ରଗ୍‌ବି ସେମିରେ ଓଡ଼ିଶା ମହିଳା

ଦୌଡ଼କୁଦ ପରିଚାଳନାରେ ରୂପନ୍ବିତା, ରିଦ୍‌ମିକ୍‌ ଜିମ୍ନାଷ୍ଟିକ୍ସରେ ବିଚାରକ ହେବେ ଅନିଷ୍କା

 

ଭୁବନେଶ୍ବର: ଗୁଜରାଟରେ ଚାଲିଥିବା ଜାତୀୟ କ୍ରୀଡ଼ା ରଗ୍‌ବି ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଓଡ଼ିଶା ମହିଳା ଦଳ ପ୍ରବେଶ କରିଛି। ହେଲେ ପୁରୁଷ ଦଳ କ୍ବାର୍ଟର ଫାଇନାଲ୍‌ ବାଧା ପାରି କରିବାରେ ବିଫଳ ହୋଇଛି। ଗୁରୁବାର କ୍ବାର୍ଟର ଫାଇନାଲ୍‌ରେ ମହିଳା ଦଳ ୭୪-୦ରେ ଆୟୋଜକ ଗୁଜରାଟକୁ ପରାସ୍ତ କରିଥିଲା ବେଳେ ପୁରୁଷ ଦଳ ୭-୨୪ରେ ମହାରାଷ୍ଟ୍ରଠୁ ହାରିଯାଇଥିଲା। ଶୁକ୍ରବାର ସେମିଫାଇନାଲ୍‌ରେ ମହିଳା ଦଳ ବିହାରକୁ ଭେଟିବ।
ବନ୍ଧୁକଚାଳନା: ଫାଇନାଲ୍‌ରେ ଶ୍ରୀୟଙ୍କା

ଓଡ଼ିଶାର ବନ୍ଧୁକଚାଳିକା ଶ୍ରୀୟଙ୍କା ଷଡ଼ଙ୍ଗୀ ୧୦ ମିଟର ଏୟାର ରାଇଫଲ୍‌ର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ଅହମଦାବାଦର ରାଇଫଲ୍‌ କ୍ଲବ୍‌ଠାରେ ଆୟୋଜିତ ୧୦ ମିଟର ଏୟାର ରାଇଫଲ୍‌ରେ ଶ୍ରୀୟଙ୍କା ୬୨୯.୩ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହି ଏହି ଯୋଗ୍ୟତା ଅର୍ଜନ କରିଥିଲେ। ଏହି ପ୍ରତିଯୋଗିତାରେ ୧୬ ଜଣ ବନ୍ଧୁକଚାଳକ ଅଂଶ ଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ୮ ଜଣ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଶୁକ୍ରବାର ଫାଇନାଲ୍‌ ଅନୁଷ୍ଠିତ ହେବ।

ଭୁବନେଶ୍ବର: ଗୁରୁବାର ଗୁଜରାଟରେ ଉଦ୍‌ଘାଟିତ ୩୬ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶାର ବରିଷ୍ଠ ଦୌଡକୁଦ ପ୍ରଶିକ୍ଷିକା ରୂପନ୍ବିତା ପଣ୍ଡାଙ୍କୁ ପରିଚାଳନା ସୁଯୋଗ ମିଳିଛି। ଅତୀତରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ପରିଚାଳନା କରିସାରିଥିବା ରୂପନ୍ବିତାଙ୍କୁ ଏଥର ଟେକ୍‌ନିକାଲ୍ ଅଫିସିଆଲ୍ ଭାବେ ଦାୟିତ୍ବ ଦିଆଯାଇଛି। ଏଥିପାଇଁ ରୂପନ୍ବିତା ଭାରତୀୟ ଦୌଡକୁଦ ସଂଘ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗକୁ କୃତଜ୍ଞତା ଜଣାଇଛନ୍ତି।

କଟକ: ଗୁଜୁରାଟରେ ଆରମ୍ଭ ହେଉଥିବା ଜାତୀୟ କ୍ରୀଡ଼ାର ରିଦ୍‌ମିକ୍‌ ଜିମ୍ନାଷ୍ଟିକ୍ସରେ ବିଚାରକ ଭାବେ ଯୋଗଦେଇଛନ୍ତି ଓଡ଼ିଶାର ଅନିଷ୍କା ଆକ୍ଷାୟିକା ସାହୁ। ରିଦ୍‌ମିକ୍‌ ଜିମ୍ନାଷ୍ଟିକ୍ସ ଭଦୋଦରାରେ ଶୁକ୍ରବାରଠାରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ନୂଆ ଦାୟିତ୍ବ ପାଇଁ ଅନିଷ୍କାଙ୍କୁ ଓଡ଼ିଶା ଜିମ୍ନାଷ୍ଟିକ୍‌ ସଂଘର ସମ୍ପାଦକ ଅଶୋକ କୁମାର ସାହୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର