ଓଡ଼ିଶା ମହିଳା ଫୁଟ୍‌ବଲ୍‌ ଲିଗ୍‌: ରେଳବାଇ, ଓଏଫ୍‌ସି, ସ୍ପୋର୍ଟ୍ସ ଓଡ଼ିଶା ବିଜୟୀ

ଭୁବନେଶ୍ବର : ଭୁବନେଶ୍ବରର ବିଭିନ୍ନ ପଡ଼ିଆରେ ଚାଲିଥିବା ଓଡ଼ିଶା ମହିଳା ଫୁଟ୍‌ବଲ୍‌ ଲିଗ୍‌ରେ ଶୁକ୍ରବାର ପୂର୍ବତଟ ରେଳବାଇ, ଓଡ଼ିଶା ଏଫ୍‌ସି ଓ ସ୍ପୋର୍ଟ୍ସ ଓଡ଼ିଶା ବିଜୟୀ ହୋଇଛନ୍ତି। ସପ୍ତମ ବାଟାଲିୟନ୍‌ ପଡ଼ିଆରେ ପୂର୍ବତଟ ରେଳବାଇ ୧୦-୦ ଗୋଲ୍‌ରେ ଓଜିପିକୁ ହରାଇଥିଲା। ୱାଇ. କମଳାଦେବୀ (୧୮, ୨୧, ୨୮, ୬୧ ମିନିଟ୍‌)ଙ୍କ ୪ ଓ ସୁପ୍ରିୟା ରାଉତରାୟ (୯, ୫୪, ୬୭, ୮୬ ମିନିଟ୍‌)ଙ୍କ ୪ ଲେଖାଏଁ ଗୋଲ୍‌ ସହାୟତାରେ ରେଳବାଇକୁ ବଡ଼ ବିଜୟ ମିଳିଥିଲା। ଏମାନଙ୍କ ବ୍ୟତୀତ ତାରା ଖାତୁନ୍‌ ୪୫+୧ ମିନିଟ୍‌, ଲାହାରି ମଙ୍ଗରାଜ ୭୧ ମିନିଟ୍‌ରେ ଗୋଟିଏ‌ ଲେଖାଏଁ ଗୋଲ୍‌ ଦେଇଥିଲେ।

କ୍ୟାପିଟାଲ୍‌ ପଡ଼ିଆରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ‌ଓଡ଼ିଶା ଏଫ୍‌ସି ୬-୦ ଗୋଲ୍‌ରେ ରାଇଜିଂ ଷ୍ଟୁଡେଣ୍ଟକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟ ରହିବା ପରେ ଦ୍ବିତୀୟାର୍ଦ୍ଧରେ ଯଶୋଦା ମୁଣ୍ଡାଙ୍କ ହ୍ୟାଟ୍ରିକ୍‌ (୫୭, ୫୮, ୮୪ ମିନିଟ୍‌) ସହିତ ଅରିଫା ଜହିର (୫୪ ମିନିଟ୍‌), ମୁନିକା ମିଞ୍ଜ୍‌ (୭୬ ମିନିଟ୍‌) ଓ ପ୍ୟାରୀ ଖାଖା (୮୯ ମିନିଟ୍‌)ଙ୍କ ଗୋଟିଏ ଲେଖାଏଁ ‌ଗୋଲ୍‌ ବଳରେ ଓଏଫ୍‌ସି ଏକତରଫା ବିଜୟ ପାଇଥିଲା।

କଳିଙ୍ଗ ଷ୍ଟାଡିୟମ୍‌ରେ ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍‌ରେ ସ୍ପୋର୍ଟ୍ସ ଓଡ଼ିଶା ୩-୨ ଗୋଲ୍‌ରେ ଓଡ଼ିଶା ପୁଲିସ୍‌କୁ ହରାଇଛି। ମନୀଷା ନାୟକ ପ୍ରଥମରୁ ଦୁଇଟି ଗୋଲ୍‌ (୧୨, ୧୯ ମିନିଟ୍‌) ଦେଇ ସ୍ପୋର୍ଟ୍ସ ଓଡ଼ିଶାକୁ ଅଗ୍ରଣୀ ରଖିଥିଲେ। ତେବେ ଇଭା ପାନ୍ନା (୫୧ ମିନିଟ୍‌) ଓ ସୋନି ବେହେରା (୭୪ ମିନିଟ୍) ଦ୍ବିତୀୟାର୍ଦ୍ଧରେ ଏଗୁଡ଼ିକୁ ଶୁଝି ଦେଇଥିଲେ। ଖେଳ ଶେଷ ହେବାର ୫ ମିନିଟ୍‌ ପୂର୍ବରୁ ପ୍ରତିମା ନାୟକ ନିର୍ଣ୍ଣାୟକ ଗୋଲ୍‌ ଦେଇ ସ୍ପୋର୍ଟ୍ସ ଓଡ଼ିଶାକୁ ଜିତାଇଥିଲେ।

ସମ୍ବନ୍ଧିତ ଖବର