ଓଡ଼ିଶା ସୃଷ୍ଟି କରିବ ଅଲିମ୍ପିକ୍‌ସ ସ୍ବର୍ଣ୍ଣ ବିଜେତା

ଭୁବନେଶ୍ବର: ଅଲିମ୍ପିକ୍‌ସ ଇତିହାସରେ ଓଡ଼ିଶାରୁ ବହୁ କ୍ରୀଡ଼ାବିତ୍ ଭାଗ ନେଇଥିଲେ ହେଁ ଆଜି ପର୍ଯ୍ୟନ୍ତ ପଦକ ଜିତି ପାରିନାହାନ୍ତି। ଓଡ଼ିଆ କ୍ରୀଡ଼ାବିତ୍ ଯେପରି ଅଲିମ୍ପିକ୍‌ସ ପଦକ ଜିତିବେ ସେଥିପାଇଁ ଆଜି ରାଜ୍ୟ ସରକାର ଭିତ୍ତିଭୂମି ପକାଇଛନ୍ତି। ଅଲିମ୍ପିକ୍‌ସରେ ଓଡ଼ିଆ ରୌପ୍ୟ କି ବ୍ରୋଞ୍ଜ ପଦକ ନୁହେଁ ସ୍ବର୍ଣ୍ଣ ପଦକ ଜିତିବେ ସେନେଇ ସେମାନଙ୍କୁ ପ୍ରଶିକ୍ଷଣ ଦେବା ସହ ପ୍ରସ୍ତୁତ କରିବାକୁ ଆଜି ରାଜ୍ୟ ସରକାର ବିଭିନ୍ନ ଶିଳ୍ପ ସଂସ୍ଥା ସହ ଏମ୍ଓୟୁ ସ୍ବାକ୍ଷର କରିଛନ୍ତି।
ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି କରିବା ଏବଂ ପ୍ରତିଭାଶାଳୀ କ୍ରୀଡ଼ାବିତ୍‌ଙ୍କୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ସହ ୧୦ଟି ସଂସ୍ଥା ଏମ୍ଓୟୁ ସ୍ବାକ୍ଷର କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି ଏମ୍ଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଥିଲେ ଏଣିକି ଓଡ଼ିଶାରୁ ଅଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକ ବିଜେତା ସୃଷ୍ଟି ହେବେ। ଯାହାକୁ ନେଇ ସାରା ଦେଶ ଗର୍ବ ଅନୁଭବ କରିବ।
ଏମ୍ଓୟୁ ସ୍ବାକ୍ଷର ପରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଦର୍ଶକଙ୍କୁ ସମ୍ବୋଧନ କରି କହିଥିଲେ ‘ଖେଳ ଓଡ଼ିଶାରେ ବହୁ ଭଲ ହୋଇଗଲା’। ଆପଣମାନେ ଖୁସି ତ। ଦର୍ଶକ ଗ୍ୟାଲେରିରୁ ଉତ୍ତର ଆସିଥିଲା ହଁ..। ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ବି ବହୁତ ଖୁସି। ଧନ୍ୟବାଦ।
ଏହି କାର୍ଯ୍ୟକ୍ରମରେ ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ୍‌ର ସଭାପତି ନରିନ୍ଦର ଧ୍ରୁବ ବାତ୍ରା କହିଥିଲେ ଯେ, ଭାରତର ରାଜଧାନୀ ନୂଆଦିଲ୍ଲୀ, ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ । ଏବେ ଭୁବନେଶ୍ବର ଭାରତର କ୍ରୀଡ଼ା ରାଜଧାନୀ ପାଲଟିଯାଇଛି। ଆଜିର କାର୍ଯ୍ୟକ୍ରମ କ୍ରୀଡ଼ା ଜଗତରେ ଏକ ନୂଆ ଆରମ୍ଭ। ସରକାର ଓ ବେସରକାରୀ ସଂସ୍ଥା ମିଶି କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରିବା ଠାରୁ ଭଲ ଆଉ କିଛି ନାହିଁ।
କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ସ୍ବାଗତ ଭାଷଣ ଦେଇ କହିଲେ ଯେଉଁ ସଂସ୍ଥାଗୁଡ଼ିକର ସହଯୋଗ ପାଇଁ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଦେଶରେ ଏକନମ୍ବର ରାଜ୍ୟ ହେବାକୁ ଯାଉଛି ସେମାନଙ୍କୁ ଓଡ଼ିଶାବାସୀ ସବୁଦିନ ପାଇଁ ମନେ ରଖିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଆର୍‌.ବାଲକ୍ରିଷ୍ଣନ୍‌, କ୍ରୀଡ଼ା ନିର୍ଦ୍ଦେଶକ ଭିନୀଲ କ୍ରିଷ୍ଣା, କ୍ରିକେଟର ଅନିଲ କୁମ୍ବଲେ, ସୁଟର୍ ଗଗନ ନାରଙ୍ଗ, ବ୍ୟାଡମିଣ୍ଟନ୍ ‌‌େଖଳାଳି ପୁଲେଲା ଗୋପୀଚାନ୍ଦ, ରଗ୍‌ବି ଇଣ୍ଡିଆର ବୋର୍ଡ ମେମ୍ବର ରାହୁଲ ବୋଷ୍‌, ଡାଲମିଆ ଭାରତର ପରିଚାଳନା ନିର୍ଦ୍ଦେଶକ ପୁନିତ୍ ଡାଲମିଆ, ଏଆଇଏଫ୍‌ଏଫ୍‌ର ସାଧାରଣ ସମ୍ପାଦକ କୁଶାଲ ଦାସ, ଜାଭିୟର-ଏମଲିୟନ ବିଜିନେସ୍ ସ୍କୁଲର ଅଧ୍ୟକ୍ଷ ଆସ୍‌ଲେ ଫର୍ଣ୍ଣାଣ୍ଡିଜ୍, ରିଲାଏନ୍ସ ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ଜଲାଜ ଦାନି,ଟାଟା ଟ୍ରଷ୍ଟ୍‌ସର ସିଓଓ ହରିଶ କ୍ରିଷ୍ଣାସ୍ବାମୀ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସତିଶ୍ ପାଇ,କେଜେଏସ୍ ଆଲୁୱାଲିଆ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ଆଲୁୱାଲିଆ, ରୁଙ୍ଗଟା ମାଇନ୍ସ ଲିମିଟେଡର ଅଧ୍ୟକ୍ଷ ନନ୍ଦ ଲାଲ ରୁଙ୍ଗ୍‌ଟା, ଅଭିନବ ଫ୍ୟୁଚରିଷ୍ଟିକ୍‌ସ ନିର୍ଦ୍ଦେଶକ ଦିଗପାଲ୍‌ ସିଂହ ରଣାୱତ୍, ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ପ୍ରମୁଖ ଉପସ୍ଥିତ ଥିଲେ। ‌େଶଷରେ କ୍ରୀଡ଼ା ସଚିବ ବିଶାଲ ଦେବ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର