ରାଉରକେଲା : ଉପକନିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତାରେ ଓଡ଼ିଶା ଦଳ ବିଜୟଧାରା ଜାରି ରଖିଛି। ପ୍ରଥମ ମ୍ୟାଚ୍‌ରେ କେରଳକୁ ୨୦-୦ ଗୋଲ୍‌ରେ ପରାସ୍ତ କରିଥିବା ଓଡ଼ିଶା ଶନିବାର ବିନତି ମିଞ୍ଜ୍‌ଙ୍କ ହ୍ୟାଟ୍ରିକ୍‌ ବଳରେ ରାଜସ୍ଥାନକୁ ୯-୦ ଗୋଲ୍‌ରେ ପରାସ୍ତ କରିଛି। ଏଥି ସହିତ ପଏଣ୍ଟ୍‌ ଟେବଲ୍‌ ଶୀର୍ଷରେ ରହିଛି। ଓଡ଼ିଶା ପକ୍ଷରୁ କରୁଣା ମିଞ୍ଜ ପ୍ରଥମ ମିନିଟ୍‌ରେ ଗୋଲ୍‌ ଅଭିଯାନ ଆରମ୍ଭ କରିବା ପରେ ବିନତି ମିଞ୍ଜଙ୍କ ହ୍ୟାଟ୍ରିକ୍‌ (୨୭, ୨୮, ୪୮ ମିନିଟ୍‌) ନେଇଥି‌ଲେ। ଅମୀଷା ଏକ୍କା (୩୮), ଜାହ୍ନବୀ ବାଡ଼ା (୧୩), ଡଲି ଭୋଇ (୬), ତନୁଜା ଟପ୍ପୋ (୫) ଓ ଜ୍ୟୋତି ଖାଖା (୪୨) ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ିଥିଲେ।

Advertisment

ଶନିବାର ଅନ୍ୟ ମ୍ୟାଚ୍‌ରେ ହରିୟାଣା ଗୋଲ୍‌ ବର୍ଷା କରି ତ୍ରିପୁରାକୁ ୩୨-୦ରେ ପରାସ୍ତ କରିଥିଲା। ଶଶୀ ଖାସା ୧୦, ରବିନା ୫, ଖୁସୀ ୪, ସୀମା ୩, ଅଞ୍ଜଳି, ପ୍ରିୟଙ୍କା ଓ ପୂଜା ୨ ଲେଖାଏଁ ଗୋଲ୍‌ କରି ବଡ଼ ବ୍ୟବଧାନ ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ। ସେହିପରି ଝାଡ଼ଖଣ୍ଡ ୪-୦ରେ ଉତ୍ତରାଖଣ୍ଡକୁ, ଉତ୍ତରପ୍ରଦେଶ ୧୨-୦ରେ ଦିଲ୍ଲୀକୁ, ହିମାଚଳପ୍ରଦେଶ ୪-୦ରେ ଆସାମକୁ ଏବଂ ମିଜୋରାମ ୪-୨ ଗୋଲ୍‌ରେ କେରଳକୁ ପରାସ୍ତ କରିଥିଲା।