ଆଡିଲେଡ୍: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଙ୍ଗଳବାର ଶେଷ ଓଭରରେ ଛକା ମାରି ଭାରତକୁ ବିଜୟୀ କରାଇଥିଲେ। ଯାହା ତାଙ୍କ ପୁରୁଣା ଦିନକୁ ମନେ ପକାଇ ଦେଇଥିଲା। ମାହିଙ୍କ ଲୟ ଫେରିବା ନେଇ ଅଧିନାୟକ ବିରାଟ କୋହଲି ସବୁଠାରୁ ଅଧିକ ଉଲ୍ଲସିତ ଥିଲେ। ଏହି ବିଷୟରେ ନିଜ ମତ ରଖିବାକୁ ଯାଇ ମ୍ୟାଚ୍ ପରବର୍ତୀ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଥିଲେ ଯେ ଧୋନି ନିଃସନ୍ଦେହରେ ଆମ ଦଳର ଅବିଚ୍ଛିନ୍ନ ଅଙ୍ଗ। ଆଜି ରାତି ମାହିଙ୍କ ରାତି ଥିଲା। ସେ ଖେଳର ହିସାବ କିତାବ କେତେ ଭଲ ଭାବରେ କରନ୍ତି। ଖେଳକୁ ମାହି ଶେଷ ପର୍ଯ୍ୟନ୍ତ ନେଇ ଯାଆନ୍ତି। ତାଙ୍କ ମନରେ କଣ ଚାଲୁଥାଏ? କେବଳ ସେ ହିଁ ଜାଣି ଥାଆନ୍ତି। ଶେଷକୁ ବଡ଼ ସଟ୍ ଖେଳିବାର ଭରସା ସେ ନିଜ ଉପରେ ସବୁବେଳେ ରଖି ଥାଆନ୍ତି। ମୃଦୁ ପାନୀୟ ବିରତି ବେଳେ ଡ୍ରେସିଂ ରୁମକୁ ଯିବାର କାରଣ ଉପରୁ ପରଦା ଉଠାଇ କୋହଲି କହିଥିଲେ ଯେ ଝାଳରେ ମୋ ଟ୍ରାଉଜରରେ ଧଳା ଦାଗ ପଡ଼ି ଯାଇଥିଲା। ଧୋନି ମଧ୍ୟ ହାଲିଆ ହୋଇ ଯାଉଥିଲେ। ୫୦ ଓଭର କ୍ଷେତ୍ରରକ୍ଷଣ କରିବା ପରେ ଲମ୍ବା ସମୟ କ୍ରିଜରେ ବ୍ୟାଟିଂ କରିବା ଆଦୌ ସହଜ ନଥିଲା। ସେଥିପାଇଁ ମୁଁ ବାହାରକୁ ଯିବାକୁ ବାଧ୍ୟ ହୋଇଥିଲି। କୋହଲି ମଧ୍ୟ ଶେଷ ଓଭରଗୁଡ଼ିକରେ ଭୁବନେଶ୍ବର କୁମାର କରିଥିବା ବୋଲିଂକୁ ଭୂୟଶୀ ପ୍ରଶଂସା କରିଥିଲେ। ଆମେ ସେମାନଙ୍କୁ ୩୦୦ ତଳେ ଅଟକାଇବାକୁ ଚାହୁଁଥିଲୁ। ମ୍ୟାକ୍ସୱେଲ୍ ଓ ମାର୍ସ ଥିଲା ବେଳେ ସେମାନେ ଦ୍ରୁତ ଗତିରେ ଅଗ୍ରସର ହେଉଥିଲେ। ସେହି ଦୁଇ ଜଣଙ୍କୁ ଆଉଟ୍ କରିବା ଆମ ପାଇଁ ଖୁସିର ବିଷୟ ଥିଲା। ଭୁବନେଶ୍ବର ଚମତ୍କାର ବୋଲିଂ କରିଥିଲେ। ଚିତ୍ତାକର୍ଷକ ଶତକ ପାଇଁ ମାର୍ସଙ୍କୁ ପ୍ରଶଂସା କରିବାକୁ ମଧ୍ୟ କୋହଲି ଭୁଲି ନଥିଲେ। ସୂଚନାଯୋଗ୍ୟ ଯେ ୨୦୧୮ରେ ଧୋନି ସେତେଟା ଭଲ ପ୍ରଦର୍ଶନ କରି ପାରି ନଥିଲେ। ୨୦୧୯ ଆରମ୍ଭରୁ କିନ୍ତୁ ସେ ଲଗାତାର ଦୁଇଟି ଅର୍ଧଶତକ ହାସଲ କରିଛନ୍ତି। ଫଳରେ ଇଂଲଣ୍ଡରେ ହେବାକୁ ଥିବା ୫୦ ଓଭରିଆ ବିଶ୍ବକପ୍ ଲାଗି ଭାରତୀୟ ଦଳରେ ସେ ରହିବାର ସମ୍ଭାବନା ଯଥେଷ୍ଟ ବଢ଼ି ଯାଇଛି।
ମନେ ପଡ଼ିଲା ମାହିଙ୍କ ପୁରୁଣା ଦିନ
ଏମ୍ଏସ୍ ଧୋନି:୫୫* ରନ୍:୫୪ ବଲ୍:୨ ଛକା
/sambad/media/post_attachments/wp-content/uploads/2019/01/10-Mahendra-Singh-Dhoni-hits-a-six-in-the-last-over-to-level-scores-He-then-took-a-single-off-the-next-ball-to-seal-victory-for-India-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)