‘ଅଲିମ୍ପିକ୍ସ ପଦକ ଆଉ ବେଶୀ ଦୂର ନୁହେଁ’

ଭାରତର ଏକମାତ୍ର ବ୍ୟକ୍ତିଗତ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ବନ୍ଧୁକ ଚାଳକ ଅଭିନବ ବିନ୍ଦ୍ରା ଓଡ଼ିଶା କ୍ରୀଡ଼ା ସହ ଯୋଡ଼ି ହୋଇଛନ୍ତି। କଳିଙ୍ଗ ଷ୍ଟାଡିୟମରେ ସେ ସ୍ଥାପନ କରିଛନ୍ତି ଅଭିନବ ବିନ୍ଦ୍ରା ଟା‌ର୍ଗେଟ୍ ଫରଫର୍‌ମାନ୍ସ ‌(ଏବିଟିପି) ସେଣ୍ଟର। ଓଡ଼ିଶା କ୍ରୀଡ଼ାବିତ୍‌ଙ୍କୁ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ କରିବା ଏବଂ ଓଡ଼ିଶାକୁ ପ୍ରଥମ ଅଲିମ୍ପିକ୍ସ ପଦକ ଆଣିବା ତାଙ୍କ କେନ୍ଦ୍ରର ଲକ୍ଷ୍ୟ ବୋଲି ନିଜ କ୍ରୀଡ଼ା ବିଜ୍ଞାନ କେନ୍ଦ୍ରର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ଅଭିନବ କହିଛନ୍ତି। ୨୦୦୮ରେ ଚୀନର ବେଜିଂଠାରେ ବନ୍ଧୁକଚାଳନାର ବ୍ୟକ୍ତିଗତ ସ୍ବର୍ଣ୍ଣ ଜିତି ଅଭିନବ ଇତିହାସ ରଚିଥିବା ଏହି ମହାନ ଖେଳାଳି ସୋମବାର ଅଲିମ୍ପିକ୍ସ ବିଜୟ ଅଭିଜ୍ଞତା ବାଣ୍ଟିବା ସହ ଓଡ଼ିଶା ପାଇଁ ଥିବା ତାଙ୍କ ଦୀର୍ଘ ମିଆଦି ଯୋଜନା ବିଷୟରେ ବିସ୍ତୁତ ବିବରଣୀ ପ୍ରଦାନ କରିଥିଲେ।
ସମ୍ବାଦ: ମୋହାଲି, ଦିଲ୍ଲୀ, ବେଙ୍ଗାଲୁରୁ ପରେ ଏବିଟିପିର ଚତୁର୍ଥ ଶାଖା ପାଇଁ ଭୁବନେଶ୍ବରକୁ ବାଛିଛନ୍ତି। ଏହାର କିଛି ନିର୍ଦିଷ୍ଟ କାରଣ ଅଛି କି?
ଅଭିନବ: ଓଡ଼ିଶାକୁ ଆସିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ। ଏହା ଏକ ଚମତ୍କାର ଅଭିଜ୍ଞତା। ସାହାଯ୍ୟ ଓ ସହଯୋଗ ପାଇଁ ମୁଁ ଓଡ଼ିଶା ସରକାରଙ୍କ ନିକଟରେ ଋଣୀ। ଏଠାରେ କାର୍ଯ୍ୟ କରିବା ଏବଂ ଏଠାକାର ଖେଳାଳିଙ୍କୁ ସାହାଯ୍ୟ କରିବା ଲାଗି ମୁଁ ପୂରା ଉତ୍ସାହିତ ଓ ବ୍ୟଗ୍ର। ଓଡ଼ିଶା ସରକାରଙ୍କ ସମର୍ଥନ ପାଇଁ ଖୁବ୍‌ କମ୍ ସମୟ ମଧ୍ୟରେ ଆମେ ଏହି କେନ୍ଦ୍ରକୁ କାର୍ଯ୍ୟକ୍ଷମ କରି ପାରିଛୁ। ବିଶ୍ବସ୍ତରୀୟ ସୁବିଧା ସୁଯୋଗଠାରୁ ବହୁ ଦୂରରେ ଥିବା ଓଡ଼ିଶା ଖେଳାଳିଙ୍କୁ ଏଭଳି ସୁବିଧା ସୁଯୋଗ ଯୋଗାଇ ମୁଁ ବହୁତ ଖୁସି। ସବୁ ପ୍ରକାର ଖେଳର ଖେଳାଳି ଏହାର ସୁବିଧା ସୁଯୋଗ ନେଇ ପାରିବେ। ଭୁବନେଶ୍ବର କେନ୍ଦ୍ରର ଲାଭ ସମଗ୍ର ପୂର୍ବ ଭାରତ ନେଇ ପାରିବ ବୋଲି ଆଶା କରୁଛି। ବିଜ୍ଞାନକୁ କ୍ରୀଡ଼ା ସହ ଯୋଡ଼ି ଖେଳାଳିଙ୍କଠାରୁ ଶ୍ରେଷ୍ଠ ପ୍ରଦର୍ଶନ ବାହାର କରିବା ହିଁ ଆମର ଲକ୍ଷ୍ୟ। ମୋହାଲି, ଦିଲ୍ଲୀ ଓ ବେଙ୍ଗାଲୁରୁଠାରୁ ଭୁବନେଶ୍ବର କେନ୍ଦ୍ର ଢେର ଉନ୍ନତ ଓ ଆଧୁନିକ ବୋଲି ମୁଁ କହି ପାରିବି।
ସମ୍ବାଦ: ଆପଣ ଜଣେ ବିଶ୍ବସ୍ତରୀୟ ବନ୍ଧୁକ ଚାଳକ। ଓଡ଼ିଶାର ବନ୍ଧୁକ ଚାଳକଙ୍କ ପାଇଁ ଏହି କେନ୍ଦ୍ର କିଭଳି ଭାବେ ଲାଭ ଦାୟକ ହୋଇ ପାରିବ ?
ଅଭିନବ: କେବଳ ବନ୍ଧୁକ ଚାଳନା ନୁହେଁ। ସବୁ ଖେଳ ପାଇଁ ଏହା ଉପଯୋଗୀ ସାବ୍ୟସ୍ତ ହେବ। ଜଣେ ବନ୍ଧୁକ ଚାଳକ ଭାବେ ଏଭଳି କେନ୍ଦ୍ରରୁ ମୁଁ ବ୍ୟକ୍ତିଗତ ଭାବେ ବହୁତ ଲାଭବାନ ହୋଇଛି। ବନ୍ଧୁକ ଚାଳନାରେ ସନ୍ତୁଳନ ଏବଂ ଧୈର୍ଯ୍ୟର ଯଥେଷ୍ଟ ଆକଶ୍ୟକତା ରହିଛି। ଏବିଟିପିରେ ଆମେ ଖେଳାଳିଙ୍କ ସନ୍ତୁଳନ ଓ ଶକ୍ତି ସହ ଅନ୍ୟାନ୍ୟ ଦିଗର ବିକାଶ ଲାଗି କାର୍ଯ୍ୟ କରୁଛୁ। ଖେଳାଳିମାନେ ଏଠାରେ ଥିବା ବିଶ୍ବସ୍ତରୀୟ ସୁବିଧା ସୁଯୋଗର ବ୍ୟବହାର ସହ ନିଜ କ୍ରୀଡ଼ା କୌଶଳର ବିକାଶ କରି ପାରିବେ।
ସମ୍ବାଦ: ବନ୍ଧୁକ ଚାଳନା ବିଶ୍ବକପ୍ ଆସନ୍ତା ୨୮ରୁ ଆରମ୍ଭ ହେଉଛି। ଭାରତୀୟ ବନ୍ଧୁକ ଚାଳକଙ୍କ ପାଇଁ ଏହା କେତେ ଗୁରୁତ୍ବପୂର୍ଣ୍ଣ। ୨୦୨୦ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ ପାଇଁ ଏଠାକାର ପ୍ରଦର୍ଶନ ‌କେତେ ମହତ୍ବପୂର୍ଣ୍ଣ?
ଅଭିନବ: ବିଶ୍ବକପ୍ ନିଶ୍ଚିତ ଭାବେ ଗୁରୁତ୍ବପୂର୍ଣ୍ଣ। ଏଠାରୁ ଆମ ବନ୍ଧୁକ ଚାଳକମା‌ନେ ଅଲିମ୍ପିକ୍ସ ଟିକେଟ ହାସଲ କରି ପାରିବେ। ଭାରତୀୟ ବନ୍ଧୁକ ଚାଳକ ବିଶ୍ବକପରେ ଭଲ ପ୍ରଦର୍ଶନ କରିବେ ବୋଲି ମୋର ଆଶା ଓ ବିଶ୍ବାସ ରହିଛି। ଟୋକିଓ ଅଲିମ୍ପିକ୍ସରେ ଭାରତ ଗତଥର ଅପେକ୍ଷା ଅଧିକ ପଦକ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି।
ସମ୍ବାଦ: ଏବିଟିପି ଆରମ୍ଭ ହେବାର କେତେ ବର୍ଷ ଭିତରେ ଓଡ଼ିଶାକୁ ଅଲିମ୍ପିକ୍ସ ପଦକ ଆସି ପାରିବ ବୋଲି ଭାବୁଛନ୍ତି?
ଅଭିନବ: ଏଥିନେଇ ମୁଁ କୌଣସି ସଂଖ୍ୟା ଦେଇ ପାରିବି ନାହିଁ। ହେଲେ ଓଡ଼ିଶାରେ ଯେଭଳି ଭାବେ କ୍ରୀଡ଼ା ବିକାଶ ହେଉଛି, ସେହି ସଫଳତା ଆଉ ବେଶୀ ଦୂର ନୁହେଁ। କ୍ରୀଡ଼ା ବିକାଶ ଦିନକ ଭିତରେ ହୁଏ ନାହିଁ। ଏହା ଏକ ସୁସଂଗଠିତ ପ୍ରକ୍ରିୟା। ତେବେ ମୁଁ କହିପାରିବି ଯେ ଓଡ଼ିଶା ସଠିକ୍ ଦିଗରେ ଅଛି। ଏଠାରେ ‌ହେଉଥିବା କାର୍ଯ୍ୟକୁ ନେଇ ମୁଁ ବହୁତ ଖୁସି। ଆଶା କରୁଛି ଆମେ ଆଗାମୀ ସମୟରେ ନିଶ୍ଚିତ ଭାବେ ଭଲ ଖବର ପାଇବା।
ସମ୍ବାଦ: ଆପଣ ୨୦୦୮ରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିଥିଲେ। ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ବନ୍ଧୁକ ଚାଳନାରେ କିଭଳି ଓ କି ପରିବର୍ତନ ଆସିଛି ବୋଲି ଭାବୁଛନ୍ତି?
ଅଭିନବ: ଅନେକ କିଛି ବଦଳି ଯାଇଛି। ଘରୋଇ ପ୍ରତିଯୋଗିତାର ସ୍ତର ଓ ସଂଖ୍ୟା ଯଥେଷ୍ଟ ବଢ଼ିଛି। ମୁଁ ଖେଳିଲା ବେଳେ ଜାତୀୟ ପ୍ରତିଯୋଗିତାରେ ୨୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରୁଥିଲେ। ଏବେ ଏହି ସଂଖ୍ୟା ୭୫୦୦ରେ ପହଞ୍ଚିଲାଣି। ଯାହା ମୋତେ ବହୁତ ଖୁସି ଦେଉଛି। ୨୦୨୦ ଅଲିମ୍ପିକ୍ସରେ କିଏ ପଦକ ଜିତିବ କହିବା କଷ୍ଟକର। ହେଲେ ଆମ ପାଖରେ ଭଲ ପ୍ରତିଭା ଅଛି ବୋଲି କହି ପାରିବି। ଆମକୁ କିନ୍ତୁ ନିଜ ଲୋକଙ୍କୁ ସକ୍ଷମ କରିବାକୁ ହେବ। କ୍ରୀଡ଼ା ସଂସ୍କୃତି ସହ କ୍ରୀଡ଼ା‌ ବାତାବରଣ ସୃଷ୍ଟି କରିବାକୁ ହେବ। ଯେତେ‌ ଭାରତୀୟ ପ୍ରଶିକ୍ଷକ ସୃଷ୍ଟି ‌ହେବ, ସେତେ ଭଲ। ଆମକୁ ଅବଶ୍ୟ ବିଦେଶୀ ବିଶେଷଜ୍ଞଙ୍କ ସହାୟତା ନେବାକୁ ପଡ଼ିବ। ମୁଁ ଭାବୁଛି ଓଡ଼ିଶାର ଅଲିମ୍ପିକ୍ସ ପଦକ ମରୁଡ଼ି ଖୁବଶୀଘ୍ର ଦୂର ହେବ।
ସମ୍ବାଦ: କ୍ରୀଡ଼ା ବିକାଶ ପାଇଁ ବିଜ୍ଞାନ ଏବଂ ବୈଷୟିକ କୌଶଳର କେତେ ମହତ୍ବ ରହିଛି?
ଅଭିନବ: ଅଲିମ୍ପିକ୍ସରେ ପଦକ ଓ ପରାଜୟ ମଧ୍ୟରେ ୧ ପ୍ରତିଶତରୁ ବି କମ୍ ଫରକ ରହିଥାଏ। ଆପଣଙ୍କୁ ଯଦି ଅଲିମ୍ପିକ୍ସ ପଦକ ଜିତିବାର ଅଛି, ତାହଲେ ବିଜ୍ଞାନ ଏବଂ ବୈଷୟିକ କୌଶଳର ସଠିକ୍ ଉପଯୋଗ କରିବାକୁ ହେବ। ଅଲିମ୍ପିକ୍ସର ଶ୍ରେଷ୍ଠ ୨୦ କିମ୍ବା ୨୫ ଖେଳାଳିଙ୍କ ସ୍ତର ସମାନ ଥାଏ। ହେଲେ ଯିଏ ବିଜ୍ଞାନକୁ ଭଲ ଭାବରେ ବ୍ୟହହାର କରିଥାଏ, ସିଏ ହିଁ ବିଜେତା ଆଖ୍ୟା ଅର୍ଜନ କରିଥାଏ।
ସମ୍ବାଦ: ଶ୍ରୀୟଙ୍କା ଷଡ଼ଙ୍ଗୀ ‌ହେଉଛନ୍ତି ଓଡ଼ିଶାର ଏକ ନମ୍ବର ମହିଳା ବନ୍ଧୁକ ଚାଳକ। ତାଙ୍କ ଭିବଷ୍ୟତ ନେଇ ଆପଣ କେତେ ଆଶାବାଦୀ?
ଅଭିନବ: ଶ୍ରୀୟଙ୍କାଙ୍କୁ ମୁଁ ବ୍ୟକ୍ତିଗତ ଭା‌ବେ ଜାଣିଛି। ସେ ବେଶ୍ ପ୍ରତିଭାବାନ। ଆଗକୁ କେବଳ ଓପନ୍ ବର୍ଗ ନୁହେଁ ବିଭିନ୍ନ ବିଶ୍ବ ପ୍ରତିଯୋଗିତାରେ ସେ ପଦକ ଜିତିବେ ବୋଲି ମୋର ଆଶା ଓ ବିଶ୍ବାସ ରହିଛି। ଏହି ସଫଳତା ଖୁବଶୀଘ୍ର ଆସିବ।

ସମ୍ବନ୍ଧିତ ଖବର