ଓଡ଼ିଶା ମହିଳାଙ୍କ ଦ୍ୱିତୀୟ ବିଜୟ, ପୁରୁଷ ପଏଣ୍ଟ୍‌ ବାଣ୍ଟିଲେ

ଜାତୀୟ ଫାଇଭ୍‌ ଏ ସାଇଡ୍‌ ହକି

ବେଙ୍ଗାଲୁରୁ: ତୃତୀୟ ଜାତୀୟ ଫାଇଭ୍‌ ଏ ସାଇଡ୍‌ ବରିଷ୍ଠ ହକି ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ବିଜୟ ଧାରା ଜାରି ରଖିଛି। ମଙ୍ଗଳବାର ପ୍ରଥମ ଦିବସରେ ପୁଲ୍‌-ଏରେ ପଞ୍ଜାବକୁ ୬-୩ ଗୋଲ୍‌ରେ ପରାସ୍ତ କରିଥିବା ଓଡ଼ିଶା ବୁଧବାର ଦ୍ୱିତୀୟ ଦିବସରେ ତାମିଲନାଡୁକୁ ୯-୧ ଗୋଲ୍‌ର ବଡ଼ ବ୍ୟବଧାନରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଓଡ଼ିଶା ଦଳ ମ୍ୟାଚ୍‌ର ପ୍ରଥମାର୍ଧରେ ୫ ଓ ଦ୍ୱିତୀୟାର୍ଧରେ ୪ ଗୋଲ୍‌ ଳଦି ଦେଇଥିଲା। ମାରିଆନା କୁଜୁର (୨, ୧୦ ଓ ୧୭ ମିନିଟ୍‌) ତିନିଟି ଗୋଲ୍‌ କରିଥିଲା ବେଳେ ଏଲିମା ମିଞ୍ଜ୍‌ (୬ ଓ ୧୧ ମିନିଟ୍‌), ପ୍ରିୟଙ୍କା ଏକ୍କା (୭ ଓ ୨୦ ମିନିଟ୍‌) ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଞ୍ଜୁ ଲାକ୍ରା (୯ ମିନିଟ୍‌) ଓ ଅସ୍ମିତା ବାର୍ଲା (୧୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ି ବ୍ୟବଧାନ ବଢ଼ାଇଥିଲେ। ତାମିଲନାଡୁ ପକ୍ଷରୁ ଏକମାତ୍ର ଗୋଲ୍‌ଟି ଇ ପୋନ୍‌ମାଥି (୧୬ ମିନିଟ୍‌) ଶୁଝି ଦେଇଥିଲେ। ଏଥି ସହିତ ତାମିଲନାଡୁ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଏହି ଦଳ ମଙ୍ଗଳବାର ହରିଆନା ନିକଟରୁ ୨-୧୫ ଗୋଲ୍‌ରେ ହାରି ଯାଇଥିଲା। ତେବେ ପ୍ରଥମ ମ୍ୟାଚ୍‌ ଜିତିଥିବା ଓଡ଼ିଶା ପୁରୁଷ ଦଳ ଦ୍ୱିତୀୟ ମ୍ୟାଚ୍‌ରେ ପଏଣ୍ଟ୍‌ ବାଣ୍ଟିଛି। ମଙ୍ଗଳବାର ମହାରାଷ୍ଟ୍ରକୁ ୫-୩ ଗୋଲ୍‌ରେ ପରାସ୍ତ କରିଥିବା ପୁରୁଷ ଦଳ ବୁଧବାର ଦ୍ୱିତୀୟ ମ୍ୟାଚ୍‌କୁ ତାମିଲନାଡୁ ସହ ୨-୨ ଗୋଲ୍‌ରେ ଅମିମାଂସିତ ରଖିଛି। ଓଡ଼ିଶା ପାଇଁ ଆଶିଷ ଟପ୍ନୋ ଓ ଟିଓଫିଲ୍‌ କୁଜୁର ମ୍ୟାଚ୍‌ର ୧୩ ଓ ୧୪ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା ବେଳେ ତାମିଲନାଡୁ ପକ୍ଷରୁ ଜେ ଜୋସୁଆ ଏକାକି ଦୁଇଟିଯାକ ଗୋଲ୍‌ ଦେଇଥିଲେ। ଓଡ଼ିଶା ମହିଳାଙ୍କ ଭଳି ଗତଥରର ବିଜେତା ହରିଆନା ମଧ୍ୟ ପୁଲ୍‌-ଏରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ମଙ୍ଗଳବାର ତାମିଲନାଡୁକୁ ୧୫-୨ରେ ପରାସ୍ତ କରିଥିବା ହରିଆନା ବୁଧବାର ୫-୧ ଗୋଲ୍‌ରେ ପଞ୍ଜାବକୁ ପରାସ୍ତ କରିଛି। ଫଳରେ ପ୍ରଥମ ଦିବସରେ ଓଡ଼ିଶା ନିକଟରୁ ପରାସ୍ତ ହୋଇଥିବା ପଞ୍ଚାବ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ବୁଧବାରର ପୁଲ୍‌-ବିର ଏକ ମ୍ୟାଚ୍‌ରେ ମହାରାଷ୍ଟ୍ର ୬-୨ ଗୋଲ୍‌ରେ ଉତ୍ତର ପ୍ରଦେଶକୁ ପରାସ୍ତ କରି ପ୍ରଥମ ବିଜୟ ପାଇଛି। ପ୍ରୀତି ଦୁବେ ଓ ରାମଗାଇଝୁଲି ରାଲ୍‌ଟେ ହ୍ୟାଟ୍ରିକ୍‌ (କ୍ରମାଗତ ୩ ଲେଖାଏଁ ଗୋଲ୍‌) ଅର୍ଜନ କରିଥିଲେ। ସେହି ପୁଲ୍‌ର ଅନ୍ୟ ଏକ ମ୍ୟାଚ୍‌ କର୍ଣ୍ଣାଟକ ଓ ଝାଡ଼ଖଣ୍ଡ ମଧ୍ୟରେ ଅମୀମାଂସିତ ରହିଥିଲା। ଉଭୟ ଦଳ ୩-୩ ଗୋଲ୍‌ କରିଥିଲେ। ପୁରୁଷ ବର୍ଗରେ ବୁଧବାର ଆୟୋଜକ କର୍ଣ୍ଣାଟକ ୮-୪ ଗୋଲ୍‌ରେ ଉତ୍ତର ପ୍ରଦେଶକୁ, ହରିଆନା ୬-୪ରେ ମହାରାଷ୍ଟ୍ରକୁ ଏବଂ ପଞ୍ଜାବ ୬-୩ରେ ଝାଡ଼ଖଣ୍ଡକୁ ପରାସ୍ତ କରି ନିଜ ନିଜର କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର