ରାଜ୍ୟର ସ୍ଥାୟୀ କ୍ରୀଡ଼ା ମାସ୍କଟ ହେବ ‘ଓଲି’
ଅଲିଭ୍ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ସଚେତନ ବାର୍ତ୍ତା ବାଣ୍ଟିବେ ରାଜ୍ୟ ସରକାର
ଭୁବନେଶ୍ୱର: ଗତ ଜୁଲାଇରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏସିୟ ଦୌଡ଼କୁଦ ପ୍ରତିଯୋଗିତାରେ ମାସ୍କଟ ରଖାଯାଇଥିବା ‘ଓଲି’କୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାର ଏହାକୁ ସ୍ଥାୟୀ କ୍ରୀଡ଼ା ମାସ୍କଟର ମାନ୍ୟତା ଦେବାକୁ ସ୍ଥିର କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆଗାମୀ ଡିସେମ୍ବର ୧ରୁ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ହକି ଲିଗ୍ ଫାଇନାଲସ୍ ଓ ୨୦୧୮ ନଭେମ୍ବରରୁ ହେବାକୁ ଥିବା ବିଶ୍ୱ କପ୍ ହକି ଚମ୍ପିଅନସିପ୍ରେ ‘ଓଲି’କୁ ମାସ୍କଟ ଭାବେ ଦର୍ଶକ ଦେଖିବାକୁ ପାଇବେ। ମାତ୍ର ଫରକ୍ ଏତିକି ରହିବ ଯେ, ଏସିୟ ଦୌଡ଼କୁଦ ପ୍ରତିଯୋଗିତାରେ ଓଲି ହାତ ଉଠାଇ ଗୋଲ କିପରର ଭୂମିକା ନିଭାଇଲା ଭଳି ଛିଡ଼ା ହୋଇଥିବା ବେଳେ, ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ଓଲିକୁ ଫୁଟବଲ ସହ ଏବଂ ରଗ୍ବୀ ପ୍ରତିଯୋଗିତା ପାଇଁ ରଗ୍ବୀ ବଲ ସହ ଦର୍ଶକ ଦେଖିବାକୁ ପାଇବେ।
ଏସୟ ଦୌଡ଼କୁଦ ପ୍ରତିଯୋଗିତାରେ ମାସ୍କଟ ‘ଓଲି’କୁ ସମସ୍ତ ସମସ୍ତ ଦେଶର ଖେଳାଳି ଓ ଖେଳ ପ୍ରେମୀ ପସନ୍ଦ କରିଥିଲେ। ସେଥିପାଇଁ ରାଜ୍ୟ ସରକାର ଅଲିଭ ରିଡ଼ଲେର ସୁରକ୍ଷା ପାଇଁ ସଚେତନତା ବାର୍ତ୍ତା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଶ୍ୱ ହକି ଲିଗ ଫାଇନାଲସ୍ ପୂର୍ବରୁ ଆଗାମୀ ନଭେମ୍ବର ପ୍ରଥମ ସପ୍ତାହରୁ ଓଲିକୁ ପ୍ରଚାର ଅଭିଯାନରେ ସାମିଲ କରାଯିବ।
ସୂଚନାଯୋଗ୍ୟ, ଅଲିଭ୍ ରିଡ଼ଲେ କଇଁଛଙ୍କ ପାଇଁ ଓଡ଼ିଶା ଉପକୂଳ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି। ଓଡ଼ିଶାର ସମୁଦ୍ର କୂଳରେ ଅଣ୍ଡା ଦେବା ପାଇଁ ହଜାର ହଜାର କିଲୋମିଟର ଦୂର ପାଣିରେ ଅତିକ୍ରମ କରି ଅଲିଭ୍ ରିଡ଼ଲେ ଚନ୍ଦ୍ରଭାଗା, ଋଷିକୁଲ୍ୟା ଓ ଦେବୀ ନଦୀ ମୁହାଣରେ ଅଣ୍ଡା ଦେଇଥାନ୍ତି। ଏଠାକୁ ଅଣ୍ଡା ଦେବାକୁ ଆସୁଥିବା କଇଁଛ ଶାବକଗୁଡ଼ିକ ମଧ୍ୟରୁ ଅଧିକାଂଶ ଅସୁରକ୍ଷିତ। କାରଣ ବିଲୁଆ, କୁକୁର ଓ କାଉମାନେ କଇଁଛ ଶାବକମାନଙ୍କୁ ଖାଇ ଦେଇଥାନ୍ତି।