ଭୁବନେଶ୍ବର: ଭୁବନେଶ୍ବରର ଦୁଇଟି ପଡ଼ିଆରେ ଚାଲିଥିବା ଓଡ଼ିଶା ମହିଳା ଲିଗ୍ (ଓଡବ୍ଲ୍ୟୁଏଲ୍) ଫୁଟ୍ବଲ୍ ପ୍ରତିଯୋଗିତାରେ ବୁଧବାର ସାଇ-ଏସ୍ଟିସି, କ୍ରୀଡ଼ା ଛାତ୍ରାବାସ ଓ ପୂର୍ବତଟ ରେଳବାଇ ବିଜୟୀ ହୋଇଛନ୍ତି। କ୍ୟାପିଟାଲ୍ ହାଇସ୍କୁଲ୍ ପଡ଼ିଆରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ସାଇ ୭-୨ ଗୋଲ୍ରେ ଓଜିପି କ୍ଲବ୍କୁ ହରାଇଥିଲା। ବିଜୟୀ ଦଳର ଦୀପା ନାୟକ (୩୮, ୪୮, ୭୯, ୮୦ ମିନିଟ୍) ୪ ଏବଂ ଜ୍ୟୋତି ଦଳାଇ (୫୩, ୫୬, ୯୦ ମିନିଟ୍) ୩ ଗୋଲ୍ ଦେଇଥିଲେ। ଓଜିପିର ଲକ୍ଷ୍ମୀପ୍ରିୟା ଲେଙ୍କା (୮, ୪୫ ମିନିଟ୍) ଦୁଇଟି ଗୋଲ୍ ଶୁଝିଥିଲେ। ସେହି ପଡ଼ିଆରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍ରେ ରେଳବାଇ ୨-୧ ଗୋଲ୍ରେ ରାଇଜିଂ ଷ୍ଟୁଡେଣ୍ଟ୍ କ୍ଲବ୍କୁ ପରାସ୍ତ କରିଥିଲା। ରେଳବାଇ ପକ୍ଷରୁ ସୁପ୍ରିୟା ରାଉତରାୟ (୧୧ ମିନିଟ୍) ଓ ସରୋଜିନୀ ତିର୍କି (୬୩ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ମାରିଥିଲେ। ରାଇଜିଂର ସୁଭଦ୍ରା ସାହୁ (୩୮ ମିନିଟ୍) ଗୋଟିଏ ଗୋଲ୍ ଦେଇଥିଲେ।
କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏକମାତ୍ର ମ୍ୟାଚ୍ରେ କ୍ରୀଡ଼ା ଛାତ୍ରାବାସ ୩-୦ ଗୋଲ୍ରେ ଓଡ଼ିଶା ପୁଲିସକୁ ହରାଇଥିଲା। ବିଜୟୀ ଦଳର ମନୀଷା ନାଏକ (୩୦, ୪୩ ମିନିଟ୍) ଦୁଇଟି ଓ ମାଳତୀ ମୁଣ୍ଡା (୮୨ ମିନିଟ୍) ଗୋଟିଏ ଗୋଲ୍ ଦେଇଥିଲେ। ୨୭ ତାରିଖରେ କ୍ୟାପିଟାଲ୍ ହାଇସ୍କୁଲ୍ ପଡ଼ିଆରେ ଓଡ଼ିଶା ପୁଲିସ-ଓଜିପି, କଳିଙ୍ଗ ଷ୍ଟାଡିୟମ୍ ମୁଖ୍ୟ ପଡ଼ିଆରେ ପୂର୍ବତଟ ରେଳବାଇ-କ୍ରୀଡ଼ା ଛାତ୍ରାବାସ ଏବଂ କଳିଙ୍ଗ ଷ୍ଟାଡିୟମ୍ ଅଭ୍ୟାସ ପଡ଼ିଆରେ ସାଇ-ଏସ୍ଟିସି ଓ ରାଇଜିଂ ଷ୍ଟୁଡେଣ୍ଟ କ୍ଲବ୍ ମୁହାଁମୁହିଁ ହେବେ।