ଓଡ଼ିଶା ମହିଳା ଲିଗ୍‌ ଉଦ୍‌ଯାପିତ: ଶେଷ ମ୍ୟାଚ୍‌ରେ ଜିତିଲା ଓଡ଼ିଶା ପୁଲିସ

ଭୁବନେଶ୍ବର : ଓଡ଼ିଶା ମହିଳା ଲିଗ୍‌ (ଓଡବ୍ଲୁଏଲ୍‌) ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଏହି ଅବସରରେ ଚଳିତ ବର୍ଷର ବିଜେତା ଓଡ଼ିଶା ପୁଲିସ ଏବଂ ଉପବିଜେତା ସ୍ପୋର୍ଟ୍ସ ଓଡ଼ିଶାକୁ କପ୍‌ ପ୍ରଦାନ କରାଯାଇଥିଲା। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ବିଜୟାନନ୍ଦ ଜେନା, ଓଡ଼ିଶା ଫୁଟ୍‌ବଲ୍‌ ସଂଘ (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା, ଯୁଗ୍ମ ସମ୍ପାଦକ ଅଭିଜିତ ପଲ୍‌, କୋଷାଧ୍ୟକ୍ଷ ଭକ୍ତ ବଲ୍ଲଭ ଦାସ, ଉପସଭାପତି ବିଜୟ ଦାସ, ଦିଲୀପ କୁମାର ସାହୁ, ହୃଦୟ ରଂଜନ ବେହେରା, କ୍ରୀଡ଼ା ବିଭାଗ ଓଏସ୍‌ଡି ଶୁଭେନ୍ଦୁ ପଣ୍ଡା, ଫାଓ ସଦସ୍ୟ ଗଙ୍ଗାଧର ବେହେରା ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ। ଶେଷ ଦିନରେ ଖେଳାଯାଇଥିବା ଶେଷ ଡେଭ୍‌ଲପ୍‌ମେଣ୍ଟ୍‌ ମ୍ୟାଚ୍‌ରେ ଓଡ଼ିଶା ପୁଲିସ ୫-୦ ଗୋଲ୍‌ରେ ୧୮ ବର୍ଷରୁ କମ୍‌ ଓଡ଼ିଶା ଦଳକୁ ପରାସ୍ତ କରିଥିଲା। ଓଡ଼ିଶା ପୁଲିସ ପକ୍ଷରୁ ଯସ୍ମାନୀ ସମାଦ ୨ଟି, ପ୍ୟାରି ଖାଖା, ସାୟା‌ବତୀ ଖଡ଼ିଆ ଓ ଜବାମଣି ଟୁଡୁ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର