ଭୁବନେଶ୍ବର: ଓଡ଼ିଶା ମହିଳା କ୍ରିକେଟ୍କୁ ସୋମବାର ଯୁଗଳ ଖୁସି ମିଳିଛି। ଏହାର ୨୩ ଓ ୧୯ ବର୍ଷରୁ କମ୍ ମହିଳା ଦଳ ନିଜ ନିଜ ମ୍ୟାଚ୍ ଜିତିଛନ୍ତି। ୨୩ ବର୍ଷରୁ କମ୍ ଟ୍ବେଣ୍ଟି-୨୦ ଦଳ ୮ ୱିକେଟ୍ରେ ବିହାରକୁ ଏବଂ ୧୯ ବର୍ଷରୁ କମ୍ ଦିନିକିଆ ଦଳ ୨୨୯ ରନ୍ରେ ମେଘାଳୟକୁ ପରାସ୍ତ କରିଛି। ଗୋଆରେ ଚାଲିଥିବା ୨୩ ବର୍ଷରୁ କମ୍ରେ ଓଡ଼ିଶା ଟସ୍ ଜିତି ବିହାରକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ଓଡ଼ିଶା ବୋଲର୍ଙ୍କୁ ସାମ୍ନା କରି ନପାରି ବିହାର ୭ ୱିକେଟ୍ ହରାଇ ମାତ୍ର ୮୦ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ପ୍ରୀତି ୨୭ ଓ ଅଧିନାୟିକା ୟାଶିତା ସିଂହ ୧୭ ଓ ବିଶାଲାକ୍ଷି ୧୩ ରନ୍ କରିଥିଲେ। ଓଡ଼ିଶାର ସୋନାଲି ହେମ୍ବ୍ରମ୍ ୩, ଜ୍ୟୋତି କେ ପ୍ରସାଦ ୨ ଓ ତନ୍ମୟୀ ବେହେରା ୧ ୱିକେଟ୍ ନେଇଥିଲେ। ଜବାବରେ ଓଡ଼ିଶା ୧୩.୧ ଓଭରରେ ୨ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଅଧିନାୟିକା ଅଲିପ୍ସା ବିଶ୍ବାଳ ୩୩ ଓ ତନ୍ମୟୀ ବେହେରା ୨୬* ରନ୍ କରିଥିଲେ।
ବେଙ୍ଗାଲୁରୁରେ ଚାଲିଥିବା ୧୯ ବର୍ଷରୁ କମ୍ ଦିନିକିଆରେ ଟସ୍ ହାରି ବ୍ୟାଟିଂ କରିଥିବା ଓଡ଼ିଶା ୨ରନ୍ରେ ୨ ୱିକେଟ୍ ଏବଂ ୧୨.୪ ଓଭରରେ ୪୪/୪ରେ ସଂଘର୍ଷ କରିଥିଲା। ହେଲେ ବିଜୟା ଏନ୍ ବେହେରା ଓ ଅନନ୍ୟା ମିଶ୍ର ଦଳକୁ ଆଉ କୌଣସି କ୍ଷତି ନ ପହଞ୍ଚାଇ ପଞ୍ଚମ ୱିକେଟ୍ରେ ୨୦୬ ରନ୍ର ଭାଗୀଦାରି ଗଢ଼ି ଦଳକୁ ୨୫୦ ରନ୍ରେ ପହଞ୍ଚାଇଥିଲେ। ବିଜୟା (୧୩୦*, ୧୪୩ ବଲ୍, ୧୫ ଚୌକା, ୨ ଛକା) ଶତକ ଓ ଅନନ୍ୟା (୬୮*, ୧୦୫ ବଲ୍, ୪ ଚୌକା) ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଜବାବରେ ମେଘାଳୟ ୨୨.୩ ଓଭରରେ ୨୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। କୌଣସି ବ୍ୟାଟର୍ ୨ ଅଙ୍କ ଛୁଇଁ ପାରି ନଥିଲା ବେଳେ ୭ ଜଣ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଏସ୍ବି ଲରେନ୍ସ (୬-୪-୫-୩), ଏମ୍ଏସ୍ ପ୍ରିୟଦର୍ଶିନୀ ପରମାଣିକ (୨.୩-୨-୦-୩), ପୂଜା ଯାଦବ (୨-୨-୦-୨) ଓ ମିତାଲି ଶର୍ମା (୫-୩-୯-୧) ବୋଲିଂ ସଫଳତା ପାଇଥିଲେ।