ଓଡ଼ିଶାକୁ ପ୍ରଥମ ଜାତୀୟ ମହିଳା ହକି ଟ୍ରଫି

ଜାତୀୟ ବାଳିକା ହକିରୁ ଓଡ଼ିଶା ବିଦା

ଭୁବନେଶ୍ବର: ମଧ୍ୟପ୍ରଦେଶର ଭୋପାଳରେ ଆୟୋଜିତ ଦ୍ବାଦଶତମ ଜାତୀୟ ମହିଳା ହକି ପ୍ରତିଯୋଗିତାରେ ଓଡ଼ିଶା ବିଜେତା ହୋଇଛି। ମଙ୍ଗଳବାର ଫାଇନାଲ୍‌ରେ ଓଡ଼ିଶା ୨-୦ ଗୋଲ୍‌ରେ କର୍ଣ୍ଣାଟକକୁ ପରାସ୍ତ କରିଥିଲା। କଡ଼ା ସଂଘର୍ଷପୂର୍ଣ୍ଣ ୪୪ ଡିଗ୍ରି ତାପମାତ୍ରର ଭୀଷଣ ଗରମ ଓ ଗୁଳୁଗୁଳି ଭିତରେ ଖେଳାଯାଇଥିବା ଏହି ଫାଇନାଲ୍‌ର ପ୍ରଥମ ଦୁଇ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ତୃ୍ତୀୟ କ୍ବାର୍ଟରରେ ପୁନମ ବାର୍ଲା (୩୪ ମିନିଟ୍‌)ଙ୍କ ଗୋଲ୍‌ରେ ଓଡ଼ିଶା ଆଗୁଆ ହୋଇଥିଲା। ଚତୁର୍ଥ ତଥା ଶେଷ କ୍ବାର୍ଟରରେ ଅସିମ କାଞ୍ଚନ ବାର୍ଲା (୫୯ ମିନିଟ୍‌) ଦ୍ବିତୀୟ ଗୋଲ୍‌ ସ୍କୋର୍‌ କରି ଓଡ଼ିଶାକୁ ବିଜୟ ଭେଟି ଦେଇଥିଲେ। ଓଡ଼ିଶା ମହିଳା ଦଳର ଏହା ପ୍ରଥମ ଜାତୀୟ ଟ୍ରଫି। ସେମିଫାଇନାଲ୍‌ରେ ଝାଡ଼ଖଣ୍ଡକୁ ଓ କ୍ବାର୍ଟର ଫାଇନାଲ୍‌ରେ ମଧ୍ୟପ୍ରଦେଶକୁ ହରାଇ ଓଡ଼ିଶା ଫାଇନାଲ୍‌ରେ ପହଞ୍ଚିଥିଲା।

‘‘ଆମେ କର୍ଣ୍ଣାଟକକୁ ହାଲ୍‌କା ଭାବେ ନେଇ ନଥିଲୁ। ତଥାପି ଆମେ ଦୁଇଟି ସୁଯୋଗ ହରାଇଥିଲୁ। ଆମେ ଭଲ ଖେଳୁଥିଲୁ, ବଲ୍‌କୁ ସର୍ବଦା ପାଖରେ ରଖିବା ଯୋଜନା ସହ ପଡ଼ିଆକୁ ଓହ୍ଲାଇଥିଲୁ। ତୃତୀୟ କ୍ବାର୍ଟରରେ ଗୋଲ୍‌ ଦେଇ ପ୍ରତିପକ୍ଷକୁ ଚାପରେ ରଖିଥିଲୁ ଏବଂ ବିଳମ୍ବିତ ଗୋଲ୍‌ରେ ମ୍ୟାଚ୍‌ ଶେଷ କରିଥିଲୁ’’ ବୋଲି ବିଜୟ ପରେ ଉଲ୍ଲସିତ ଓଡ଼ିଶା ଦଳର ମୁଖ୍ୟ ପ୍ରଶିକ୍ଷକ ଏଗର ଯୋଶେଫ ମାସ୍କେରେନହାସ୍ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ ସମୟରେ ଦଳକୁ ଏକାଠି ରଖିବା ଲାଗି ସେ ବରିଷ୍ଠ ଖେଳାଳିମାନଙ୍କୁ ଶ୍ରେୟ ଦେଇଥିଲେ। ‘‘ସକାରାତ୍ମକ ଭାବନା‌ ନେଇ ଏହି ପ୍ରତିଯୋଗିତାରେ ଭାଗନେବାକୁ ଆସିଥିଲୁ। ଓଡ଼ିଶାରେ ପ୍ରବଳ ଗରମ ସତ୍ତ୍ବେ ଦିନକୁ ଦୁଇଥର କଠିନ ଅଭ୍ୟାସ କରିଥିଲୁ। ପୂରା ପ୍ରତିଯୋଗିତାରେ ଆମେ ଆମର ଶକ୍ତି ଅନୁଯାୟୀ ଖେଳିଥିଲୁ।

ବରିଷ୍ଠ ଖେଳାଳିମାନେ ଦଳକୁ ଏକାଠି ରଖିଥିଲା ବେଳେ ଗୋଲ୍‌ରକ୍ଷକ ମଧ୍ୟ ଚମତ୍କାର ଖେଳିଥିଲେ’’ ବୋଲି ପ୍ରଶିକ୍ଷକ ଏଡଗାର ମାସ୍କେରେନହାସ୍ ଓଡ଼ିଶାର ଏହି ଐତିହାସିକ ବିଜୟରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି। ସୂଚନାଯୋଗ୍ୟ ଯେ ଲୁସିଲା ଏକ୍କା ଓଡ଼ିଶା ଦଳର ପ୍ରବନ୍ଧକ ଥିଲା ବେଳେ ସୋଭେନ୍ କୁମାର ଫିଜିଓ ତଥା ସହାକରୀ ପ୍ରବନ୍ଧକ ଥିଲେ। ଭୂମିକା ଫିଟାନେସ୍ ଟ୍ରେନର ଦାୟିତ୍ବ ତୁଲାଇଥିଲେ। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଝାଡ଼ଖଣ୍ଡ ୩-୨ରେ ହରିୟାଣାକୁ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିଥିଲା। ଝାଡ଼ଖଣ୍ଡ ପକ୍ଷରୁ ଦୀପ୍ତି ଟପ୍ପୋ (୨୮ ମିନିଟ୍‌), ଅଲ୍‌ବେଲା ରାଣୀ ‌ଟପ୍ପୋ (୪୦ ମିନିଟ୍‌) ଓ ବେତାନ ଡୁଙ୍ଗଡୁଙ୍ଗ (୪୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରଥିଲେ। ହରିୟାଣା ପକ୍ଷରୁ ଅମନଦୀପ କୌର (୫୫ ମିନିଟ୍‌) ଓ ଭାରତୀ ସାରୋହା (୫୬ ମିନିଟ୍‌) ‌ଗୋଟିଏ ଲେଖାଏଁ ଗୋଲ୍‌ ଶୁଝିଥିଲେ।

ଓଡ଼ିଶା ଦଳ
ଅସୀମା ମିଞ୍ଜ୍, ପୁନମ ବାର୍ଲା, ଅସ୍ମିତା ବାର୍ଲା (ଅଧିନାୟିକା), ଭାରତୀ ଏକ୍କା, ଲକ୍ଷ୍ମୀ ଏକ୍କା, ପ୍ରମିତା ବାରା, ରୋଜିତା କୁଜୁର, ଅସିମ କାଞ୍ଚନ ବାର୍ଲା, ଦୀପ୍ତି ଲାକ୍ରା, ଲିଲିମା ମିଞ୍ଜ୍, ବିମଳା ବାରୱା, ନେହା ଲାକ୍ରା, ଜାହ୍ନବୀ ପ୍ରଧାନ, ରାହିଲ ତିର୍କି, ଖୁସ୍‌ବୁ କୁଜୁର, କୁମୁଦିନୀ ଲାକ୍ରା (ଗୋଲ୍‌ରକ୍ଷକ), ସନିତା ଲାକ୍ରା, ପ୍ରେମାଞ୍ଜଳି ଟପ୍ପୋ।

ଜାତୀୟ ବାଳିକା ହକିରୁ ଓଡ଼ିଶା ବିଦା

ଭୁବନେଶ୍ବର: ମଣିପୁରର ଇମ୍ଫାଲରେ ଚାଲିଥିବା ଦ୍ବାଦଶ ଜାତୀୟ ବାଳିକା (ଉପକନିଷ୍ଠ) ହକିରେ ଓଡ଼ିଶା ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ଗ୍ରୁପ୍‌-ଡି’ର ପ୍ରଥମ ମ୍ୟାଚ୍‌ରେ ଉତ୍ତରାଖଣ୍ଡକୁ ହରାଇଥିବା ଓଡ଼ିଶା ମଙ୍ଗଳବାର ଶେଷ ମ୍ୟାଚ୍‌ରେ ମଧ୍ୟପ୍ରଦେଶଠୁ ୦-୧ ଗୋଲ୍‌ରେ ପରାସ୍ତ ହୋଇଥିଲା। ଫଳରେ ଏହି ଗ୍ରୁ୍ପ୍‌ର ଶୀର୍ଷ ଦଳ ଭାବେ ମଧ୍ୟପ୍ରଦେଶ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲା ବେଳେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହି ବିଦାୟ ନେଇଛି।

ସମ୍ବନ୍ଧିତ ଖବର