ଜାତୀୟ ସନ୍ତରଣର ବରିଷ୍ଠ ବର୍ଗରେ ଓଡ଼ିଶାକୁ ସର୍ବପ୍ରଥମ ପଦକ, ବ୍ୟାକ୍‌ଷ୍ଟ୍ରୋକ୍‌ରେ ପ୍ରତ୍ୟାଶାଙ୍କୁ କାଂସ୍ୟ

ସମ୍ବଲପୁର: କୌଣସି ଜାତୀୟ ସନ୍ତରଣ ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ଓଡ଼ିଶାକୁ ସର୍ବପ୍ରଥମ ପଦକ ମିଳିଛି। ଓଡ଼ିଶା ପାଇଁ ସନ୍ତରଣରେ ଅନେକ କୃତିତ୍ବ ହାସଲ କରିଥିବା ଯୁବ ତାରକା ପ୍ରତ୍ୟାଶା ରାୟ ପୁଣି ଥରେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ଭାରତୀୟ ସନ୍ତରଣ ମହାସଂଘ ଆନୁକୂଲ୍ୟରେ କର୍ଣ୍ଣାଟକ ରାଜ୍ୟ ସନ୍ତରଣ ସଂଘ ପକ୍ଷରୁ ବାଙ୍ଗାଲୋର୍‌ରେ ଅନୁଷ୍ଠିତ ୩ ଦିନିଆ ଆମନ୍ତ୍ରଣୀୟ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଇ ପ୍ରତ୍ୟାଶା ମହିଳା ୧୦୦ ମିଟର୍‌ ବ୍ୟାକ୍‌ଷ୍ଟ୍ରୋକ୍‌ରେ କାଂସ୍ୟ ପଦକ ଜିତିଛନ୍ତି। ସେ ୧:୧୦.୦୪ ମିନିଟ୍ ସମୟ ନେଇ ଏହି ଗୌରବ ହାସଲ କରିଥିଲେ। ପଶ୍ଚିମବଙ୍ଗର ସୌବ୍ରିତି ମଣ୍ଡଳ (୧:୦୭.୪୧) ସ୍ବର୍ଣ୍ଣ ଏବଂ ମହାରାଷ୍ଟ୍ରର ପଲକ ଯୋଶୀ (୧:୦୮.୯୯) ରୌପ୍ୟ ପଦକ ହାସଲ କରିଥିଲେ। ପ୍ରତ୍ୟାଶା ଏହା ପୂର୍ବରୁ ଓଡ଼ିଶା ପାଇଁ ଉପକନିଷ୍ଠ ଓ କନିଷ୍ଠ ବର୍ଗର ଜାତୀୟ ତଥା ଅନ୍ତର୍ଜାତୀୟ (ସାଫ୍‌) ପ୍ରତିଯୋଗିତାରେ ସ୍ବର୍ଣ୍ଣ ସମେତ ଏକାଧିକ ପଦକ ଜିତିଥିଲେ।

ପ୍ରଥମ ଥର ପାଇଁ ସେ ବରିଷ୍ଠ ବର୍ଗରେ ଓଡ଼ିଶାକୁ ପଦକର ସ୍ବାଦ ଚଖେଇଛନ୍ତି। ତାଙ୍କ ପୂର୍ବରୁ ସମ୍ବଲପୁରର ରଂକନିଧି ସେଠ୍‌ ପ୍ରଥମ ଓଡ଼ିଆ ଭାବେ ଉପକନିଷ୍ଠ ବର୍ଗ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ଏକ କାଂସ୍ୟ ପଦକ ଜିତିଥିଲେ। ଏହାପରେ ସ୍ବର୍ଣ୍ଣ ଓ ରୌପ୍ୟ ଜିତିବାରେ, ଅନ୍ତର୍ଜାତୀୟ ପଦକ ଜିତିବାରେ, ଓଡ଼ିଆ ମହିଳା ଭାବେ ପଦକ ଜିତିବାରେ ତଥା ଏବେ ବରିଷ୍ଠ ବର୍ଗରେ ପଦକ ଜିତିବାରେ ରାଜ୍ୟର ପ୍ରଥମ ଭାବେ ପ୍ରତ୍ୟାଶା ବହୁ କୀର୍ତ୍ତିମାନ ଲାଭ କରିଛନ୍ତି। ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍‌ ସରଗୁଲ୍‌ ନିବାସୀ ପୁଲିସ ଅଧିକାରୀ ରଜତ ରାୟ ଓ ଚାରୁଲତା ବେଉରାଙ୍କ କନ୍ୟା ପ୍ରତ୍ୟାଶାଙ୍କୁ ତାଙ୍କ ସଫଳତା ପାଇଁ ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ଅଭିନନ୍ଦନ ଜଣାଇଛି। ଓଡ଼ିଶା ସନ୍ତରଣ ସଂଘ ତରଫରୁ ଏକମାତ୍ର ଖେଳାଳି ଭାବେ ପ୍ରତ୍ୟାଶା ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର