ଓଏଫ୍‌ସିର କଳିଙ୍ଗ ବିଜୟ ଜାରି: ଚେନ୍ନାୟିନ୍‌ ଏଫ୍‌ସିକୁ ୩-୨ରେ ହରାଇଲା

ଭୁବ‌ନେଶ୍ବର: ଚଳିତ ଆଇଏସ୍‌ଏଲ୍‌ରେ ଭୁବନେଶ୍ବର ଭିତ୍ତିକ ଫୁଟ୍‌ବଲ୍‌ ଦଳ ଓଡ଼ିଶା ଏଫ୍‌ସି (ଓଏଫ୍‌ସି)ର ଘରୋଇ ବିଜୟ ଧାରା ଜାରି ରହିଛି। ନିଜ ଘରୋଇ ଷ୍ଟାଡିୟମ କଳିଙ୍ଗରେ ପୂର୍ବରୁ କେରଳ ବ୍ଲାଷ୍ଟର୍ସ (୨-୧) ଏବଂ ବେଙ୍ଗାଲୁରୁ ଏଫ୍‌ସି (୧-୦)କୁ ମାତ୍‌ ଦେଇଥିବା ଜଗରନଟ୍ସ ଭାବେ ପରିଚିତ ଓଏଫ୍‌ସି ଗୁରୁବାର ଚେନ୍ନାୟିନ୍‌ ଏଫ୍‌ସିକୁ ୩-୨ ଗୋଲ୍‌ରେ ପରାସ୍ତ କରିଛି। ଫଳରେ ଚଳିତ ସଂସ୍କରଣରେ ଓଡ଼ିଶା ଏଫ୍‌ସି ୭ ମ୍ୟାଚ୍‌ ଖେଳି ୫ ବିଜୟ ଓ ୨ ପରାଜୟ ସହ ୧୫ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନକୁ ଉଠିଛି।

ମ୍ୟାଚ୍‌ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିବା ଏହି ଦଳ ୩୧ତମ ମିନିଟ୍‌ରେ ଭାଗ୍ୟ ବଳରେ ଅଗ୍ରଣୀ ନେଇଯାଇଥିଲା। ସାହିଲ ପନୱ‌ାରଙ୍କ ଏକ କ୍ରସ ‌ସଟ୍‌କୁ ନନ୍ଦା କୁମାର ଶେକର ହେଡର୍‌ରେ ରେନିୟର ଫଣ୍ଣାଣ୍ଡିଜ୍‌ଙ୍କ ନିକଟକୁ ଛାଡ଼ି ଦେଇଥିଲେ। ରେନିୟର ଏହାକୁ ଗୋଲ୍‌ ପୋଷ୍ଟ୍‌କୁ ପଠାଇବାରେ ତ୍ରୁଟି କରିନଥିଲେ। ‌ତେବେ ଚେନ୍ନାୟିନ୍‌ର ଭାଫା ଏହାକୁ ଅଟକାଇବାକୁ ଚେଷ୍ଟା କରୁକରୁ ବଲ୍‌ ତାଙ୍କ ଗୋଡ଼ରେ ବାଜି ନିଜ ଗୋଲ୍‌ପୋଷ୍ଟରେ ପସିଯାଇଥିଲା। ଭାଫାଙ୍କ ଏହି ଆତ୍ମଘାତୀ ଗୋଲ୍‌ ଯୋଗୁଁ ପ୍ରଥମାର୍ଦ୍ଧ ୧-୦ରେ ଘରୋଇ ଦଳ ପକ୍ଷରେ ରହିଥିଲା। ଦ୍ବିତୀୟାର୍ଦ୍ଧରେ ମୁଖ୍ୟ ‌ପ୍ରଶିକ୍ଷକ ଯୋସେଫ ଗୋମ୍ବାଉ ପେଡ୍ରୋ ମାର୍ଟିନଙ୍କ ସ୍ଥାନରେ ଡି‌ଏଗୋ ମୌରିସିଓଙ୍କୁ ବଦଳ କରାଇଥିଲେ। ଏହାର ଫାଇଦା ସଙ୍ଗେ ସଙ୍ଗେ ଓଏଫ୍‌ସିକୁ ମିଳିଥିଲା। ୪୭ତମ ମିନିଟ୍‌ରେ ହ୍ୟାଣ୍ଡବଲ୍‌ ଯୋଗୁଁ ଦଳକୁ ମିଳିଥିବା ପେନାଲ୍ଟିକୁ ‌ଗୋଲ୍‌ରେ ପରିଣତ କରିଥିଲେ ମୌରିସିଓ। ଏଥିସହ ଓଡ଼ିଶା ୨-୦ରେ ଆଗୁଆ ରହିଥିଲା। ୨ ଗୋଲ୍‌ ବରଣ ପରେ ଚାପରେ ଥିବା ଚେନ୍ନାୟିନ୍‌ ରଣନୀତି ବଦଳାଇ ଆକ୍ରମଣ ଆରମ୍ଭ କରିଥିଲା। ୬୦ତମ ମିନିଟ୍‌ରେ ପିଟର ସ୍ଲିସକୋଭିକଙ୍କ ପାସ୍‌କୁ ଆବ୍‌ଦେସର ଏଇ ଖାୟାତି ଗୋଲ୍‌‌ ଦେଇ ସ୍ଥିତି ୧-୨କୁ ଆଣିଥିଲେ। ୯୦ତମ ମିନିଟ୍‌ରେ ଓଏଫ୍‌ସି ଗୋଲି ଅମ୍ରିନ୍ଦର ସିଂହଙ୍କ ଫାଉଲ ପାଇଁ ଚେନ୍ନାୟିନ୍‌ ପେନାଲ୍ଟି ଅର୍ଜନ କରିଥିଲା। ଏହାକୁ ଖାୟାତି ଗୋଲ୍‌ରେ ପରିଣତ କରି ସ୍ଥିତି ସମାନ କରି ଚେନ୍ନାୟିନ୍‌ ଶିବିରରେ ଖୁସି ଖେଳାଇଥି‌ଲେ। ହେଲେ ଏହି ଖୁସି ବେଶୀ ସମୟ ରହିନଥିଲା। ଜେରି ମାୱିଙ୍ଗଥାଙ୍ଗାଙ୍କ ସୁନ୍ଦର ପାସ୍‌କୁ ନନ୍ଦା (୯୦+୫ ମିନିଟ୍‌) ଗୋଲ୍‌ ଦେଇ ଦଳକୁ ବିଜୟ ଭେଟି ଦେଇଥିଲେ।

ଓଡ଼ିଶା…ଓଡ଼ିଶା…କମ୍ପିଲା
ଓଡ଼ିଶା ଏଫ୍‌ସି ଗୁରୁବାର ଚଳିତ ଆଇଏସ୍‌ଏଲ୍‌ ଋତୁର ତୃତୀୟ ଘରୋଇ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଖେଳିଥିଲା। ପ୍ରଥମ ଦୁଇ ମ୍ୟାଚ୍‌ ଅପେକ୍ଷା ଗୁରୁବାର ଦର୍ଶକଙ୍କ ସଂଖ୍ୟା ଅଧିକ ରହିଥିଲା। ସ୍ଥାନୀୟ ଦର୍ଶକ ଓଡ଼ିଶା ଓଡ଼ିଶା…ଧ୍ବନୀରେ ଷ୍ଟାଡିୟମ କମ୍ପାଇଥିଲେ। ସାଧାରଣ ଦର୍ଶକଙ୍କ ସହ ସ୍ବୀକୃତିପ୍ରାପ୍ତ ପ୍ରଶଂସକ ଦଳ ଜଗରନଟ୍ସ କଳିଙ୍ଗ ବୋବାଲ କରିଥିଲେ। ଜଗରନଟ୍ସ ମାଡ଼ି ଚାଲ ଜଗରନଟ୍ସ, କମ୍‌ ଅନ୍‌ ୟୁ ଜଗରନଟ୍ସ, ଆମ ଟିମ୍‌ ଆମ ଗେମ୍‌, ଟୁଗେଦର ଟିଲ୍‌ ଦ ଲାଷ୍ଟ, ଆଇଜ୍‌ ଏଭ୍ରିଓୟାର ଏବଂ ଫିଲ୍‌ ଦ ଡ୍ରିମ୍‌ ଫାୟାର ଲେଖା ଥିବା ବଡ଼ ବଡ଼ ବ୍ୟାନର୍‌ ଦେଖାଇ ଘରୋଇ ଦଳକୁ ସମର୍ଥନ ଦେଉଥିଲେ। ଏହି ସମର୍ଥନରେ ଓଏଫ୍‌ସି ଖେଳାଳି ନିଜର ଖେଳକୁ ଆହୁରି ଶାଣିତ କରିଥିଲେ। ଓଏଫ୍‌ସି ମ୍ୟାଚ୍‌ ଜିତିବା ସହ ସମର୍ଥନଙ୍କ ମୁହଁରେ ଖୁସି ଫୁଟାଇଥିଲା।

ଅଚଳ ହେଲା ଫ୍ଲଡ୍‌ ଲାଇଟ୍‌
ମ୍ୟାଚ୍‌ର ୮୮ତମ ମିନିଟ୍‌ରେ ଗୋଟି ଗୋଟି କରି ‌୪ଟି ଯାକ ଫ୍ଲଡ୍‌ ଲାଇଟ୍‌ ଅଚଳ ହୋଇଯାଇଥିଲା। ଏଥିପାଇଁ ମ୍ୟାଚ୍‌କୁ କିଛି ସମୟ ସ୍ଥଗିତ ରଖାଯାଇଥିଲା। ପ୍ରାୟ ୧୦ ମିନିଟ୍‌‌ ପରେ ଲାଇଟ୍‌ ଆସିବାରୁ ମ୍ୟାଚ୍‌ ପୁନଃ ଆରମ୍ଭ ହୋଇଥିଲା। କଳିଙ୍ଗରେ ଏଭଳି ଅଘଟଣ ପ୍ରଥମ ଥର ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର