ଭୁବନେଶ୍ବର,: ଜର୍ମାନିର ସାଂସ୍କୃତିକ ସହର ମ୍ୟୁନିକରେ ଭୁବେନଶ୍ବର ହକି ବିଶ୍ବକପ୍ର ପ୍ରଚାର ଆରମ୍ଭ ହୋଇ ଯାଇଛି। ଏହି ସହରରେ ଦୈନିକ ଗଡ଼ୁଥିବା ଶହ ଶହ ‘ବସ୍’ରେ ‘ସକାଳେ ଓଡ଼ିଶା, ସଂଧ୍ୟାରେ ହକି’ ବାର୍ତା ଲେଖାଯାଇ ନିଆରା ଢଙ୍ଗରେ ପର୍ଯ୍ୟଟକଙ୍କୁ ଓଡ଼ିଶା ଆସିବାକୁ ଅକୃଷ୍ଟ କରାଯାଉଛି। କେବଳ ବିଶ୍ବକପ୍ ନୁହେଁ, ଏହି ଅଭିଯାନ ଅନ୍ତର୍ଗତ ଓଡ଼ିଶାକୁ ଅପରୂପ ପ୍ରକୃତିକ ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନ ସ୍ଥଳ ଭାବେ ମଧ୍ୟ ଦର୍ଶାଯାଉଛି। ସଂପ୍ରତି ମ୍ୟୁନିକରେ ବିଶ୍ବର ସର୍ବବୃହତ୍ ଲୋକକଳା ଉତ୍ସବ ‘ମ୍ୟୁନିକ ଅକ୍ଟୋବରଫେଷ୍ଟ୍’ ଆୟୋଜିତ ହେଉଛି। ଏଥିଲାଗି ପାଖାପାଖି ୬୦ ଲକ୍ଷ ପର୍ଯ୍ୟଟକ ସେଠାକୁ ଆସିବାର ଅଛି। ଏହାକୁ ଏକ ସୁଯୋଗ ଭାବେ ନେଇଛନ୍ତି ଓଡ଼ିଶା ସରକାର।
ବସ୍ ବାର୍ତାରେ ଜର୍ମାନି ଏବଂ ଜର୍ମାନି ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ବିଶ୍ବକପ୍ ଏବଂ ଓଡ଼ିଶାରେ ଥିବା ଅପାର ପର୍ଯ୍ୟଟନ ସୁଯୋଗ ବିଷୟରେ ଅବଗତ କରାଉଛନ୍ତି। ମ୍ୟୁନିକରେ ବସ୍ ଯାତାୟତର ଏକ ବଳିଷ୍ଠ ମାଧ୍ୟମ। ଏଣୁ ଏହି ଅଭିଯାନ ବିଶ୍ବକପ୍ର ପ୍ରଚାର ସହ ବ୍ରାଣ୍ଡ ‘ଓଡ଼ିଶା’ ମୂଲ୍ୟ ବଢ଼ାଇବ ବୋଲି ଆଶା କରାଯାଉଛି। ଏହି ବସ୍ ବିଜ୍ଞାପନ ଅଭିଯାନ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଅକ୍ଟୋବରଫେଷ୍ଟ୍ ପାଇଁ ଲକ୍ଷ ଲକ୍ଷ ଲୋକ ଆକର୍ଷିତ ହୁଅନ୍ତି। ଏହି ଅବସରରେ ବସ୍ ବିଜ୍ଞାପନ ପ୍ରଚାର ଏକ ବଳିଷ୍ଠ ମାଧ୍ୟମ ହେବ। ଏହା ଦ୍ବାରା ଓଡ଼ିଶାର ଲୋକପ୍ରିୟତା ବଢ଼ିବ ବୋଲି କ୍ରୀଡ଼ା ସଚିବ ବିଶାଲ ଦେବ କହିଛନ୍ତି। ମ୍ୟୁନିକ ଏକ ହକିପ୍ରେମୀ ସହର ହୋଇଥିବାରୁ ଆଗାମୀ ଶୀତରେ ଭୁବେନଶ୍ବରରେ ବହୁ ଜର୍ମାନି ପର୍ଯ୍ୟଟକ ଦେଖାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ ମ୍ୟୁନିକ ଭଳି ଅଷ୍ଟ୍ରେଲିଆର ସିଡ୍ନି ସହରରେ ମଧ୍ୟ ଏହି ଭଳି ବସ୍ ବିଜ୍ଞାପନ ଅଭିଯାନ ଆରମ୍ଭ ହେବାର ଅଛି। ଚତୁର୍ଦଶ ହକି ବିଶ୍ବକପ୍ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଆେୟାଜିତ ହେବାର ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/hockey-bus.jpg)