ମୋଟୋ ସର୍କିଟ୍‌ରେ ଓଡ଼ିଆ ପୁଅଙ୍କ ପରାକ୍ରମ:ବିଶ୍ୱ ପ୍ରତିଯୋଗିତା ଉପରେ ଉଦୀପ୍ତଙ୍କ ନଜର

ଭୁବନେଶ୍ୱର(ଦେବାଶିଷ ସୁନ୍ଦରାୟ): ଭୁବନରୁ ଆସି ଭୁବନେଶ୍ୱର ରାଜରାସ୍ତାରେ ଷ୍ଟଣ୍ଟ ଏବଂ ତା ପରେ ମାଲେସିଆର ପ୍ରସିଦ୍ଧ ସେପଙ୍ଗ ସର୍କିଟ୍‌, ତିନି ବର୍ଷର ପେସାଦାର ମୋଟରସାଇକେଲ୍‌ ରେସର ଜୀବନ ଭିତରେ ଅନେକ ସଫଳତା ସାଉଣ୍ଟିଛନ୍ତି ଓଡ଼ିଆ ପୁଅ ଉଦୀପ୍ତ କୁମାର ରଥ। ମୋଟରସାଇକେଲ୍‌ ରେସିଂ ଭଳି ବିପଜ୍ଜନକ ତଥା ବ୍ୟୟବହୁଳ ଖେଳକୁ ପେସା କରିବାର ସାହସ ଦେଖାଇଥିବା ୨୫ ବର୍ଷୀୟ ଉଦୀପ୍ତ ଅନ୍ତଃଦେଶୀୟ ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରିବା ପରେ ଏବେ ଅନ୍ତଃ ମହାଦେଶୀୟ ତଥା ବିଶ୍ୱ ପ୍ରତିଯୋଗିତା ଉପରେ ଆଖି ପକାଇଛନ୍ତି। ଆଉ ତିନି ଚାରି ବର୍ଷ ଭିତରେ ବିଶ୍ୱସ୍ତରକୁ ଯିବାକୁ ସେ ଲକ୍ଷ୍ୟ ରଖିଛନ୍ତି।
ବିଶ୍ୱ ପ୍ରତିଯୋଗିତା ପଥ କିନ୍ତୁ ଆଦୌ ସହଜ ନୁହେଁ। ଏଥିଲାଗି ଦରକାର ନିୟମିତ ପ୍ରଶିକ୍ଷଣ ଏବଂ ପ୍ରାୟୋଜକ। ସେଥିପାଇଁ ଉଦୀପ୍ତ ଚେନ୍ନାଇକୁ ନିଜ କର୍ମଭୂମି ଭାବେ ବାଛିଛନ୍ତି। ଚେନ୍ନାଇରେ ମୋଟର ସ୍ପୋର୍ଟସ ପାଇଁ ଆବଶ୍ୟକ ଆଧୁନିକ ଭିତ୍ତିିଭୂମି ଥିଲା ବେଳେ ସେଠାରେ ଊନ୍ନତ ପ୍ରଶିକ୍ଷଣର ବ୍ୟବସ୍ଥା ବି ରହିଛି। ହେଲେ ଏହି ଅଣପାରମ୍ପରିକ ଖେଳରେ ପ୍ରଶିକ୍ଷଣ ନେବା ଏବଂ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ ଲାଗି ମୋଟା ଅଙ୍କର ଦରକାର ରହିଛି। ଯାହା ତାଙ୍କୁ ଚିନ୍ତାରେ ପକାଇଛି। ହେଲେ ଅର୍ଥ କେବେ ବି ପ୍ରତିଭା ଆଗରେ ପ୍ରତିବନ୍ଧକ ହେବ ନାହିଁ ବୋଲି ସେ ଆଶା ରଖିଛନ୍ତି।
ମଧ୍ୟବିତ୍ତ ପରିବାରରୁ ଆସିଥିବା ଉଦୀପ୍ତଙ୍କୁ ଏବେ ଜ୍ୟୋତି ଗ୍ରୁପ୍‌, ମିଲ୍‌କି ମୁ ଏବଂ ମୋଟୋଜିଲ୍‌ କଂପାନି କିଛି କିଛି ଆର୍ଥିକ ସହାୟତା ଦେଉଛନ୍ତି। ଏହି ତିନି କଂପାନି ତାଙ୍କର ପ୍ରାୟୋଜକ ଅଛନ୍ତି। ହେଲେ ଆଗକୁ ଅର୍ଥର ଆବଶ୍ୟକ ଥିବାରୁ ରାଜ୍ୟର ଅନ୍ୟ କଂପାନିମାନେ ମଧ୍ୟ ମୋଟର ସ୍ପୋର୍ଟସ ପ୍ରାୟୋଜକ ଭାବେ ଆଗେଇ ଆସିବାକୁ ସେ ଆହ୍ଵାନ କରିଛନ୍ତି।
ମୋଟରସାଇକେଲ ରେସିଂ ଏବଂ ମୋଟରସାଇକେଲ ଷ୍ଟଣ୍ଟିଂକୁ ମଧ୍ୟ ପେସା କରିହେବ ବୋଲି ଉଦୀପ୍ତ ଦୃଢ଼ତାର ସହ କହିଛନ୍ତି। ଏଥିରେ ମଧ୍ୟ ରୋଜଗାରର ପର୍ଯ୍ୟାପ୍ତ ସୁଯୋଗ ରହିଛି। ମୋଟୋଜିପିର ଶ୍ରେଷ୍ଠ ତାରକା ଭାଲେଣ୍ଟିନୋ ରୁଷି ବର୍ଷକୁ ୧୮୦ କୋଟ ଟଙ୍କା ରୋଜଗାର କରୁଛନ୍ତି। ହେଲେ ତାଙ୍କ ସ୍ତରକୁ ଯିବା ଲାଗି ଏକାଗ୍ରତା ଏବଂ ଅଧ୍ୟବସାୟ ସହ ଶାରିରୀକ ସୁସ୍ଥତାର ଢେର ଗୁରୁତ୍ୱ ରହିଛି। ଆପଣଙ୍କୁ ସବୁବେଳେ ନିଜ ଓଜନ ନିର୍ଧାରିତ ମାନଦଣ୍ଡ ଭିତରେ ରଖିବାକୁ ହୁଏ। ଓଜନ କମ୍‌ ହେଲେ ମଧ୍ୟ ଦେହରେ ଯେମିତି ଶକ୍ତି କମ୍‌ ନ ହୁଏ ତାକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିଥାଏ। ଏଥିଲାଗି ନିୟମିତ ବ୍ୟାୟାମ ସହ ସୁଷମ ଖାଦ୍ୟ ଖାଇବାକୁ ପଡ଼ିଥାଏ ବୋଲି ସଂପ୍ରତି ଭୁବନେଶ୍ୱର ଆସିଥିବା ଉଦୀପ୍ତ କହିଛନ୍ତି।
ମୋଟରସାଇକେଲ୍‌ ରେସିଂ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ଲୋକପ୍ରିୟ। ଓଡ଼ିଶାରେ କିନ୍ତୁ ଏହି ଖେଳ ବହୁ ପଛରେ ରହିଛି। ଏହାକୁ କ୍ରୀଡ଼ାର ମାନ୍ୟତା ମିଳିନି। ସେହିଭଳି ରାଜ୍ୟରେ ଗୋଟିଏ ହେଲେ ବି କ୍ଲୋଜ୍‌ ସର୍କିଟ୍‌ (ମୋଟର ସାଇକେଲ୍‌ ରେସିଂ ପାଇଁ ସ୍ୱତନ୍ତ୍ର ସଡ଼କ) ନାହିଁ। ଅନ୍ୟ ଖେଳ ଭଳି ମୋଟରସ୍ପୋର୍ଟସକୁ ଯଦି ସ୍ୱୀକୃତି ମିଳନ୍ତା ଏବଂ ଓଡ଼ିଶାର କୌଣସି ସ୍ଥାନରେ କ୍ଲୋଜ୍‌ ସର୍କିଟ୍‌ ଟ୍ରାକ୍‌ ନିର୍ମାଣ ହୋଇ ପାରନ୍ତା, ତାହାଲେ ଓଡ଼ିଶା ମଧ୍ୟ ମୋଟର ସ୍ପୋର୍ଟସରେ ଏକ ପରିଚିତ ନାଁ ହୋଇ ପାରନ୍ତା ବୋଲି ଉଦୀପ୍ତ କହିଛନ୍ତି। ମୋଟରସ୍ପୋର୍ଟସ ଆନୁଷ୍ଠାନିକ ଅବସର ବୟସ ୫୫ବର୍ଷ ଥିଲେ ମଧ୍ୟ ୪୦ରୁ ୪୫ ବର୍ଷ ପର୍ଯ୍ୟନ୍ତ ରେସିଂ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।
ବହୁ ବିକଳ୍ପ ଥିଲେ ମଧ୍ୟ ମୋଟରସାଇକେଲ୍‌ ରେସର ହେବାକୁ କାହିଁକି ଚାର୍ହିଲେ ବୋଲି ପ୍ରଶ୍ନ ହେବାରୁ ସେ କହିଥିଲେ ପାଠ ପଢ଼ି ଚାକିରି କରିବା ଜୀବନ ଯିଇଁବାର ସବୁଠାରୁ ସହଜ ଉପାୟ। ଜୀବନକୁ ଉପଭୋଗ କରିବା ଏବଂ ନିଜ ପସନ୍ଦର ପେସାରେ ରହିବା ମାତ୍ର କିଛି ଲୋକଙ୍କ ଭାଗ୍ୟରେ ମିଳେ। ମୁଁ ଏହା କରି ପାରିଥିବାରୁ ବହୁତ ଖୁସି ଲାଗୁଛି। ମୋଟରସ୍ପୋର୍ଟସକୁ ରାଜ୍ୟର ଅଧିକରୁ ଅଧିକ ପିଲା ଆସିବାକୁ ସେ ଆହ୍ଵାନ କରିଛନ୍ତି। ତା’ ସହ ମୋଟରସାଇକେଲ୍‌ ଚଳାଇବା ବେଳେ ଅନ୍ତର୍ଜାତୀୟ ମାନର ସୁରକ୍ଷା ସରଞ୍ଜାମ ପିନ୍ଧିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଯଦିଓ ଦୁର୍ଘଟଣା ମୋଟରସ୍ପୋର୍ଟସର ଏକ ଅଂଶ ବିଶେଷ ଉନ୍ନତମାନର ସୁରକ୍ଷା ସରଞ୍ଜାମ ଦ୍ୱାରା ଶରୀରକୁ ଅକ୍ଷତ କରିହେବ। ପ୍ରତିଯୋଗିତା ପୂର୍ବରୁ ଏଥିଲାଗି ବିମା ବି କରାଯାଇଥାଏ ବୋଲି ଉଦୀପ୍ତ ମତ ରଖିଥିଲେ। ମୋଟରସାଇକେଲ୍‌ ରେସିଂ ସହ ଉଦୀପ୍ତ ବିଭିନ୍ନ ଦୁଃସାହସିକ ମୋଟୋରସାଇକେଲ୍‌ ଅଭିଯାନରେ ଯିବା। ବିଭିନ୍ନ ବାଇକିଂ ମହୋତ୍ସବରେ ଯୋଗଦେବା। ବିଜ୍ଞାପନ ଭିଡିଓ ପ୍ରସ୍ତୁତ କରିବା ଏବଂ ମୋଟୋର ସ୍ପୋର୍ଟସର ଜନସଚେତନା କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦିଅନ୍ତି।
ଢେଙ୍କାନାଳ ଜିଲ୍ଲା ଭୁବନର ମୂଳବାସିନ୍ଦା ତଥା କେନ୍ଦ୍ର ସରକାରଙ୍କ କର୍ମଚାରୀ ଉଦୟ କୁମାର ରଥ ଏବଂ ଶିକ୍ଷୟତ୍ରୀ କ୍ଷମାବତୀ ରଥଙ୍କ ବଡ଼ ପୁଅ ଉଦୀପ୍ତ ମୋଟୋରସ୍ପୋର୍ଟସ ଦୁନିଆରେ ଓଡ଼ିଶାର ନାଁ ଆଗକୁ ନେବାକୁ ଚେଷ୍ଟା ଚଳାଇଛନ୍ତି। ତାଙ୍କ ସାନ ଭାଇ ଦିବ୍ୟସୁନ୍ଦର ରଥ ଆଇଆଇଟି ଖଡଗପୁରରେ ରୋବୋଟିକ୍ସରେ ଗବେଷଣା କରୁଛନ୍ତି। ମା-ବାପାଙ୍କ ସମର୍ଥନ ଏବଂ ସହଯୋଗ ପାଇଁ ସେ ମୋଟରସ୍ପୋର୍ଟସ ଭଳି ବ୍ୟୟବହୁତ ଖେଳକୁ ପେସା କରିବାକୁ ସାହସ କରି ପାରିଛନ୍ତି ।

ସମ୍ବନ୍ଧିତ ଖବର