ଓଡ଼ିଶା ଯୁବ ଫୁଟ୍‌ବଲ୍‌ ଦଳ ପ୍ରସ୍ତୁତ

୧୮ ବର୍ଷରୁ କମ୍‌ ଆଇ-ଲିଗ୍‌

ଭୁବନେଶ୍ୱର: ରାଜ୍ୟ ଫୁଟ୍‌ବଲ୍‌ ପାଇଁ ହୋଇଥିବା ପେସାଦାର ପ୍ରୟାସର ଆଉ ଏକ ପଦାର୍ପଣ ଅପେକ୍ଷାରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ। ଭାରତୀୟ ଯୁବ ଆଇ-ଲିଗ୍‌ ଫୁଟ୍‌ବଲ୍‌ର ୧୫ ବର୍ଷରୁ କମ୍‌ ବର୍ଗରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ ଗ୍ରୁପ୍‌ ବିଜେତା ହୋଇ ନୂଆ ଅଧ୍ୟାୟ ସଂଯୋଗ କରିବା ପରେ ଏବେ ଆଉ ଏକ ଅଭିଯାନରେ ବାହାରିଛି। ୧୮ ବର୍ଷରୁ କମ୍‌ ଭାରତୀୟ ଯୁବ ଆଇ ଲିଗ୍‌ରେ ମଧ୍ୟ ପଦାର୍ପଣ କରିବ ଓଡ଼ିଶା କ୍ରୀଡ଼ାଛାତ୍ରାବାସ ଦଳ। ପେସାଦାର ଖେଳାଳି ଗଢ଼ିବାରେ ପ୍ରଥମ ରାଜ୍ୟ ଭାବେ ଆଗ୍ରହ ଦେଖାଇଥିବା ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ସେଥି ପାଇଁ ପ୍ରସ୍ତୁତିରେ ବ୍ୟସ୍ତ। କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଛି ପ୍ରସ୍ତୁତି ଶିବିର। ଓଡ଼ିଶା ଦଳର ପ୍ରସ୍ତୁତି ଠିକ୍‌ ଠାକ୍‌ ଅଛି। ସମ୍ବଲପୁର, ବାରିପଦା ଓ ଭବାନୀପାଟଣା ଛାତ୍ରାବାସରୁ ମନୋନୀତ ସମ୍ଭାବ୍ୟ ୩୦ ଜଣଙ୍କୁ ନେଇ ଚାଲିଥିବା ପ୍ରସ୍ତୁତି ଭଲ ଚାଲିଛି। ପେସାଦାର କ୍ଲବ୍‌ ଦଳ ବିପକ୍ଷରେ ଭଲ ପ୍ରଦର୍ଶନ କରିବା କଷ୍ଟକର। ତଥାପି ଦଳ ଭଲ କରିବ ବୋଲି ଆଶା ରଖିଛୁ ବୋଲି କହିଛନ୍ତି ଦଳର ପ୍ରଶିକ୍ଷକ ଅବନୀ ମହାନ୍ତି। ପ୍ରଶିକ୍ଷଣ ଶୈଳୀ ଏବଂ ଆଧୁନିକ ଫୁଟ୍‌ବଲ୍‌କୁ ଆମେ ଗ୍ରହଣ କରିବାରେ ଥିବା ଅସୁବିଧା ଦୂର ନ ହେଲେ ଆମେ ବରିଷ୍ଠ ବର୍ଗରେ ଭଲ ପ୍ରଦର୍ଶନ କରିବା ସମ୍ଭବ ହେଉ ନାହିଁ ବୋଲି କହିଥିଲେ ‘ସି’ ଲାଇସେନ୍‌ସପ୍ରାପ୍ତ ଅବନୀ। କଟକ ଓ ବାରିପଦା କ୍ରୀଡ଼ା ଛାତ୍ରାବାସରେ ଦାୟିତ୍ୱ ତୁଲାଇ ସାରିଥିବା ଶ୍ରୀ ମହାନ୍ତି ୨୦୧୨ ମସିହାରେ ହଙ୍ଗେରୀର ବୁଦାପେଷ୍ଟ୍‍ରେ ମଧ୍ୟ ଅନ୍ତର୍ଜାତୀୟ ପ୍ରଶିକ୍ଷଣ ପାଠ୍ୟକ୍ରମ କରିଥିଲେ। ଏସବୁ ଅଭିଜ୍ଞତା କାମରେ ଲାଗିବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।
ଅବଶିଷ୍ଟ ଭାରତ ଜୋନ୍‌ର ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଥିବା ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ୪ଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବ। ଅନ୍ୟ ଦଳ ଗୁଡ଼ିକ ହେଲେ-ଆଇଜଲ୍‌ ଏଫ୍‌ସି, ନେରୋକା ଏଫ୍‌ସି, ଅନନ୍ତପୁର ସ୍ପୋର୍ଟସ ଏକାଡେମୀ ଏବଂ ଟାଟା ଫୁଟ୍‌ବଲ୍‌ ଏକାଡେମୀ। ଜାନୁଆରି ୨୦ ତାରିଖ ପରେ ଖେଳସୂଚୀ ଘୋଷିତ ହେଲେ ଓଡ଼ିଶାର ଚୂଡାନ୍ତ ୨୦ ଜଣିଆ ଦଳ ଘୋଷିତ ହେବ ବୋଲି ସୂଚନା ମିଳିଛି।
ଏଠାରେ ଉଲ୍ଲେଖନୀୟ, ଗତବର୍ଷ ଫୁଟ୍‌ବଲ୍‌ ଉପରେ ‘ସମ୍ବାଦ’ରେ ଲଗାତାର ଗଠନମୂଳକ ଖବର ପ୍ରକାଶ ପାଇଥିଲା। ‘୩୩ ବର୍ଷରେ କ୍ରୀଡ଼ା ଛାତ୍ରାବାସ ଫଳଶୂନ୍ୟ’ ଖବର ପ୍ରକାଶିତ ହେବା ପରେ ଫୁଟ୍‌ବଲ୍‌କୁ ରାଜ୍ୟ କ୍ରୀଡ଼ା ବିଭାଗ ଅଗ୍ରାଧିକାର ଦେବା ଆରମ୍ଭ କରିଥିଲା। ଏନ୍‌ଆଇଏସ୍‌ ପ୍ରଶିକ୍ଷକଙ୍କୁ ଲାଇସେନ୍‌ସ ପ୍ରଶିକ୍ଷଣ ବ୍ୟବସ୍ଥା ସହିତ ଆଇ-ଲିଗ୍‌ରେ ଖେଳିବା ଲାଗି ନିଷ୍ପତ୍ତି ହୋଇଥିଲା।
ଓଡ଼ିଶା ସମ୍ଭାବ୍ୟ ଦଳ: ଗୋଲ୍‌ରକ୍ଷକ: ଯଜାତି କେଶରୀ ମହାଖୁଡ, ମିଥୁନ ମାଝୀ, ମହମ୍ମଦ ଫୈଜଲ ଆଲାମ। ରକ୍ଷଣ ଭାଗ: ଦିଲୀପ ଲାକ୍ରା, ପୀତବାସ ଖିଲୋ, କରଣ ଓରାମ, ଫିଲମୋନ ଲାକ୍ରା, ସୁନୀଲ ଓରାମ, ଅମିତ୍‌ କେରକେଟା, ରାଜ କୁମାର ଦାସ, କୁସାଲ ମର୍ମୁ, ଅନୂପ କୁଜୁର, ଅନମୋଲ ଲାକ୍ରା, ସିପୁ ବେହେରା। ମଧ୍ୟଭାଗ: ସଂଜୀବ ଓରାମ, ବିନୟ ଟୋପ୍ପୋ, ବିଶ୍ୱଜିତ୍‌ ଓରାମ, ସଂଜୟ ଲାକ୍ରା, ମଣ୍ଟୁ ମିଞ୍ଜ୍‌, ଅମର ଲାକ୍ରା। ଅଗ୍ରଭାଗ: ଯୀଶୁ ହେମ୍ବ୍ରମ୍‌, ନୋଲ୍‌ସନ୍‌ ଲାକ୍ରା, ମନ୍‌ଜିତ୍‌ କିସାନ୍‌, ଜମାଦାର ବିନ୍ଧାଣୀ, ବିଜୟ ଓରାମ, ଅରୁଣ ମିଞ୍ଜ୍‌, ସୁକମଣୀ କହଁର, ରମଣ ମଲ୍ଲ, ଦଶରଥ ମୁଣ୍ଡା। ପ୍ରଶିକ୍ଷକ: ଅବନୀ ମହାନ୍ତି, ଫିଜିଓ: ଡାକ୍ତର ମୁକ୍ତି ପ୍ରସାଦ ଦାଶ।

ସମ୍ବନ୍ଧିତ ଖବର