ଅଫ୍‌ ସାଇଡ୍‌: ନୀରଜଙ୍କ ନାନା ବେଶ

ମୁମ୍ବାଇ: ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ହାସଲ କରିଥିବା ଜାଭଲିନ୍ ତାରକା ନୀରଜ ଚୋପ୍ରା ଅଭିନୟ ଦୁନିଆରେ ମଧ୍ୟ ଧମାକା କରିବା ଆରମ୍ଭ କରି ଦେଇଛନ୍ତି। ୨୩ ବର୍ଷୀୟ ନୀରଜଙ୍କ ଜବରଦସ୍ତ ଅଭିନୟ ଏବେ ବିଜ୍ଞାପନ ଦୁନିଆରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଏକ କ୍ରେଡିଟ୍ କାର୍ଡ ଭିତ୍ତିକ କଂପାନିର ବିଜ୍ଞାପନରେ ବିଭିନ୍ନ ଚରିତ୍ରରେ ଯାଦୁଗରୀ ଅଭିନୟ କରି ସମସ୍ତଙ୍କ ମନ ଜିତି ନେଇଛନ୍ତି ସେ। ଏହି କଂପାନି ପୂର୍ବରୁ ଭାରତୀୟ କ୍ରିକେଟ୍ କିଂବଦନ୍ତି ରାହୁଲ ଦ୍ରାବିଡ଼ଙ୍କୁ ନେଇ ‘ଇନ୍ଦିରାନଗର କି ଗୁଣ୍ଡା’ ଏବଂ ବଲିଉଡ୍ ଅଭିନେତା ଜ୍ୟାକି ସ୍ରଫ୍‌ଙ୍କୁ ନେଇ ପ୍ରସ୍ତୁତ କରିଥିବା ‘ଜୁମ୍ବା ଇନଷ୍ଟ୍ରକ୍ଟର’ ବିଜ୍ଞାପନ ଭିଡିଓ ବେଶ୍ ଚର୍ଚ୍ଚିତ ହୋଇଥିଲା। ନୀରଜଙ୍କ ବିଜ୍ଞାପନ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଝଡ଼ ସୃଷ୍ଟି କରିଛି। ଏଥିରେ ତାଙ୍କୁ ଏକସଙ୍ଗରେ ସାମ୍ବାଦିକ, କ୍ୟାସିୟର, ମାର୍କେଟିଂ ଅଧିକାରୀ, ଚଳଚ୍ଚିତ୍ର ପ୍ରଯୋଜକ ଏବଂ ଜଣେ ଉଦୀୟମାନ ଜାଭଲିନ୍ ତାରକା ଭାବେ ଦେଖିବାକୁ ମିଳୁଛନ୍ତି। ନୀରଜ ଏହି ଭିଡିଓଟିକୁ ଇନଷ୍ଟାଗ୍ରାମରେ ପ୍ରକାଶ କରି ‘୩୬୦ ଡିଗ୍ରି ଭିଡିଓ’ ବୋଲି ଲେଖିଛନ୍ତି। ପୋଷ୍ଟ ହେବାର ମାତ୍ର ଦୁଇ ଦିନ ଭିତରେ ଏହି ଭିଡିଓକୁ ୫ ଲକ୍ଷ ଲାଇକ୍ ମିଳିଗଲାଣି। ବହୁ ବଲିଉଡ୍ ଅଭିନେତା, କ୍ରିକେଟର୍‌ ଓ ବିଜ୍ଞାପନ ଗୁରୁ ନୀରଜଙ୍କ ଅଭିନୟ ଦକ୍ଷତାକୁ ଭୂୟସୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର