ଓଡ଼ିଶା ଆଇଟିଏଫ୍‌ ଫ୍ୟୁଚର୍ସ:ଓଡ଼ିଆଙ୍କ ଅଭିଯାନ ଶେଷ: ଆଗେଇଲେ ଅଗ୍ରଜ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ୧୫,୦୦୦ ଆମେରିକୀୟ ଡଲାର୍‌ (ପ୍ରାୟ ୯ ଲକ୍ଷ ୭୫ ହଜାର ଟଙ୍କା) ପୁରସ୍କାର ରାଶି ବିଶିଷ୍ଟ ଓଡ଼ିଶା ଆଇଟିଏଫ୍‌ (ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେସନ୍‌)ର ପୁରୁଷ ଫ୍ୟୁଚର୍ସ ପ୍ରତିଯୋଗିତାର ଉଭୟ ଏକକ ଓ ଯୁଗଳ ବର୍ଗରେ ଓଡ଼ିଶା ଖେଳାଳିଙ୍କ ଅଭିଯାନ ପ୍ରଥମ ରାଉଣ୍ଡ୍‌ରେ ଶେଷ ହୋଇଯାଇଛି। ଓ୍ଵାଇଲ୍‌ଡ କାର୍ଡ ଜରିଆରେ ପ୍ରବେଶ ପାଇଥିବା ଅଂଶୁ କୁମାର ଭୂୟାଁ, ଚିନ୍ମୟ ପ୍ରଧାନ ଯୁଗଳ ବର୍ଗ ଭଳି ମଙ୍ଗଳବାର ଏକକ ବର୍ଗରେ ବଧ୍ୟ ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେଇଛନ୍ତି।। ସୋମବାର ଯୁଗଳ ବର୍ଗରେ ଏହି ଦୁଇ ଜଣଙ୍କ ସହିତ କବିର ହଂସ-ପ୍ରତ୍ୟୁଷ ମହାନ୍ତି ଯୋଡ଼ି ମଧ୍ୟ ହାରିଯାଇଥିଲେ। କିନ୍ତୁ ଘରୋଇ ପରିବେଶରେ ଏହି ୪ ଖେଳାଳି ଅନ୍ତର୍ଜାତୀୟ ଖେଳିବା ସହିତ ଅଭିଜ୍ଞତା ସାଉଣ୍ଟିଛନ୍ତି। ମଙ୍ଗଳବାର ପୂର୍ବାହ୍‌ଣରେ ଏକକ ବର୍ଗରେ ଚିନ୍ମୟଙ୍କୁ ଅନ୍ୟତମ ଭାରତୀୟ ଖେଳାଳି ସୁରଜ ଆର୍‌ ପ୍ରବୋଧ ୬-୨, ୬-୨ରେ ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲେ। ସେହିଭଳି କୋର୍ଟ-୧ରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ବଶିଷ୍ଟ ଚେରୁକୁ ୬-୧, ୬-୨ରେ ଅଂଶୁ କୁମାର ଭୂୟାଁଙ୍କୁ ହରାଇ ଦେଇଥିଲେ। ମଙ୍ଗଳବାର ଶେଷ ହୋଇଥିବା ପ୍ରଥମ ରାଉଣ୍ଡ୍‌ରେ ପ୍ରମୁଖ ମାନ୍ୟତାପ୍ରାପ୍ତ ଖେଳାଳିମାନେ ବିଜୟୀ ହୋଇ ଦ୍ୱିତୀୟ ରାଉଣ୍ଡ୍‌ ତଥା ପ୍ରି-କ୍ୱାର୍ଟରଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ଶୀର୍ଷମାନ୍ୟତାପ୍ରାପ୍ତ ଶଶୀ କୁମାର ମୁକୁନ୍ଦ ଅଣ ମାନ୍ୟତାପ୍ରାପ୍ତ ଜୟପ୍ରକାଶ ମୋହିତ କୁମାରଙ୍କୁ ହରାଇ ଦେଇଥିଲେ। ବିଶ୍ୱ ମାନ୍ୟତାର ୪୩୯ରେ ଥିବା ଶଶୀ ଚମତ୍କାର ପ୍ରତ୍ୟାବର୍ତନ କରି ୬-୭ (୩), ୬-୩, ୬-୪ରେ ବିଜୟୀ ହୋଇଥିଲେ। ତୃତୀୟ ମାନ୍ୟତାପ୍ରାପ୍ତ ଭାରତର ଅର୍ଜୁନ ଖାଡ଼େ ୬-୪, ୬-୨ରେ ଅନ୍ୟତମ ଭାରତୀୟ କୁନାଲ ଆନନ୍ଦଙ୍କୁ, ବିଜୟନ୍ତ ମଲ୍ଲିକ ୬-୪, ୬-୪ରେ ଅଙ୍କିତ ଚୋପ୍ରାଙ୍କୁ, ପଞ୍ଚମ ମାନ୍ୟତାପ୍ରାପ୍ତ ଜର୍ମାନି ଖେଳାଳି ସାମି ରେନ୍‌େଓ୍ଵନ୍‌ ୬-୨, ୬-୪ରେ ତାଇପେର ଚିନ୍‌ ସୁନ ଲୋଙ୍କୁ, ଇଟାଲୀୟ ଅଷ୍ଟମ ମାନ୍ୟତା ଖେଳାଳି ଏଫ୍‌ ଭିଲାର୍ଡୋ ୬-୨, ୦-୬, ୭-୬ (୬)ରେ ଜାପାନର କାଜୁମ କାଓ୍ଵାସ୍‌କୀଙ୍କୁ ପରାସ୍ତ କରିଥିଲେ।
ଯୁଗଳ ବର୍ଗରେ ଦ୍ୱିତୀୟମାନ୍ୟତାପ୍ରାପ୍ତ ସର୍ବିୟା-ଆର୍ଜେଣ୍ଟିନା ଖେଳାଳି ଗୋରାନ୍‌ ମାର୍କୋଭିକ୍‌-ମାନୁଏଲ୍‌ ପେନା ଲୋପେଜ୍‌ଙ୍କୁ ୬-୨, ୬-୦୩ରେ ମାତ୍‌ ଦେଇ ଭାରତୀୟ ଯୋଡ଼ି ଲକ୍ଷିତ୍‌ ସୁଦ୍‌ ଏବଂ ସୁରେଶ ଦକ୍ଷିଣେଶ୍ୱର କ୍ୱାର୍ଟରଫାଇନାଲରେ ସ୍ଥାନ ପକ୍କା କରି ନେଇଛନ୍ତି। ଭାରତୀୟଙ୍କ ମଧ୍ୟରେ ଶୀର୍ଷ୍ୟମାନ୍ୟତାର ଅର୍ଜୁନ ଖାଡ଼େ-ଏନ୍‌ ପ୍ରଶାନ୍ତ, ତୃତୀୟ ମାନ୍ୟତାର କୁନାଲ ଆନନ୍ଦ-ଅନଭିତ୍‌ ବେନ୍ଦ୍ରେ, ଜୟପ୍ରକାଶ ମୋହିତ ମୟୂର-ବିନାୟକ ଶର୍ମା କାଜା, ସିଦ୍ଧାର୍ଥ ରାଓ୍ଵତ-ମନୀଷ ସୁରେଶ କୁମାର ମଧ୍ୟ କ୍ୱାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ବୁଧବାର ପୂର୍ବାହ୍‌ଣରେ ଏକକ ବର୍ଗ ପ୍ରି-କ୍ୱାର୍ଟରଫାଇନାଲ୍‌ ଏବଂ ଅପରାହ୍‌ଣରେ ଯୁଗଳ ବର୍ଗର କ୍ୱାର୍ଟରଫାଇନାଲ୍‌ ମ୍ୟାଚ୍‌ ଗୁଡ଼ିକ ଖେଳାଯିବ।

ସମ୍ବନ୍ଧିତ ଖବର