ଲଣ୍ଡନ ପର୍ଯ୍ୟଟନ ମେଳାରେ ଓଡ଼ିଶା ବିଶ୍ବକପ୍

ଭୁବନେଶ୍ବର: ଚତୁର୍ଦଶ ହକି ବିଶ୍ବକପ୍‌ର ସହଯୋଗୀ ଆୟୋଜକ ‘ଓଡ଼ିଶା ପର୍ଯ୍ୟଟନ’ ଲଣ୍ଡନରେ ଆୟୋଜିତ ବିଶ୍ବ ପର୍ଯ୍ୟଟନ ମେଳାରେ ଅଂଶଗ୍ରହଣ କରିବା ସହ ସେଠାରେ ବିଶ୍ବକପ୍‌ର ପ୍ରଚାର କରିଛି। ବିଶ୍ବକପ୍‌କୁ ବିଶ୍ବ ପର୍ଯ୍ୟଟନ ଶିଳ୍ପ ସହ ପରିଚିତ କରାଇଛି। ଏଥିପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ନେତୃତ୍ବରେ ଓଡ଼ିଶାର ଏକ ପ୍ରତିନିଧି ମଣ୍ଡଳ ଲଣ୍ଡନ ଯାଇଥିଲା। ଏହି ଦଳରେ ଓଡ଼ିଶା ପର୍ଯ୍ୟଟନର ନିର୍ଦେଶକ ଅର୍ଚନା ପଟ୍ଟନାୟକ, ସହକାରୀ ନିର୍ଦେଶକ ବିଶ୍ବଜିତ ରାଉତରାୟ ଓ ପର୍ଯ୍ୟଟକ ଅଧିକାରୀ ଆର୍‌କେ ପଟ୍ଟନାୟକ ସାମିଲ ଥିଲେ। ଲଣ୍ଡନ ବିଶ୍ବ ପର୍ଯ୍ୟଟନ ମେଳା ଚଳିତ ମାସ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଶ୍ବ ମାନଚିତ୍ରରେ ଓଡ଼ିଶାର ଅଗ୍ରଗତି ନେଇ ବିବିସି ସାମ୍ବାଦିକ ଶ୍ରୀ ପାଢ଼ୀଙ୍କ ସାକ୍ଷାତକାର ନେଇଥିଲେ। ଓଡ଼ିଶା ପର୍ଯ୍ୟଟନ ଷ୍ଟଲରେ କୋଣାର୍କ ସୂର୍ଯ୍ୟମନ୍ଦିର, ‘ସକାଳେ ଓଡ଼ିଶା, ସଂଧ୍ୟାରେ ହକି’ ସ୍ଲୋଗାନ ସ୍ଥାନ ପାଇଥିଲା। ଲଣ୍ଡନରେ ଆୟୋଜିତ ହୋଇଥିବା ମହିଳା ହକି ବିଶ୍ବକପ୍ ଅବସରରେ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ‘ସକାଳେ ଓଡ଼ିଶା, ସଂଧ୍ୟାରେ ହକି’ ସ୍ଲୋଗାନର ବହୁଳ ପ୍ରଚାର କରିଥିଲା। ଯାହାର ଲକ୍ଷ୍ୟ ବିଶ୍ବକପ୍ ସହ ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ ଦେଖିବାକୁ ଏଠାକୁ ଆସିବା ପାଇଁ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା। ସୂଚନାଯୋଗ୍ୟ ଯେ ଗତବର୍ଷ ଓଡ଼ିଶାକୁ ୮୪,୬୫୮ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ଚଳିତବର୍ଷ ବିଶ୍ବକପ୍ ପାଇଁ ଏହି ସଂଖ୍ୟା ଯଥେଷ୍ଟ ବଢ଼ିବାର ଆଶା ରହିଛି।

ସମ୍ବନ୍ଧିତ ଖବର