ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟ୍‌ ସ୍ଥଗିତ, ଶୃଙ୍ଖଳା ଭାଗ୍ୟ ଝୁଲିଲା

ପଞ୍ଚମ ଟେଷ୍ଟ୍‌ ଆସନ୍ତା ବର୍ଷ ପୁନଃନିର୍ଧାରିତ ହେବା ସମ୍ଭାବନା, ଶୃଙ୍ଖଳା ୨-୧ରେ ଭାରତ ସପକ୍ଷରେ ଜୀବନ୍ତ

ମୁମ୍ବାଇ : ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଭାରତ-ଇଂଲଣ୍ଡ ପଞ୍ଚମ ତଥା ଶେଷ ଟେଷ୍ଟ୍‌କୁ କୋଭିଡ୍‌ ଡର କାରଣରୁ ସ୍ଥଗିତ ରଖାଯାଇଛି। ଏହି ଟେଷ୍ଟ୍ ଭବିଷ୍ୟତରେ କେବେ ଖେଳାଯିବ, ସମ୍ଭବତଃ ଆସନ୍ତା ବର୍ଷ। ତେବେ ବର୍ତମାନ ପାଇଁ ଶୃଙ୍ଖଳାର ଭାଗ୍ୟ ୨-୧ରେ ଭାରତ ସପକ୍ଷରେ ରହିଛି। ବିସିସିଆଇ ଏବଂ ଇସିବି ମଧ୍ୟରେ ବିଗତ ୩୬ ଘଣ୍ଟା ମଧ୍ୟ‌ରେ ‌ଅନେକ ଆଲୋଚନା ପର୍ଯ୍ୟାଲୋଚନା ହେବା ପରେ ଶୁକ୍ରବାର ଟସ୍ ପଡିବା ସମୟର ପ୍ରାୟ ୩ ଘଣ୍ଟା ପୂର୍ବରୁ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଥିଲା। ଇସିବି ପ୍ରଥମେ ଟ୍ବିଟ୍‌ କରି ଜଣାଇଥିଲା ଯେ ‘ଦଳୀୟ ଶିବିରରେ ଆଉ ଜଣେ ସଦ୍ୟତମ କୋଭିଡ୍‌ ସଂକ୍ରମଣ ମାମଲା ଆସିବାରୁ ଏହା ବଢ଼ିବାର ଆଶଙ୍କା ରଖିଥିଲା। ତେଣୁ ଭାରତ ଗୋଟିଏ ଦଳ ଖେଳାଇବା ସ୍ଥିତିରେ ନଥିଲା। ବିସିସିଆଇ ସହ ଆଲୋଚନା କରିବା ପରେ ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟ୍‌କୁ ସ୍ଥଗିତ ରଖାଗଲା’। ଇସିବିର ଏହି ସୂଚନା ପୂର୍ବରୁ କିନ୍ତୁ ପୂର୍ବତନ ଭାରତୀୟ ୱିକେଟରକ୍ଷକ ଦୀନେଶ କାର୍ତ୍ତିକ ଟ୍ବିଟ୍‌ କରି କହିଥିଲେ ‘ଆଜି ଖେଳ ହେବାର ନାହିଁ’।

ମ୍ୟାଚ୍‌ ସ୍ଥଗିତ ଘୋଷଣା ପୂର୍ବରୁ ଗୁରୁବାର ଓ ଶୁକ୍ରବାର ବିସିସିଆଇ-ଇସିବି ଅଧିକାରୀଙ୍କ ମଧ୍ୟରେ ଏକାଧିକ ଥର ଆଲୋଚନା ହୋଇଥିଲା। ଗୁରୁବାର ଭାରତୀୟ ଦଳ ସହକାରୀ ଫିଜିଓ ଯୋଗେଶ ପାର୍ମର ପଜିଟିଭ୍ ବ‌ାହାରିବା ପରେ ଆଶଙ୍କା ବଢ଼ିଯାଇଥିଲା। କାରଣ ସେ ଭାରତୀୟ ଦଳର ଏକାଧିକ ଖେଳାଳିଙ୍କ ଶାରୀରିକ ସଂସ୍ପର୍ଶରେ ଆସି ଚିକିତ୍ସା କରିଥିଲେ। ତେବେ ଗୁରୁବାର ରାତିରେ ସବୁ ଭାରତୀୟ ଖେଳାଳିଙ୍କ ରିପୋର୍ଟ ନେଗେଟିଭ୍ ଆସିବାରୁ ମ୍ୟାଚ୍‌ ନିର୍ଧାରିତ ସୂଚୀ ଅନୁସାରେ ଶୁକ୍ରବାରଠାରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା। କିନ୍ତୁ ସଂକ୍ରମଣର ଚିତ୍ର ସ୍ପଷ୍ଟ ନ ଥିବାରୁ ଭାରତୀୟ ଖେଳାଳିଙ୍କୁ ନେଇ ସନ୍ଦେହ ସମ୍ପୂର୍ଣ୍ଣ ଦୂର ହୋଇନଥିଲା। କିନ୍ତୁ ଭାରତ ଓହରିନଯାଇ ଏହି ଟେଷ୍ଟକୁ ପୁନଃନିର୍ଧାରିତ କରିବାର ପ୍ରସ୍ତାବ ଦେଇଥିଲା। ଦିନେ ଦୁଇ ଦିନ ଘୁଞ୍ଚାଇ ଏହି ଟେଷ୍ଟ୍ ଖେଳାଯାଇପାରିଥା’ନ୍ତା। କିନ୍ତୁ ସେପ୍ଟେମ୍ବର ୧୫ରୁ ଭାରତୀୟ ଖେଳାଳିମାନେ ୟୁଏଇ ଗସ୍ତ କରି ସେଠାରେ ଆଇପିଏଲ୍‌ ଏବଂ ମାସକ ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳିବାର ପଛକୁ ପଛ ସୂଚୀ ଥିବାରୁ ଏହା ସମ୍ଭବ ନଥିଲା। ଏବେ ଭାରତୀୟ ସୀମିତ ଓଭର ଦଳ ଆସନ୍ତାବର୍ଷର ଇଂଲଣ୍ଡ ଗସ୍ତ ବେଳେ ଏହି ଟେଷ୍ଟକୁ ସେହି ଓଲ୍ଡ ଟ୍ରାଫୋର୍ଡରେ ଖେଳାଯିବା ନେଇ ପ୍ରସ୍ତାବ ରଖାଯାଇଛି। ବିସିସିଆଇ ମଧ୍ୟ ଏଥିରେ ରାଜି ହୋଇଛି।

ଶୃଙ୍ଖଳା ୨-୧ ନା ୨-୨?

ଶୁକ୍ରବାର ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ପ୍ରଥମେ ଘୋଷଣା ବେଳେ ଏହି ଟେଷ୍ଟ୍‌କୁ ବାତିଲ ଦର୍ଶାଇଥିଲା। ଏପରିକି ଭାରତ ନିଜ ଆଡୁ ହଟିଯାଉଥିବାରୁ ଶୃଙ୍ଖଳା ଭାଗ୍ୟ ନେଇ ପ୍ରଶ୍ନ ଉଠିଥିଲା। ଏଭଳି କ୍ଷେତ୍ରରେ ଶୃଙ୍ଖଳା ୨-୨ରେ ଶେଷ ହୋଇଥା’ନ୍ତା। କିନ୍ତୁ କିଛି ସମୟ ପରେ ବିସିସିଆଇ ଏହାକୁ ସ୍ଥଗିତ ଦର୍ଶାଇବା ପରେ ଇସିବି ମଧ୍ୟ ନିଜ ସୂଚନାରେ ‌ସଂଶୋଧନ କରିଥିଲା। ମ୍ୟାଚ୍‌ ସ୍ଥଗିତ ରହିବାରୁ ବର୍ତମାନର ସ୍ଥିତିରେ ଶୃଙ୍ଖଳା ୨-୧ରେ ଭାରତ ସପକ୍ଷରେ ରହିଥିଲା। ଏବେ ଉଭୟ ‌ବୋର୍ଡର ବିଜ୍ଞପ୍ତିରୁ ଏହି କଥା ସ୍ପଷ୍ଟ ହୋଇଛି ଯେ ଶୃଙ୍ଖଳା ଅସମ୍ପୂର୍ଣ୍ଣ ରହିଲା, ପଞ୍ଚମ ଟେ‌ଷ୍ଟ୍ ପୁନଃ ନିର୍ଧାରିତ ହେବା ପର୍ଯ୍ୟନ୍ତ ଏହା ଭାରତ ସପକ୍ଷରେ ୨-୧ରେ ସୁରକ୍ଷିତ ରହିଲା। ଶୃଙ୍ଖଳାର ଭାଗ୍ୟ ଇସିବି ନିଜ ଆଡୁ ନିର୍ଧାରିତ କରି ପାରିବ ନାହିଁ, ଏଥିପାଇଁ ଆଇସିସିର ହସ୍ତକ୍ଷେପ ଆବଶ୍ୟକ ବୋଲି ମଧ୍ୟ ମତ ଆସିଥିଲା। ପଞ୍ଚମ ଟେ‌ଷ୍ଟକୁ ଦୁଇ ବୋର୍ଡ ଆୟୋଜନ କରିନପାରିଲେ ସମାଧାନର ସୂତ୍ର ବାହାର କରିବେ କିମ୍ବା ଆଇସିସି ଆଚରଣ ସଂହିତା ଅନୁସରଣ କରିବେ ବୋଲି କୁହାଯାଉଛି।

କୋଭିଡ୍ ପାଇଁ ବିଗତ ୨୦ ମାସ ମଧ୍ୟରେ ଅନେକ ପରିବର୍ତନ କରାଯାଇଛି। କିନ୍ତୁ ଖେଳାଳିଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ପଞ୍ଚମ ଟେଷ୍ଟ୍‌ ପୁନଃନିର୍ଧାରିତ ହେଲେ ବି ଏହା ଏକ ସ୍ବତନ୍ତ୍ର ଟେଷ୍ଟ୍ ହେବ ବୋଲି ଇସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଟମ୍ ହାରିସନ୍‌ ପ୍ରକାଶ କରିଛନ୍ତି। ଫଳରେ ଏହି ଶୃଙ୍ଖଳାକୁ ଭାରତ ୨-୧ରେ ଜିତିବା ନିଶ୍ଚିତ ହୋଇଯିବ। ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟ୍ ସ୍ଥଗିତ ରହିଥିବାରୁ ଇସିବି ମଧ୍ୟ ପ୍ରଶଂସକଙ୍କୁ କ୍ଷମା ମାଗିଛି ଏବଂ ପ୍ରା‌‌ୟୋଜକଙ୍କୁ ଭରଣା ପାଇଁ ଭବିଷ୍ୟତର ପ୍ରତିଶ୍ରୁତି ଦେଇଛି। ବିସିସିଆଇ କିନ୍ତୁ ସ୍ପଷ୍ଟ କରିଦେଇଛି ଯେ ଭାରତ ଏହି ଟେଷ୍ଟରୁ ହଟିଯାଇନାହିଁ। ହଟିଯିବାର ପ୍ରଶ୍ନ ଉଠୁନାହିଁ, କେବଳ ସ୍ଥଗିତ ପ୍ରସ୍ତାବ ଦିଆଗଲା ବୋଲି ବିସିସିଆଇର ଉପ ସଭାପତି ରାଜୀବ ଶୁକ୍ଳା ପ୍ରକାଶ କରିଥିଲେ।

ବିସିସିଆଇ ପ୍ରୋଟୋକଲ୍‌କୁ ମାନୁନଥିଲେ ଶାସ୍ତ୍ରୀ ଓ କୋହଲି
ପଞ୍ଚମ ଟେଷ୍ଟ୍ ଖେଳିପାରିବା ପାଇଁ ଭାରତୀୟ ମ୍ୟାନେଜମେଣ୍ଟ୍ ନିଜକୁ ‌ଦାୟୀ କରିବା କଥା। କାରଣ ବିସିସିଆଇର ସ୍ବାସ୍ଥ୍ୟ ପ୍ରୋଟୋକଲ୍‌କୁ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲି ଏକ ପ୍ରକାର ମାନୁନଥିଲେ। ଚତୁର୍ଥ ‌ଟେଷ୍ଟ୍ ପୂର୍ବରୁ ରବି ଶାସ୍ତ୍ରୀଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବ ଏକ ପଞ୍ଚ ତାରକା ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଏହିଠାରୁ ରବି ଶାସ୍ତ୍ରୀ, ଭରତ ଅରୁଣ, ଆର୍ ଶ୍ରୀଧର, ନୀତିନ ପଟେଲ୍ ଏବଂ ଯୋଗେଶ ପାର୍ମର ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ଇଂଲଣ୍ଡରେ କୋଭିଡ୍‌ କଟକଣା କୋହଳ ହୋଇଥିଲେ ମଧ୍ୟ ବିସିସିଆଇ ପ୍ରୋଟୋକଲ୍‌ ଧାର୍ଯ୍ୟ ରହିଥିଲା। ଏମାନେ ହୋଟେଲ୍‌ ବାହାରକୁ ଯାଉଥିଲେ ମଧ୍ୟ ବିସିସିଆଇଠାରୁ ଅନୁମତି ନେଇନଥିଲେ। ଏପରିକି ବିନା ମାସ୍କରେ ଭ୍ରମଣ କରୁଥିଲେ। ଅନ୍ୟ ପକ୍ଷରେ ଇଂଲଣ୍ଡ ମଧ୍ୟ ସ୍ବତନ୍ତ୍ର ଜୈବ ବଳୟକୁ ଅନୁସରଣ କରୁନଥିଲା। ଆଇସିସି‌ ଟେଷ୍ଟ୍‌ ଚାମ୍ପିୟନସିପ୍‌ ଫାଇନାଲ୍ ପରେ ଋଷଭ ପନ୍ତ୍‌ ସଂକ୍ରମିତ ‌ହୋଇଥିଲେ ମଧ୍ୟ ମାସକ ପରେ ଇଂଲଣ୍ଡ ଶୃଙ୍ଖଳା ଖେଳାଯିବାରୁ ବିଶେଷ ଅସୁବିଧା ହୋଇନଥିଲା। ଭାରତ କିନ୍ତୁ ଏଥିରୁ କିଛି ଶିକ୍ଷା କରିନଥିଲା।

ସମ୍ବନ୍ଧିତ ଖବର