ଭୁବନେଶ୍ବର : ଚଳିତ ଆଇଏସ୍‌ଏଲ୍‌ରେ ଓଡ଼ିଶା ଏଫ୍‌ସି କଳିଙ୍ଗ ‌ଷ୍ଟାଡିୟମରେ ଶନିବାର ଷଷ୍ଠ ଘରୋଇ ମ୍ୟାଚ୍‌ ଖେଳିବାକୁ ଯାଉଛି। ଗତ ସୋମବାର ଏଠାରେ ପ୍ରଥମ ପରାଜୟ ବରଣ କରିଥିବା ଏହି ଦଳ ସମ୍ମୁଖରେ ରହିଛି ଇଷ୍ଟ ବେଙ୍ଗଲ ଏଫ୍‌ସି। ଉଭୟ ଦଳ ୫ ଥର ମୁହାଁମୁହିଁ ହୋଇଥିଲା ବେଳେ ଓଡ଼ିଶା ଏଫ୍‌ସି ମାତ୍ର ଥରେ ଇଷ୍ଟ ବେଙ୍ଗଲଠୁ ହାରିଛି। ୪ ଥର ଯାକ ବିଜୟୀ ହୋଇଛି। ଶେଷ ଥର ଲାଗି ଉଭୟ ଦଳ ଚଳିତ ଋତୁରେ ମୁହାଁମୁହିଁ ହୋଇଥିଲେ। ଏଥିରେ ଓଡ଼ିଶା ୪-୨ ଗୋଲ୍‌‌ରେ ଇଷ୍ଟ ବେଙ୍ଗଲକୁ ତା’ ମାଟିରେ ହରାଇଥିଲା। ସଂପ୍ରତି ଓଡ଼ିଶା ୧୨ ମ୍ୟାଚ୍‌ରୁ ୬ ବିଜୟ, ୫ ପରାଜୟ ଓ ୧ ଅମୀମାଂସିତରୁ ୧୯ ପଏଣ୍ଟ ପାଇଥିଲା ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ଇଷ୍ଟ ବେଙ୍ଗଲ ୧୧ ମ୍ୟାଚ୍‌ ଖେଳି ୪ ବିଜୟ, ୭ ପରାଜୟରୁ ୧୨ ପଏଣ୍ଟ ପାଇ ଅଷ୍ଟମରେ ରହିଛି।

Advertisment

ଓଡ଼ିଶା ଗତ ୪ ମ୍ୟାଚ୍‌ରେ ୩ ହାରିଥିଲା ବେଳେ ଗୋଟିଏ ଅମୀମାଂସିତରୁ କେବଳ ୧ ପଏଣ୍ଟ ପାଇବାକୁ ସକ୍ଷମ ହୋଇଛି। ମୁମ୍ବାଇ ସିଟି ଏଫ୍‌ସି ବିପକ୍ଷ ଗତ ମ୍ୟାଚ୍‌ରେ ସୁନ୍ଦର ପ୍ରଦର୍ଶନ କରି ପ୍ରଥମାର୍ଦ୍ଧକୁ ସମାନ ସ୍ତରରେ ରଖିଥିଲେ ମଧ୍ୟ ଦ୍ବିତୀୟାର୍ଦ୍ଧରେ କଡ଼ା ସଂଘର୍ଷ କରି ୨-୪ ଗୋଲ୍‌ରେ ହାରିଯାଇଥିଲା। ଓଡ଼ିଶା ପକ୍ଷରୁ ଏହି ଦୁଇଟି ଯାକ ଗୋଲ୍‌ ଡିଏଗୋ ମୌରିସିଓ ଓ ନନ୍ଦକୁମାର ଶେକର ଦେଇଥିଲେ। ଚଳିତ ଋତୁରେ ମୌରିସିଓ ୫ ଗୋଲ୍‌ ଦେଇଥିଲା ବେଳେ ୩ଟିରେ ସହାୟତା କରିଛନ୍ତି। ନନ୍ଦକୁମାର ୪ ଗୋଲ୍‌ ଦେଇଛନ୍ତି। ଇଷ୍ଟବେଙ୍ଗଲ ବିପକ୍ଷ‌ରେ ଏମାନଙ୍କ ପ୍ରଦର୍ଶନରେ ଜିତିବାକୁ ଆଶା ରଖିଛନ୍ତି ମୁଖ୍ୟ ପ୍ରଶିକ୍ଷକ ଯୋସେପ ‌ଗମ୍ବାଉ। ‘‘ଆମେ ଜାଣିଛୁ ଏହା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌। ଏଥିରୁ ୩ ପଏଣ୍ଟ ଅର୍ଜନ କଲେ ଆମକୁ ବହୁତ ସହଯୋଗ କରିବ। ଏଥିପାଇଁ ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବୁ’’ ବୋଲି ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଗମ୍ବାଉ କହିଛନ୍ତି।

ଅନ୍ୟପକ୍ଷରେ ଇ‌ଷ୍ଟ ବେଙ୍ଗଲ ଲଗାତାର ୩ ପରାଜୟ ପରେ ଗତ ମ୍ୟାଚ୍‌ରେ ବେଙ୍ଗାଲୁରୁ ଏଫ୍‌ସିକୁ ୨-୧ରେ ହରାଇ ମନୋବଳକୁ ଦୃଢ଼ ରଖିଛି। ଇଷ୍ଟ ବେଙ୍ଗଲର ସ୍ଲେଇଟନ ସିଲ୍‌ଭା ଚଳିତ ଆଇଏସ୍‌ଏଲ୍‌ର ଶ୍ରେଷ୍ଠ ୩ ଗୋଲ୍‌ ସ୍କୋରର୍‌ଙ୍କ ମଧ୍ୟରେ ରହିଛନ୍ତି। ଇଷ୍ଟ ବେଙ୍ଗଲର ୧୩ ଗୋଲ୍‌ରୁ ସେ ଏକାକି ୭ ଦେଇଛନ୍ତି। ‘‘ସତ କହିବାକୁ ଗଲେ ୨-୧ରେ ବିଜୟକୁ ମୁଁ ଭାବେନି। କିନ୍ତୁ ଆମେ ୩-୦ରେ ହାରିଗଲେ ଏହା ଉପରେ ଅଧିକ ଧ୍ୟାନ ଦେଇଥାଉ। ଏହା ହେଉଛି ‌ଖେଳର ପ୍ରକୃତି। ୪ ମ୍ୟାଚ୍‌ ନଜିତିଲେ ବେଶି ଚିନ୍ତିତ ହୋଇପଡ଼େ। ଆସନ୍ତା କାଲି ମ୍ୟାଚ୍‌ରେ ଆମେ ଜିତିବାକୁ ପୂରା ଚେଷ୍ଟା କରିବୁ’’ ବୋଲି ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ କନ୍‌ଷ୍ଟାଣ୍ଟିନ୍‌ କହିଛନ୍ତି।

ଯୁବ ଲିଗ୍‌ ପ୍ରିକ୍ବାର୍ଟରରେ ଓଡ଼ିଶା ଏଫ୍‌ସି
ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ ଆନୁକୂଲ୍ୟରେ ଚାଲିଥିବା ୧୭ ବର୍ଷରୁ କମ୍‌ (ଯୁବ) ଏଲିଟ୍‌ ଲିଗ୍‌ର ପ୍ରିକ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି ଓଡ଼ିଶା ଏଫ୍‌ସି। ଗ୍ରୁପ୍‌-ସି’ରେ ସ୍ଥାନ ପାଇଥିବା ଓଡ଼ିଶା ଏଫ୍‌ସି ୪ରୁ ୩ ବିଜୟ ପାଇ ଏହି ଯୋଗ୍ୟତା ଅର୍ଜନ କରିଛି। ଶୁକ୍ରବାର ଶେଷ ଲିଗ୍‌ ମ୍ୟାଚ୍‌ରେ ଏହି ଦଳ ୨-୧ ଗୋଲ୍‌ରେ ଆଲ୍‌ଫା ସ୍ପୋର୍ଟ୍ସ ଏକାଡେମୀକୁ ପରାସ୍ତ କରିଛି। ଶୁକ୍ରବାର ମ୍ୟାଚ୍‌ର ଦଶମ ମିନିଟ୍‌ରେ ଚିଣ୍ଟୁ ନାଗଙ୍କ ଗୋଲ୍‌ରେ ଓଡ଼ିଶା ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ଆଲ୍‌ଫା ସ୍ପୋର୍ଟ୍ସ ଏକାଡେମୀର ମାଇସିଥୁଇବୋ ଆବୋନମାଇ (୪୭ ମିନିଟ୍‌) ଏହି ଗୋଲ୍‌ଟି ଶୁଝି ସ୍ଥିତି ବରାବର କରିଥିଲେ। ଏହାର ୩ ମିନିଟ୍‌ ପରେ ଭେଙ୍କଟେଶ୍ୱର ଓରାମ (୫୦ ମିନିଟ୍‌) ପୁଣି ଓଡ଼ିଶାକୁ ଅଗ୍ରଣୀ ଦେଇଥିଲେ। ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍‌ ‌ନ ହେବାରୁ ସେହି ୨-୧ ବ୍ୟବଧାନରେ ବିଜୟୀ ହୋଇଥିଲା।