ମୁମ୍ବାଇ : ଲମ୍ବା ସମୟ ଧରି ଚାଲୁଥିବା ଆଇପିଏଲ୍ରୁ ଅନେକ ପ୍ରାୟୋଜକ ମୁହଁ ଫେରାଇ ନେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ବିଗତ ଦିନଗୁଡିକ୍କରେ ବିଜ୍ଞାପନଦାତା ତଥା ପ୍ରାୟୋଜକ ହୋଇଥିବା କିଛି ଇଣ୍ଟରନେଟ୍ ପ୍ରଦାନକାରୀ କମ୍ପାନିଙ୍କ ସହ ଷ୍ଟାର୍ଟଅପ୍ କମ୍ପାନିମାନେ ଏଥର ଆଇପିଏଲ୍ରୁ ଓହରି ଯାଇଛନ୍ତି। ପାଣ୍ଠି ଯୋଗାଡ଼ କରିବାରେ ସମସ୍ୟା ତଥା ବିଶ୍ବବ୍ୟାପୀ ବୈଷୟିକ ଅପ୍ଗ୍ରେଡ୍ ପାଇଁ ନୂଆ ନୂଆ ପନ୍ଥା ଅବଲମ୍ବନ କରାଯାଉଥିବାରୁ ଉକ୍ତ କମ୍ପାନିମାନେ ତାହାସହ ଖାପ୍ଖୁଆଇ ପାରିନାହାନ୍ତି। ଏହିପରି ସଂସ୍ଥାମାନଙ୍କ ମଧ୍ୟରେ ସବୁଠୁ ବଡ଼ ନାମଗୁଡ଼ିକ ମଧ୍ୟରେ ଶିକ୍ଷା ପ୍ରଦାନକାରୀ ଆପ୍ ବାୟଜୁସ୍, ଅନ୍ଏକାଡେମୀ, ଅନ୍ଲାଇନ୍ ଟଙ୍କା କାରବାର ସଂସ୍ଥା ଫୋନ୍ ପେ, ସବ୍ସ୍କ୍ରିପ୍ସନ୍ ସେବା ଯୋଗାଉଥିବା ଆମାଜନ୍ ପ୍ରାଇମ୍, ସ୍ବାସ୍ଥ୍ୟସେବା ଷ୍ଟାର୍ଟଅପ୍ ପ୍ରିଷ୍ଟିନ୍ କେୟାର, କ୍ବିକ୍ କମର୍ସ ସଂସ୍ଥା ଜେପ୍ଟୋ, ଫିନ୍ଟେକ୍ କମ୍ପାନି ନିୟୋ, ମ୍ୟୁଜିକ୍ ଷ୍ଟ୍ରିମିଂ କମ୍ପାନି ସ୍ପଟିଫାଏ ସାମିଲ ଅଛନ୍ତି। ସେହିପରି କିଛି ନିର୍ଦ୍ଧିଷ୍ଟ ଦଳମାନଙ୍କ ସହ ଯୋଡ଼ି ହୋଇଥିବା ଅନ୍ଲାଇନ୍ ସର୍ପିଂ ସଂସ୍ଥା ମିସୋ, ବ୍ୟବହାର ହୋଇଥିବା କାର୍ର ଅନ୍ଲାଇନ୍ ବିକ୍ରେତା କାର୍ସ ୨୪ ଭଳି କମ୍ପାନିମାନେ ମଧ୍ୟ ଚଳିତ ସଂସ୍କରଣରେ ସାମିଲ ନହେବାକୁ ନିଷ୍ପତ୍ତି ନେଇଛନ୍ତି।
ଅନ୍ଲାଇନ୍ରେ ଶିକ୍ଷାଦାନ କରୁଥିବା ଆପ୍ ଅନ୍ଏକାଡେମୀର ସହ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଗୌରବ ମୁଂଜାଲ୍ଙ୍କ ଗତବର୍ଷର ଟ୍ବିଟ୍ ଅନୁସାରେ, ବ୍ରାଣ୍ଡ ନିର୍ମାଣ ପାଇଁ ଆଇପିଏଲ୍ ସବୁଠୁ ଶ୍ରେଷ୍ଠ ମାଧ୍ୟମ। କିନ୍ତୁ ଆସନ୍ତାବର୍ଷ ଆଇପିଏଲ୍ରେ ଏହି ସଂସ୍ଥା ଭାଗ ନେଇପାରିବନି। ଗତ ତିନିବର୍ଷ ଧରି ଆଇପିଏଲ୍ ସହିତ ସଂପର୍କ ଚମତ୍କାର ଥିଲା। ଏହାଦ୍ବାରା ଆମ ବ୍ରାଣ୍ଡ ଅନ୍ୟ ଏକ ସ୍ତର ପର୍ଯ୍ୟନ୍ତ ଚାଲିଯାଇଥିଲା। ତେଣୁ ବଜାରକୁ ଆସୁଥିବା ସମସ୍ତ ବ୍ରାଣ୍ଡମାନଙ୍କୁ ଆଇପିଏଲ୍ ସହିତ ଯୋଡ଼ି ହେବା ପାଇଁ ସେ ପରାମର୍ଶ ଦେଇଥିଲେ। କିନ୍ତୁ ଏକ ସୂଚନା ଅନୁଯାୟୀ, ଶିକ୍ଷାପ୍ରଦାନକାରୀ ଅନ୍ଲାଇନ୍ ଆପ୍ମାନଙ୍କ ମଧ୍ୟରେ ଏକ ଅଶାନ୍ତି ଖେଳିଯାଇଥିବାରୁ ଆଗକୁ ଏମାନେ ଅଧିକ ଖର୍ଚ୍ଚ କରିବାକୁ ଆଗ୍ରହ ଦେଖାଉନାହାନ୍ତି।
ତଥାପି ଏପରି ସମୟରେ ଦୁଇ ଚକିଆ ଗାଡ଼ି ନିର୍ମାଣକାରୀ କମ୍ପାନି ଆଥର୍ ଏନର୍ଜି ଆଇପିଏଲ୍ରେ ଗୁଜରାଟ ଟାଇଟନ୍ସ ସହିତ ସଂପର୍କ ବଜାୟ ରଖିବାକୁ ଚାହିଁଛି। ସେହିପରି କିଛି ନୂଆ ଷ୍ଟାର୍ଟଅପ୍ମାନେ ମଧ୍ୟ ବିସିସିଆଇ ସହିତ ଚଳିତ ଆଇପିଏଲ୍ ପାଇଁ ଚୁକ୍ତି ସ୍ବାକ୍ଷର କରିଛନ୍ତି। ସେମାନଙ୍କ ମଧ୍ୟରେ ଡ୍ରିମ୍ସ ୧୧, କ୍ରେଡ୍, ଅପ୍ଷ୍ଟକ୍ସ, ସ୍ବିଗି ଇନ୍ଷ୍ଟାମାର୍ଟ ସାମିଲ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଷ୍ଟାର୍ଟଅପ୍ ପୂର୍ଣ୍ଣକାଳୀନ ପ୍ରାୟୋଜକ ହେବା ଅପେକ୍ଷା ପ୍ରସାରଣକାରୀ ସଂସ୍ଥା ଓ ଷ୍ଟ୍ରିମିଂ ପ୍ଲାଟ୍ଫର୍ମଗୁଡ଼ିକ ସହିତ ସ୍ପଟ୍ ବିଜ୍ଞାପନ କରିବା ପାଇଁ ସ୍ଥାନ ଖୋଜୁଛନ୍ତି। ରିପୋର୍ଟ ଅନୁଯାୟୀ, ଡିଜ୍ନି ତାହାର ପ୍ଲାଟ୍ଫର୍ମରେ ୧୧ ପ୍ରାୟୋଜକ ଓ ୬୦ ସ୍ପଟ୍ ବିଜ୍ଞାପନଦାତାଙ୍କୁ ସାମିଲ କରିସାରିଲାଣି। ଡ୍ରିମ୍ ୧୧, ଏୟାରଟେଲ୍, ଏସିଆନ୍ ପେଣ୍ଟ୍ସ, କୋକାକୋଲା, ପେପ୍ସିକୋ, ଟାଟା ଗ୍ରୁପ୍, ସ୍ବିଗି, ମଣ୍ଡେଲେଜ୍, ଭିଭୋ ସହିତ ଡିଜ୍ନି ଡିଲ୍ କରିଥିଲା ବେଳେ ଭାୟାକମ୍ ୧୮ ଗ୍ରୁପ୍ ସହିତ ଡ୍ରିମ୍ ୧୧, ପାର୍ଲେ ଆଗ୍ରୋ, ଇଟି ମନି, ଟିଭିଏସ୍, ପ୍ୟୁମା, ମଣ୍ଡେଲେଜ୍, ଆଇଟିସି, ପେପ୍ସିକୋ, କମଳା ପସନ୍ଦ, କ୍ୟାଷ୍ଟ୍ରୋଲ୍ ଓ ଅଲ୍ଟ୍ରା ଟେକ୍ ସିମେଣ୍ଟ ଯୋଡ଼ି ହୋଇଛନ୍ତି।