ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ: ଗତଥରଠାରୁ ଅଧିକ ୧୦ ପଦକ ଜିତିଲା

ଛତିଶଗଡ଼ ବିଜେତା, କର୍ଣ୍ଣାଟକ ଉପବିଜେତା

ଭୁବନେଶ୍ବର: ଭୁବନେଶ୍ବରରେ ଦ୍ବିତୀୟ ଥର ଆୟୋଜିତ ହୋଇଥିବା ସର୍ବଭାରତୀୟ ବନ କ୍ରୀଡ଼ା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଆୟୋଜକ ଓଡ଼ିଶା ୮ ସ୍ବର୍ଣ୍ଣ ଏବଂ ୭ଟି ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ସହ ମୋଟ ୨୨ ପଦକ ଜିତି ସପ୍ତମ ସ୍ଥାନରେ ରହିଛି। ଓଡ଼ିଶା ହକି, ସନ୍ତରଣ, ବ୍ରିଜ୍, ରାଇଫଲ ସୁଟିଂ ଓ ଦୌଡ଼କୁଦ ଆଦି ଖେଳରୁ ସ୍ବର୍ଣ୍ଣ ପଦକ ଜିତିଛି। ରାଜ୍ୟ ଦଳ ଗତ ସଂସ୍କରଣଠାରୁ ବହୁତ ଭଲ ପ୍ରଦର୍ଶନ କରିଛି। ଚଣ୍ଡିଗଡ଼ରେ ଆୟୋଜିତ ଏହି ପ୍ରତିଯୋଗିତାର ଗତ ସଂସ୍କରଣରେ ଓଡ଼ିଶା ମାତ୍ର ୧୨ ପଦକ ଜିତିଥିଲା। ଏଥର ତା’ଠାରୁ ୧୦ ପଦକ ଅଧିକ ଜିତିବାର ଗୌରବ ଅର୍ଜନ କରିଛି। ଅନ୍ୟପକ୍ଷରେ ୪୯ ସ୍ବର୍ଣ୍ଣ, ୩୯ ରୌପ୍ୟ ଓ ୨୩ କାଂସ୍ୟ ପଦକ ଜିତି ଛତିଶଗଡ଼ ପ୍ରଥମ ସ୍ଥାନରେ ରହିଥିଲା ବେଳେ କର୍ଣ୍ଣାଟକ ୪୭ ସ୍ବର୍ଣ୍ଣ, ୨୯ ରୌପ୍ୟ ଓ ୩୮ କାଂସ୍ୟ ସହ ଦ୍ବିତୀୟ ସ୍ଥାନରେ ରହିଛି। ତୃତୀୟ ସ୍ଥାନରେ ଥିବା କେରଳ ୨୪ଟି ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ସହ ୨୯ କାଂସ୍ୟ ପଦକ ଜିତିଛି। ଏହି ପ୍ରତିଯୋଗିତା ଗତ ୩ ତାରିଖରୁ ଆରମ୍ଭ ହୋଇଥିଲା ବେଳେ ଓଡ଼ିଶାରେ ମିଳିଥିବା ଆତିଥେୟତା ଓ ସୁବିଧା ସୁଯୋଗକୁ ସବୁ ଦଳର ଖେଳାଳିମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ଶନିବାର ଉଦଯାପନୀ ଉତ୍ସବରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ, ସାମାଜିକ ସୁରକ୍ଷା ଓ ମହିଳା ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଆଇଏଏସ୍ ମୋନା ଶର୍ମା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଭୁବନେଶ୍ବରର ୪ ସ୍ଥାନ କଳିଙ୍ଗ ଷ୍ଟାଡିୟମ, କିଟ୍‌, ବିଜିସି ଗଲ୍ଫ କୋର୍ସ ଓ ରେଳବାଇ ଷ୍ଟାଡିୟମରେ ଏହି ପ୍ରତି‌ଯୋଗିତା ଅନୁଷ୍ଠିତ ହେଉଥିଲା। ମୋଟ ୨୩ କ୍ରୀଡ଼ା (ଆଉଟ୍‌ଡୋର୍‌, ଇନ୍‌ଡୋର୍‌)ର ୨୮୫ ଇଭେଣ୍ଟ୍‌ରେ ୩୭ ଦଳରୁ ପ୍ରାୟ ୨୫୦୦ କ୍ରୀଡ଼ାବିତ୍ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ୧୯୯୩ରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା ବେଳେ ଦ୍ବିତୀୟ ‌ସଂସ୍କରଣ (୧୯୯୪) ଓଡ଼ିଶାରେ ଆୟୋଜିତ ହୋଇଥିଲା। ପ୍ରାୟ ୨୬ ବର୍ଷ ପରେ ରୌପ୍ୟ ଜୟନ୍ତୀ ସଂସ୍କରଣକୁ ଓଡ଼ିଶା ଆୟୋଜନ କରିଛି।

ସମ୍ବନ୍ଧିତ ଖବର