ଓଡ଼ିଶା ମହିଳା ଲିଗ୍: ରେଳବାଇ, କ୍ରୀଡ଼ା ଛାତ୍ରାବାସ, ରାଇଜିଂ ବିଜୟୀ

ଭୁବନେଶ୍ବର: ଭୁବନେଶ୍ବରର ଦୁଇଟି ପଡ଼ିଆରେ ଚାଲିଥିବା ଓଡ଼ିଶା ମହିଳା ଲିଗ୍ (ଓଡବ୍ଲ୍ୟୁଏଲ୍‌) ଫୁଟ୍‌ବଲ୍ ପ୍ରତିଯୋଗିତାରେ ସୋମବାର ପୂର୍ବତଟ ରେଳବାଇ, କ୍ରୀଡ଼ା ଛାତ୍ରାବାସ, ରାଇଜିଂ ଷ୍ଟୁଡେଣ୍ଟ୍‌ ବିଜୟୀ ହୋଇଛନ୍ତି। କ୍ୟାପିଟାଲ୍‌ ହାଇସ୍କୁଲ୍‌ ପଡ଼ିଆରେ ପୂର୍ବତଟ ରେଳବାଇ ୩-୦ ଗୋଲ୍‌ରେ ଓଡ଼ିଶା ପୁଲିସକୁ ପରାସ୍ତ କରିଥିଲା। ସରୋଜିନୀ ତିର୍କି (୩୩, ୯୦ ମିନିଟ୍‌) ଦୁଇଟି ଏବଂ ତାରା ଖାତୁନ (୪୯ ମିନିଟ୍‌) ‌ଗୋଟିଏ ଗୋଲ୍‌ ଦେଇଥିଲେ। ସେହି ପଡ଼ିଆରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ରାଇଜିଂ ଷ୍ଟୁଡେଣ୍ଟ୍‌ସ ୫-୦ ଗୋଲ୍‌ରେ ଓଜିପିକୁ ପରାସ୍ତ କରିଥିଲା। ରାଇଜିଂ ପକ୍ଷରୁ ସତ୍ୟବତୀ ଖଡ଼ିଆ (୬୦, ୭୬ ମିନିଟ୍‌) ଓ ସୁମିତ୍ରା ଖାଖା (୫୦, ୫୯ ମିନିଟ୍‌) ଦୁଇଟି ଲେଖାଏଁ ଏବଂ ଯଶୋଦା ମୁଣ୍ଡା (୪୨ ମିନିଟ) ଗୋଟିଏ ଗୋଲ୍‌ ସ୍କୋର୍‌ କରିଥିଲେ। ଜ୍ୟୋତିରଂଜନ ସ୍ବାଇଁ, ଚନ୍ଦ୍ରକାନ୍ତ ବାରିକ, ଶଶିକାନ୍ତ ଦାସିଆ, ବାସନ୍ତି କିଷନ, ଅମିରା ପ୍ରଧାନ, ଦୁର୍ଗାମାଧବ ନାଏକ ମ୍ୟାଚ୍‌ ପରିଚାଳନା କରିଥିଲେ।

କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ କ୍ରୀଡ଼ା ଛାତ୍ରାବାସ ୬-୪ ଗୋଲ୍‌ରେ ସାଇ-ଏସ୍‌ଟିସିକୁ ପରାସ୍ତ କରିଥିଲା। କ୍ରୀଡ଼ା ଛାତ୍ରାବାସ ପକ୍ଷରୁ ଦୀପ୍ତିରାଣୀ କୁଜୁର (୬୭, ୮୩, ୮୮ ମିନିଟ୍‌) ତିନିଟି, ମନୀଷା ନାଏକ (୬, ୪୫ ମିନିଟ୍‌) ଦୁଇଟି ଏବଂ ଶ୍ରୀଦେବୀ ହାଂସ୍‌ଦା (୨୪ ମିନିଟ୍‌) ଗୋଟିଏ ଗୋଲ୍‌ କରିଥିଲେ। ସାଇ-ଏସ୍‌ଟିସି ପକ୍ଷରୁ ସାଇ ଦୀପା ନାୟକ (୨୨, ୭୫, ୮୦ ମିନିଟ୍‌) ତିନିଟି ଏବଂ ବର୍ଷା ମହାକୁଡ଼ (୩୪ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝିବାକୁ ସକ୍ଷମ ହୋଇଥିଲେ। ଦୀପ୍ତି ରାଣୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତା ହୋଇଥିଲେ। ବିଷ୍ଣୁପ୍ରିୟା ଦାସ, ଲକ୍ଷ୍ମୀପ୍ରସାଦ ନାଇଡୁ, ଦିଗ୍‌ବିଜୟ ଦାସ, ଜ୍ୟୋତି ରଞ୍ଜନ ସ୍ବାଇଁ ଓ ସୁଦୀପ୍ତା ଦାଶ ମ୍ୟାଚ୍‌ ପରିଚାଳନା କରିଥିଲେ। ପରବର୍ତୀ ମ୍ୟାଚ୍‌ରେ ଗୁରୁବାର କ୍ୟାପିଟାଲ୍ ହାଇସ୍କୁଲ୍ ପଡ଼ିଆରେ ପୂର୍ବତଟ ରେଳବାଇ ଓ ଓଜିପି (ସକାଳ ୭.୩୦) ଏବଂ ଓଡ଼ିଶା ପୁଲିସ ଓ ସାଇ-ଏସଟିସି (ଅପରାହ୍ଣ ୩.୩୦) ଏବଂ କଳିଙ୍ଗ ଷ୍ଟାଡିୟମ୍‌ରେ ‌କ୍ରୀଡ଼ା ଛାତ୍ରାବାସ ଓ ରାଇଜିଂ ଷ୍ଟୁଡେଣ୍ଟ କ୍ଲବ୍‌ (ଅପରାହ୍ଣ ୩.୩୦) ମୁହାଁମୁହିଁ ହେବେ।

ଆହତ ପରେ ଚମକ
ଆହତ ହେବାର ମାତ୍ର ଗୋଟିଏ ଦିନ ବ୍ୟବଧାନ ପରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସର ଦୁଇ ପ୍ରମୁଖ ‌ଖେଳାଳି ସୋମବାର ଚମକ ଦେଖାଇଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ରେ ସାଇ ଏସଟିସି ବିପକ୍ଷ ମ୍ୟାଚ୍‌ରେ ଦୀପ୍ତି ରାଣୀ କୁଜୁର (୩) ଏବଂ ମନୀଷା ନାଏକ (୨) ମିଳିତ ଭାବେ ୫ ଗୋଲ୍‌ ଦେଇଥିବାବେ‌ଳେ ତାଙ୍କ ଦଳ ୬-୪ରେ ଜିତିଥିଲା। ଗତ ମ୍ୟାଚ୍‌ରେ ଉଭୟ ଆହତ ହେବା ପରେ ଏଭଳି ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଦଳର ଫିଜିଓ ମୁକ୍ତି ପ୍ରସାଦ ଦାଶ ଖୁସି ହୋଇଛନ୍ତି। ଠିକଣା ସମୟରେ ଇଞ୍ଜ୍ୟୁରି ମ୍ୟାନେଜମେଣ୍ଟ୍‌ କରାଯାଇପାରିଥିବାରୁ ସେମାନଙ୍କ ପୁନଃଥଇଥାନ ତୁରନ୍ତ ସମ୍ଭବ ହୋଇପାରିଥିଲା ବୋଲି ଡକ୍ଟର ଦାଶ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର