ଓଡ଼ିଶା ମହିଳା ଲିଗ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା : ପୁଲିସକୁ ହରାଇଲା କ୍ରୀଡ଼ା ଛାତ୍ରାବାସ

ମାଳତୀ ଓ ମନୀଷାଙ୍କ ହ୍ୟାଟ୍ରିକ

ଭୁବନେଶ୍ବର : ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଶା ମହିଳା ଲିଗ୍‌ (ଓଡବ୍ଲ୍ୟୁଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତା ରବିବାର କଳିଙ୍ଗ ‌ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମୁକାବିଲାରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ୬-୧ ଗୋଲ୍‌ରେ ଓଡ଼ିଶା ପୁଲିସକୁ ପରାସ୍ତ କରିଛି। ମ୍ୟାଚ୍‌ର ଦ୍ବାଦଶ ମିନିଟ୍‌ରେ ମାଳତୀ ମୁଣ୍ଡାଙ୍କ ଗୋଲ୍‌ରେ କ୍ରୀଡ଼ା ଛାତ୍ରାବାସ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୨୩ତମ ମିନିଟ୍‌ରେ ମନୀଷା ନାଏକ ଦଳ ପାଇଁ ଦ୍ବିତୀୟ ଗୋଲ୍‌ କରିଥିଲେ। ୨୯ ମିନିଟ୍‌ରେ ମାଳତୀ ଆଉ ଏକ ଗୋଲ୍‌ ଦେଇ ପ୍ରଥମାର୍ଧରେ ଦଳକୁ ୩-୦ରେ ଆଗୁଆ କରିଥିଲେ। ଦ୍ବିତୀୟାର୍ଧରେ ଓଡ଼ିଶା ପୁଲିସ ପକ୍ଷରୁ ସୋନାଲି ଓରାମ (୫୩ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝିଥିଲେ। ଏହାପରେ ମନୀଷା (୫୮, ୭୭ ମିନିଟ୍‌) ଦୁଇଟି ଏବଂ ମାଳତୀ (୬୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିବା ସହ ନିଜ ନିଜ ହ୍ୟାଟ୍ରିକ୍‌ ସଫଳତା ଅର୍ଜନ କରିଥିଲେ। ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଫାଓ ସଭାପତି ଆଶୀର୍ବାଦ ବେହେରା ଏବଂ କ୍ରୀଡ଼ା ନିର୍ଦେଶକ ଭିନିଲ କ୍ରିଷ୍ଣ ଅତିଥି ଭାବେ ଉପସ୍ଥିତ ରହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର