ଓଡ଼ିଶାରେ ପ୍ରଥମ ଥର ଜାତୀୟ ବରିଷ୍ଠ ଭଲିବଲ୍ ପ୍ରତିଯୋଗିତା

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ଥର ପାଇଁ ଭଲିବଲ୍‌ର ସର୍ବୋଚ୍ଚ ଜାତୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ବର୍ଷ ଡିସେମ୍ବର ୨୫ରୁ ୨୦୨୦ ଜାନୁଆରି ୨ ତାରିଖ ମଧ୍ୟରେ ଏହି ପ୍ରତିଯୋଗିତା କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଭଲିବଲ୍ ମହାସଂଘ (ଭିଏଫଆଇ) ସାଧାରଣ ସମ୍ପାଦକ ରାମଅବତାର ସିଂହ ଝାକଡ଼ ଓଡ଼ିଶା ଭଲିବଲ୍ ସଂଘ (ଓଭା)କୁ ପତ୍ର ମାଧ୍ୟମରେ ଜଣାଇ ଦେଇଛନ୍ତି। ପ୍ରକାଶିତ ୨୦୧୯-୨୦ ଜାତୀୟ କ୍ୟାଲେଣ୍ଡରରେ ମଧ୍ୟ ଅନ୍ୟ ଦୁଇ ଜାତୀୟ ପ୍ରତିଯୋଗିତା ଏହା ପରେ ପରେ ଖେଳାଯିବ ବୋଲି ଚୂଡାନ୍ତ ହୋଇଛି। ୨୦୨୦ ଫେବ୍ରୁଆରି ୪ରୁ ୯ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର କଡ଼ାପ୍ପାରେ ୪୬ତମ ଜାତୀୟ କନିଷ୍ଠ ଭଲିବଲ୍ (ବାଳିକ ଓ ବାଳିକା) ଏବଂ ସେହିମାସ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଚିତ୍ତୋରଗଡ଼ରେ ୩୩ତମ ଫେଡେରେସନ୍‌ କପ୍‌ (ପୁରୁଷ ଓ ମହିଳା) ଖେଳାଯିବ। ଏହା ବ୍ୟତୀତ ଏସୀୟ ବିଚ୍‌ ଭଲିବଲ୍‌ କଣ୍ଟିନେଣ୍ଟାଲ କପ୍‌ ବିଶାଖାପାଟଣାରେ ଚଳିତ ବର୍ଷ ଡିସେମ୍ବର ୧୬ରୁ ୧୮ ତାରିଖ ମଧ୍ୟରେ ଖେଳାଯିବ ବୋଲି ଏହି କ୍ୟାଲେଣ୍ଡରରୁ ସୂଚନା ମିଳିଛି। ୨୨ତମ ଜାତୀୟ ଯୁବ, ୪୨ତମ ଜାତୀୟ ଉପକନିଷ୍ଠ ଏବଂ ୨୮ତମ ଜାତୀୟ ମିନି ଭଲିବଲ୍ ପ୍ରତିଯୋଗିତାର ତାରିଖ ଖୁବ୍ ଶୀଘ୍ର ଚୂଡାନ୍ତ ହେବ ବୋଲି ମଧ୍ୟ ସୂଚନା ଦିଆଯାଇଛି। ଓଡ଼ିଶାରେ ପୂର୍ବରୁ ମାତ୍ର ୨ ଥର ବୟସ ବର୍ଗ ପ୍ରତିଯୋଗିତା ହୋଇଥିଲା। ୨୦୦୯ରେ ଜାତୀୟ କନିଷ୍ଠ ଏବଂ ଚଳିତ ବର୍ଷ ଫେବ୍ରୁରିଆରେ କିଟ୍‌ରେ ଜାତୀୟ ଉପ କନିଷ୍ଠ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଓଡ଼ିଶାକୁ ପ୍ରଥମ ଥର ଜାତୀୟ ବରିଷ୍ଠ ବର୍ଗର ଭଲିବଲ୍ ପ୍ରତିଯୋଗିତାର ଆୟୋଜନ ଅଧିକାର ମିଳିଥିବାରୁ ଭିଏଫ୍‌ଆଇ ଏବଂ କିଟ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ଓଡ଼ିଶା ଭଲିବଲ୍‌ ସଂଘ ସମ୍ପାଦକ ଡକ୍ଟର ଗଗନେନ୍ଦୁ ଦାଶ। ଏହି ସପ୍ତହବ୍ୟାପୀ ପ୍ରତିଯୋଗିତାରେ ସମସ୍ତ ରାଜ୍ୟ ଓ ବୃତ୍ତିଗତ ସଂସ୍ଥାରୁ ମୋଟ ୭୦ ଦଳ (୩୫ ପୁରୁଷ ଓ ୩୫ ମହିଳା)ର ପ୍ରାୟ ୮୦୦ ଖେଳାଳି ଭାଗନେବେ ବୋଲି ଡକ୍ଟର ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର