ଭୁବନେଶ୍ବର: ପ୍ରମୋଦ ଭଗତ ପୂର୍ବରୁ ପ୍ରଥମ ଓଡ଼ିଆ ଭାବେ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବାର କୀର୍ତ୍ତିମାନ କରିଥିଲେ। ଏବେ ପ୍ରଥମ ଓଡ଼ିଆ ଭାବେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳ ରତ୍ନ ପୁରସ୍କାର ପାଇବାକୁ ଯାଉଛନ୍ତି। ଅନ୍ତର୍ଜାତୀୟ ପାରାବ୍ୟାଡମିଣ୍ଟନ୍‌ରେ ମାଳ ମାଳ ପଦକ ଜିତିବା ସହ ପ୍ରମୋଦ ହେଉଛନ୍ତି ନିଜ ବର୍ଗରେ ବିଶ୍ବର ଏକନମ୍ବର ଖେଳାଳି। ବିଶ୍ବ ପାରାବ୍ୟାମିଣ୍ଟନ୍, ଏସୀୟ ପାରାବ୍ୟାଡମିଣ୍ଟନ ସହ ଅଗଣିତ ପ୍ରତିଯୋଗିତାରେ ପଦକ ଜିତିଛନ୍ତି ସେ। ୨୦୧୯ ମସିହାରେ ପ୍ରମୋଦ ସମ୍ମାନଜନକ ଅର୍ଜୁନ ପୁରସ୍କାର ଜିତିଥିଲେ। ବରଗଡ଼ର ଅତାବୀରା ଭଳି ଛୋଟିଆ ସ୍ଥାନରୁ ଯାଇ ବିଶ୍ବ କ୍ରୀଡ଼ା ଦରବାରରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିବା ପ୍ରମୋଦ ମଧ୍ୟ ରାଜ୍ୟର ଲକ୍ଷ୍ୟ ଲକ୍ଷ୍ୟ ଉଦୀୟମାନ କ୍ରୀଡ଼ାବୀରଙ୍କ ପାଇଁ ପ୍ରେରଣାର ଅସରନ୍ତି ସ୍ରୋତ ପାଲଟିଛନ୍ତି। ପାରା ସ୍ପୋର୍ଟସ ଆସୋସିଏସନ୍ ଅଫ୍ ଓଡ଼ିଶା ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇଛି। ଅନ୍ୟପକ୍ଷରେ ଏହି ପୁରସ୍କାର ତାଙ୍କୁ ଦେଶ ପାଇଁ ଅଧିକରୁ ଅଧିକ ପଦକ ଜିତିବାକୁ ପ୍ରେରିତ କରିବ ବୋଲି ପ୍ରମୋଦ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି।

Advertisment

ଅନ୍ୟପକ୍ଷରେ ବୀରେନ୍ଦ୍ର ଓ ଅମିତ ଦଶମ ଓ ଏକାଦଶ ଓଡ଼ିଆ କ୍ରୀଡ଼ା ତାରକା ଭାବେ ଅର୍ଜୁନ ପୁରସ୍କାର ପାଇବେ। ସେମାନଙ୍କ ପୂର୍ବରୁ ମିନତି ମହାପାତ୍ର (ସାଇକ୍ଲିଂ) , ବିଜୟ ଶତପଥୀ (ଭାରୋତ୍ତୋଳନ), ରଚିତା ପଣ୍ଡା (ମିସ୍ତ୍ରୀ), ଦିଲୀପ ତିର୍କି, ଜ୍ୟୋତି ସୁନିତା କୁଲୁ, ଇଗ୍ନେସ ତିର୍କି, କେ ରବିକୁମାର, ପ୍ରମୋଦ ଭଗତ, ଦୂତି ଚାନ୍ଦ ଅର୍ଜୁନ ପୁରସ୍କାର ଜିତି ରାଜ୍ୟକୁ ଗର୍ବିତ କରିଛନ୍ତି। ବୀରେନ୍ଦ୍ର ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳର ଉପଅଧିନାୟକ ଥିଲେ। ୨୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପରେ ନିକଟରେ ସେ ଅବସର ଘୋଷଣା କରିଛନ୍ତି। ଅମିତ ଭାରତୀୟ ହକିର ଅନ୍ୟତମ ସୁଦୃଢ଼ ରକ୍ଷାପ୍ରାଚୀରର ମାନ୍ୟତା ଲାଭ କରିସାରିଥିଲା ବେଳେ ଟୋକିଓ ଅଲିମ୍ପିକ୍ସରେ ଉଚ୍ଚକୋଟୀର ହକି ଖେଳିଥିଲେ। ଖେଳରତ୍ନ ପୁରସ୍କାର ଭାବେ ପ୍ରମୋଦ ୨୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ସହ ପ୍ରଶସ୍ତିପତ୍ର ପାଇବେ। ଅର୍ଜୁନ ପୁରସ୍କାର ବିଜେତାଙ୍କୁ ୧୫ ଲକ୍ଷ ଟଙ୍କା ସହ ପ୍ରଶସ୍ତିପତ୍ର ଓ ଟ୍ରଫି ମିଳିବ।

ନୀରଜଙ୍କ ସହ ୧୧ ଜଣଙ୍କ ନାଁ ସୁପାରିସ
ଖେଳରତ୍ନ ପୁରସ୍କାର ସୁପାରିସ ତାଲିକାରେ ବି ଅଛନ୍ତି ଟୋକିଓ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ଜାଭଲିନ୍ ତାରକା ନୀରଜ ଚୋପ୍ରା। ତାଙ୍କ ସହ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଥିବା କୁସ୍ତିତାରକା ରବି ଦାହିୟା, ଭାରତୀୟ ହକି ଦଳର ଅଭିଜ୍ଞ ଗୋଲ୍‌ରକ୍ଷକ ତଥା ଟୋକିଓ ଅଲିମ୍ପିକ୍ସରେ ଐତିହାସିକ କାଂସ୍ୟ ପଦକ ଜିତିଥିବା ଭାରତୀୟ ହକି ଦଳର ପ୍ରମୁଖ ସଦସ୍ୟ ପିଆର ଶ୍ରୀଜେଶ, ମହିଳା ମୁଷ୍ଟିଯୋଦ୍ଧା ଲଭଲିନା ବର୍ଗୋହାଁ (ଟୋକିଓ ଅଲିମ୍ପିକ୍ସ‌ରେ କାଂସ୍ୟ ପଦକ ବିଜୟିନୀ), ଫୁଟବଲ୍‌ର ସୁନିଲ ଛେତ୍ରୀ, ମହିଳା କ୍ରିକେଟର ମିତାଲି ରାଜ, ଜାଭଲିନ୍ ଖେଳାଳି ସୁମିତ ଆନ୍ତିଲ, ମହିଳା ପାରା ସୁଟର୍‌ ଅବନୀ ଲେଖରା, ପାରା ବ୍ୟାଡମିଣ୍ଟନ୍ ତାରକା କ୍ରିଷ୍ଣା ନଗର, ପାରା ସୁଟର ମନୀଷ ନରୱାଲଙ୍କ ନାଁ ମଧ୍ ଚୂଡ଼ାନ୍ତ କରିଛି ସମିତି। ଅବନୀ, କ୍ରିଷ୍ଣା ଓ ମନୀଷ ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପ୍ରକାଶଯୋଗ୍ୟ ଯେ ଚଳିତବର୍ଷ ବିଭିନ୍ନ ଜାତୀୟ କ୍ରୀଡ଼ା ପୁରସ୍କାର ଲାଗି ରେକର୍ଡ ୬୦୦ରୁ ଅଧିକ ଖେଳାଳି, ପ୍ରଶିକ୍ଷକ ଓ ସଂସ୍ଥା ଆବେଦନ କରିଥିଲେ। ସାଧାରଣତଃ ଜାତୀୟ କ୍ରୀଡ଼ା ପୁରସ୍କାର ଅଗଷ୍ଟ ୨୯ର ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଦାନ କରାଯାଇଥାଏ। ହେଲେ ଚଳିତବର୍ଷ ଟୋକିଓ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ପ୍ରଦର୍ଶନକୁ ବିଚାରକୁ ନେବା ଲାଗି ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ ପ୍ରକ୍ରିୟା ବିଳମ୍ବିତ ହୋଇଛି। ଖେଳରତ୍ନ ପୁରସ୍କାର ଲାଗି ୧୧ଜଣ କ୍ରୀଡ଼ାବିତ୍‌ଙ୍କ ନାଁ ଚୂଡ଼ାନ୍ତ ଦେବା ମଧ୍ୟ ପ୍ରଥମ ଘଟଣା। ପୂର୍ବରୁ ସର୍ବାଧିକ ୫ଜଣ ଖେଳାଳିଙ୍କୁ ଗୋଟିଏ ବର୍ଷରେ ଏକତ୍ର ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା।

୩୫ ଜଣଙ୍କୁ ଅର୍ଜୁନ ପୁରସ୍କାର
ଏ ବର୍ଷ ମଧ୍ୟ ଜାତୀୟ କ୍ରୀଡ଼ା‌ ପୁରସ୍କାର ଚୟନସମିତି ୩୫ଜଣ ଖେଳାଳିଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ଲାଗି ବାଛିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଯୋ‌ଗେଶ କାଥୁନିଆ (ଡିସକସ୍), ନିଶଦ କୁମାର (ଉଚ୍ଚଡିଆଁ), ପ୍ରବୀଣ କୁମାର (ଉଚ୍ଚଡିଆଁ), ଶରଦ କୁମାର (ଉଚ୍ଚଡିଆଁ), ସୁହାସ ଏଲ୍‌ୱାଇ (ବ୍ୟାଡମିଣ୍ଟନ୍), ସିଙ୍ଗରାଜ ଅଧାନା (ବନ୍ଧୁକ ଚାଳନା), ଭାବିନା ପଟେଲ (ଟେବୁଲ ଟେନିସ୍), ହରବୀନ୍ଦର ସିଂହ (ତୀରନ୍ଦାଜି), ଶିଖର ଧାୱନ। ସେହିଭଳି ଟୋକିଓରେ ଐତିହାସିକ କାଂସ୍ୟ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳର ସମସ୍ତ ସଦସ୍ୟଙ୍କ ନାଁ ମଧ୍ୟ ଅର୍ଜୁନ ପୁରସ୍କାର ଲାଗି ସମିତି ସୁପାରିସ କରିଛି। ତେବେ ପୂର୍ବରୁ ଅର୍ଜୁନ ପୁରସ୍କାର ପାଇସାରିଥିବା ଅଧିନାୟକ ମନପ୍ରୀତ ସିଂହ ଏବଂ ଗୋଲ୍ ରକ୍ଷକ ପିଆର ଶ୍ରୀଜେଶ ଏହି ତାଲିକାରେ ରହିବେ ନାହିଁ।

ମୋଦିଙ୍କ ଟ୍ବିଟ୍‌ ପାଇଁ ବଦଳିଥିଲା ଖେଳରତ୍ନ ପୁରସ୍କାର ନାଁ
ଭାରତୀୟ ପୁରୁଷ ହକି ଦଳ ଟୋକିଓରେ ଐତିହାସିକ କାଂସ୍ୟ ପଦକ ଜିତିବାର ଠିକ୍ ପରେ ପରେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧୀ ଖେଳରତ୍ନ’ର ନାଁକୁ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ନାଁରେ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ’ ପୁରସ୍କାରରେ ବଦଳାଇ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଏହି ଘୋଷଣା କରିଥିଲେ। ଏଥିନେଇ ବିବାଦ ହେବା ପରେ କିନ୍ତୁ ସାଧାରଣ ଲୋକଙ୍କ ଅନୁରୋଧ ଓ ଇଚ୍ଛାକୁ ସମ୍ମାନଜଣାଇ ଏଭଳି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଇଥିଲା। ଏବେ କିନ୍ତୁ ଏଥିନେଇ ଭିନ୍ନ ତଥ୍ୟ ପଦାକୁ ଆସିଛି। ଖେଳରତ୍ନ ପୁରସ୍କାରର ନାଁ ବଦଳାଇବା ଲାଗି ହୋଇଥିବା ଅନୁରୋଧ ନେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରାଳୟ କୌଣସି ତଥ୍ୟ ଦେଇପାରି ନାହିଁ। ଏକ ଆରଟିଆଇ ଆବେଦନର ଉତ୍ତର ରଖି ଏଥିନେଇ କୌଣସି ନଥିପତ୍ର ଦେବାକୁ ମନ୍ତ୍ରାଳୟ ଅକ୍ଷମତା‌ ପ୍ରକାଶ ‌କରିଛି। ତା ସହ ନାଁ ବଦଳାଇବା ନେଇ ବିଭିନ୍ନ ସତ୍ବାଧିକାରୀଙ୍କ ସହ ମନ୍ତ୍ରାଳୟ କୌଣସି ଆଲୋଚନା କରି ନଥିବା ଜଣାପଡ଼ିଛି। ବରଂ ମୋଦିଙ୍କ ଟ୍ବିଟ୍ ପ୍ରଥମେ ଆସିଥିଲା, ନାଁ ପରେ ବଦଳିଥିଲା ବୋଲି ଏବେ ସମାଲୋଚକମାନେ ଦାବି କରୁଛନ୍ତି।