ଶ୍ରେଷ୍ଠ ଋତୁ ପାଇଁ ଓଏଫ୍‌ସି ଖେଳାଳି ପୁରସ୍କୃତ

ଭୁବନେଶ୍ବର : ଭୁବନେଶ୍ବର ଭିତ୍ତିକ ଫୁଟ୍‌ବଲ୍ ଦଳ ଓଡ଼ିଶା ଫୁଟ୍‌ବଲ୍ କ୍ଲବ୍ (ଓଏଫସି) ସଦ୍ୟ ସମାପ୍ତ ଇଣ୍ଡିଆନ୍ ସୁପର୍ ଲିଗ୍‌ (ଆଇଏସ୍‌ଏଲ୍‌)ରେ ପ୍ରଥମ ଥର ପ୍ଲେ ଅଫ୍‌ ଖେଳି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଆଗକୁ ବଢ଼ିପାରିନଥିଲେ ମଧ୍ୟ ଓଡ଼ିଶା ଏଫସି ପ୍ରତିଥର ଭଳି ଉନ୍ନତ ପ୍ରଦର୍ଶନ କରି ଶେଷ ପର୍ଯ୍ୟନ୍ତ ସୁଯୋଗ କାଏମ ରଖିଥିଲା। ଏଥି ପାଇଁ ଦଳର ପ୍ରମୁଖ ଖେଳାଳିମାନଙ୍କୁ ସୋମବାର ଓଏଫସି ପୁରସ୍କୃତ କରିଛି। ପ୍ରଥମ ଥର ପାଇଁ ଆରମ୍ଭ ‌‌ହୋଇଥିବା ଓଏଫସି କ୍ଲବ୍ ଆୱାର୍ଡସ ଉତ୍ସବରେ ସଭାପତି ରାଜ ଅଥୱାଲ ମୁଖ୍ୟ ପୁରୁଷ ଦଳ ସହ ମହିଳା ଦଳ ଏବଂ କନିଷ୍ଠ ବର୍ଗର ଖେଳାଳିଙ୍କ ଉଲ୍ଲେଖନୀୟ ଯାତ୍ରାକୁ ଉଚ୍ଚ ପ୍ରଶଂସା କରିଥିଲେ। ଦୁଇ ବିଦେଶୀ ଖେଳାଳି ଡିଏଗୋ ମୌରିସିଓ (ଗୋଲଡେନ୍‌ ବୁଟ୍‌ ଓ ପ୍ରଶଂସକଙ୍କ ପସନ୍ଦର ଶ୍ରେଷ୍ଠ) ଏବଂ କାର୍ଲୋସ ଡେଲଗାଡୋ (ଫିଟେଷ୍ଟ୍‌ ପ୍ଲେୟାର୍‌ ଓ ପ୍ଲେୟାର୍‌ ଅଫ୍‌ ଦ ସିଜନ୍‌) ଦୁଇଟି ଲେଖାଏଁ ପୁରସ୍କାର ପାଇଥିଲେ।

ଅନ୍ୟତମ ବିଦେଶୀ ଖେଳାଳି ପେଡ୍ରୋ ମାର୍ଟିନ୍ସ ସିଜନ୍‌ର ଶ୍ରେଷ୍ଠ ଗୋଲ୍‌ ପାଇଁ ସମ୍ମାନିତ ହୋଇଥିଲେ। ପ୍ରଶଂସକଙ୍କ ପସନ୍ଦର ଶ୍ରେଷ୍ଠ ମୁହୂର୍ତ ଗୋଲ୍ ଭାବେ ନନ୍ଦକୁମାର ସେକର (ବନାମ ଚେନ୍ନାଇ ଏଫସି), ପ୍ରଶଂସକଙ୍କ ପସନ୍ଦରେ ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ଇସାକ୍ ରାଲତେ, ଶ୍ରେଷ୍ଠ ଗୋଲରକ୍ଷକ ଭାବେ ଅମରିନ୍ଦର ସିଂହ ଗୋଲଡେନ୍ ଗ୍ଲୋଭ୍‌, ଫ୍ୟାନ୍‌ ଅଫ୍‌ ଦି ଇୟର ଭାବେ କେରଳର ପିଏସ୍‌ ସୁଜିନ୍‌, ମହିଳା ଫୁଟ୍‌ବଲ୍‌ ପ୍ରତି ବିଶେଷ ଅବଦାନ ଲାଗି ବାଲା ଦେବୀ, ଟିମ୍ ପ୍ଲେୟାର୍‌ ଅଫ୍‌ ଦି ଇୟର ଭାବେ ମାଇକେଲ୍ ସୁସାଇରାଜ, କ୍ରୀଡ଼ା ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପୁରସ୍କୃତ ହୋଇଥିଲେ। କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଯୁଗ୍ମ ସଚିବ ବିଜୟ ନାୟକ ପୁରସ୍କାର ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର