟାଚ୍‌ ଆସିବାର ସମ୍ଭାବନା ରହିବ।

ଆମେ ପ୍ରତି ମ୍ୟାଚ୍‌ରେ କିଛି କିଛି ଉନ୍ନତି କରୁଛୁ। ଏହି ଆଧାରରେ ନର୍ଥଇ‌ଷ୍ଟ ବିପକ୍ଷରେ ବିଜୟ ଆଶା ରଖିଛୁ। ଏଥିପାଇଁ ଜୋର୍‌ଦାର ଅଭ୍ୟାସ ଚଲାଇଛୁ। ନର୍ଥଇଷ୍ଟର କିଛି ଖେଳାଳି ଦ୍ରୁତ ଅଛନ୍ତି। ସେମାନେ ଶୀଘ୍ର ଶୀଘ୍ର ବଲ୍‌ ପାସ୍‌ କରିଥାନ୍ତି। ତେଣୁ ଆମକୁ ଏଥିରେ ବାଧା ଦେବାକୁ ପଡ଼ିବ। ଏହାର ବିକଳ୍ପ ଚିନ୍ତା କରି ଆମେ ଯୋଜାନା ପ୍ରସ୍ତୁତ କରିଛୁ। ଏଥିପାଇଁ ଜଣେ ଦି ଜଣଙ୍କୁ ଚିହ୍ନିଟ କରିନୁ। ପୂରା ଦଳ ନିଜ ନିଜ ମଧ୍ୟରେ ସମନ୍ବୟ ରଖି ଏହାର ମୁକାବିଲା କରିବେ। ଯେଭଳି ଆମକୁ ଅଧିକ ସୁଯୋଗ ମିଳିପାରିବ ବୋଲି ୬୭ ବର୍ଷୀୟ ବକ୍ସଟର ମ୍ୟାଚ୍‌ ପୂର୍ବରୁ କହିଛନ୍ତି। ଗୋଲ୍‌ ରକ୍ଷକ ଅର୍ଶଦୀପଙ୍କ ପ୍ରଦର୍ଶନ ଭଲ ରହିଛି। କମଲଜିତ ସୁସ୍ଥ ହୋଇନାହାନ୍ତି। ଅର୍ଶଦୀପ ହିଁ ଏହି ଦାୟିତ୍ବରେ ରହିବେ। ଆବଶ୍ୟକ ପଡ଼ିଲେ ଦଳରେ ଅନ୍ୟ ଦୁଇ ଗୋଲ୍‌ ରକ୍ଷକ ରବି କୁମାର ଓ ଅଙ୍କିତ ଭୂୟାଁଙ୍କୁ ଖେଳାଯାଇପାରେ ବୋଲି ସେ କହିଛନ୍ତି। ମାର୍ସିଲିନୋ ଆହତ ‌ଅଛନ୍ତି ଏବଂ ଅଭ୍ୟାସକୁ ଫେରି ନାହାନ୍ତି। ୧୦୦ ପ୍ରତିଶତ ଫିଟ୍‌ ନହେଲେ ଦଳରେ ତାଙ୍କୁ ନିଆଯିବନି ‌ବୋଲି ବକ୍ସଟର କହିଛନ୍ତି।

ସଚ୍ଚୋଟତାର ସହ କହିଲେ ଦଳର ଏଭଳି ଆରମ୍ଭ ଆମେ ଚାହିଁନଥିଲୁ। ଏଥିପାଇଁ ଆମ‌େ ଦୁଃଖିତ। କିନ୍ତୁ ପ୍ରଶିକ୍ଷକ କହିବା କଥା ଆମ ଦଳ ଉନ୍ନତ ପଥରେ ରହିଛି। ପ୍ରତି ମ୍ୟାଚ୍‌ରେ ଆମର ପ୍ରଦର୍ଶନ‌ରେ ଉନ୍ନତି ପରିଲଖିତ ହୋଇଛି। କିଛି ମ୍ୟାଚ୍‌ରେ ୭୦ ପ୍ରତିଶତ ତ କେତେକରେ ୫୦ ପ୍ରତିଶତ ରହିଛି। ନର୍ଥଇଷ୍ଟ ବିପକ୍ଷରେ ଆମେ ଶ୍ରେ‌ଷ୍ଠ ଦେବାକୁ ଚେଷ୍ଟା କରିବୁ। ଯାହା ଆଗାମୀ ମ୍ୟାଚ୍‌ଗୁଡ଼ିକରେ ଆମ ମନୋବଳକୁ ଦୃଢ଼ କରିବ ବୋଲି ଭାରତୀୟ ଯୁବ ତାରକା ଓଡ଼ିଶା ଏଫ୍‌ସିର ଗୌରବ ବୋରା କହିଛନ୍ତି।

ସମ୍ବନ୍ଧିତ ଖବର