ସେମିଳିଗୁଡା ସୁନାବେଡା: ଓଡ଼ିଶାରେ ପ୍ରଥମ କୃତ୍ରିମ ଟର୍ଫ ଫୁଟ୍ବଲ୍ ଗ୍ରାଉଣ୍ଡ ସୁନାବେଡ଼ାସ୍ଥିତ ସାଇ-ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) କେନ୍ଦ୍ରଠାରେ ରବିବାର ଉଦ୍ଘାଟିତ ହୋଇଛି। ଏହାକୁ ଭାରତୀୟ ଫୁଟ୍ବଲ୍ ଦଳର ପୂର୍ବତନ ଅଧିନାୟିକା ତଥା ରାଜ୍ୟ ଦଳର ମୁଖ୍ୟ ପ୍ରଶିକ୍ଷିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ହାଲ୍ କୋରାପୁଟ ଡିଭିଜନର କାର୍ଯ୍ୟନିର୍ବହୀ ନିର୍ଦେଶକ ପ୍ରମୋଦ କୁମାର, ମହାପ୍ରବନ୍ଧକ (ଇଂଜିନ୍ ଡିଭିଜନ) ରାମ ପ୍ରସାଦ ଚକ୍ରବର୍ତ୍ତୀ ଯୋଗଦେଇଥିଲେ। ହାଲ୍ ବରିଷ୍ଠ ଅଧିକାରୀଗଣ, ହାଲ୍ ସ୍ବୀକୃତି ପ୍ରାପ୍ତ କର୍ମଚାରୀ ସଂଘର କର୍ମକର୍ତ୍ତା, ହାଲ୍ ଅଫିସର ସଂଘର ପ୍ରତିନିଧି, ହାଲ୍ ଏସ୍ସିଏସ୍ଟି କର୍ମଚାରୀ ଓ ଅଫିସର ସଂଘର କର୍ମକର୍ତ୍ତାଙ୍କ ସମେତ ନାଲକୋ ମାନବ ସମ୍ବଳ ବିଭାଗର ମହାପ୍ରବନ୍ଧକ, କୋବ୍ରା ବାଟାଲିୟନର କମାଣ୍ଡାଣ୍ଟ ଏ ବ୍ରୁନୋ ପ୍ରମୁଖ ଉପସ୍ଥିତ ଥିଲେ। ହାଲ୍ ମାନବ ସମ୍ବଳ ବିଭାଗ ଅତିରିକ୍ତ ମହାପ୍ରବନ୍ଧକ କେ ଅଶୋକନ୍ ସ୍ବାଗତ ଭାଷଣ ଦେଇଥିଲେ।
ଏହି ଟର୍ଫ ଗ୍ରାଉଣ୍ଡ ଭାରତୀୟ କ୍ରୀଡ଼ା ପ୍ରାଧିକାରଣ (ସାଇ) ସହଯୋଗରେ ନିର୍ମାଣ କରାଯାଇଛି। ଏଥିରେ ପ୍ରାୟ ୨.୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସୂଚନାଯୋଗ୍ୟ ଯେ ହାଲ୍ସ୍ଥିତ କ୍ରୀଡ଼ା ଆବାଶିକ ପ୍ରଶିକ୍ଷଣ କେନ୍ଦ୍ରରେ ଖେଳାଳିମାନେ ରହି ତୀରନ୍ଦାଜି, ଫୁଟ୍ବଲ୍ ଓ ଦୌଡ଼କୁଦର ପ୍ରଶିକ୍ଷଣ ନେଉଛନ୍ତି। କେନ୍ଦ୍ରର ସମସ୍ତ ଖର୍ଚ୍ଚ ହାଲ୍ କୋରାପୁଟ ଡିଭିଜନର କର୍ପୋରେଟ୍ ସମାଜିକ ଦାୟିତ୍ବ (ସିଏସ୍ଆର୍) ପାଣ୍ଠିରୁ କରାଯାଉଛି। ୨୦୧୦ରେ ପ୍ରତିଷ୍ଠା ହୋଇଥିବା ଏହି କେନ୍ଦ୍ରରେ ସଂପ୍ରତି ୫୨ ପ୍ରଶିକ୍ଷାର୍ଥୀ ରହିଛନ୍ତି।