ଭୁବନେଶ୍ବର : ଓଡ଼ିଶା ଫୁଟ୍ବଲ୍ ସଂଘ (ଫାଓ) ଓ ରାଜ୍ୟ କ୍ରୀଡ଼ା ବିଭାଗ ମିଳିତ ଆନୁକୂଲ୍ୟରେ ରବିବାରଠୁ ଆରମ୍ଭ ହୋଇଛି ଓଡ଼ିଶା ମହିଳା ଲିଗ୍ (ଓଡବ୍ଲୁଏଲ୍)। କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ଉଦ୍ଘାଟନୀ ମ୍ୟାଚ୍ରେ ଓଡ଼ିଶା ଏଫ୍ସି ଏବଂ ପୂର୍ବତଟ ରେଳବାଇ ମୁହାଁମୁହିଁ ହୋଇଥିଲେ। ଏଥିରେ ଓଡ଼ିଶା ଏଫ୍ସି ୧-୦ ଗୋଲ୍ରେ ରେଳବାଇ ଦଳକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି। ମ୍ୟାଚ୍ର ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା। ହେଲେ ଦ୍ବିତୀୟାର୍ଦ୍ଧରେ ଓଡ଼ିଶା ଏଫ୍ସିକୁ ମିଳିଥିବା ପେନାଲ୍ଟିକୁ କାର୍ତିକା ଆଙ୍ଗମୁଥୁ (୮୫ ମିନିଟ୍) ଗୋଲ୍ରେ ପରିଣତ କରି ଦଳକୁ ବିଜୟ ଭେଟି ଦେଇଥିଲେ। ମ୍ୟାଚ୍କୁ ରେଫରି ଚିତ୍ରାମ୍ବଦା ପାତ୍ର, ସୁଲତାନା ପରୱିନ୍, ବିଣାପାଣୀ ବିରୁଆ ଓ ବବଲି ଗଡ଼ନାୟକ ପରିଚାଳନା କରିଥିଲେ। ସୁଜିତ କୁମାର ପାତ୍ର ମ୍ୟାଚ୍ କମିସନର ଏବଂ ସୁଦୀପ୍ତା ଦାସ ରେଫରି ଆସେସର ଥିଲେ।
ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ଫାଓ ଯୁଗ୍ମ ସମ୍ପାଦକ ଅଭିଜିତ ପୌଲ, କ୍ରୀଡ଼ା ବିଭାଗ ଓଏସ୍ଡି ଶୁଭେନ୍ଦୁ ପଣ୍ଡା, ପୂର୍ବତନ ଭାରତୀୟ ମହିଳା ଫୁଟ୍ବଲର୍ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସସ୍ମିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ସୋମବାର କଳିଙ୍ଗ ଷ୍ଟାଡିୟମରେ ସ୍ପୋର୍ଟ୍ସ ଓଡ଼ିଶା ଓ ଓଜିପି କ୍ଲବ୍ ଏବଂ କ୍ୟାପିଟାଲ ଗ୍ରାଉଣ୍ଡରେ ରାଇଜିଂ ଷ୍ଟୁଡେଣ୍ଟ୍ କ୍ଲବ୍ ଓ ଓଡ଼ିଶା ପୁଲିସ ମୁହାଁମୁହିଁ ହେବେ। ଉଭୟ ମ୍ୟାଚ୍ ଅପରାହ୍ଣ ୩ଟାରେ ଖେଳାଯିବ।