ସୁନ୍ଦରଗଡ଼/କାଂଶବାହାଲ : ବିଶ୍ୱକପ ହକି ପାଇଁ ସମଗ୍ର ସୁନ୍ଦରଗଡ଼ ଜିଲ୍ଲା ଚଳଚଞ୍ଚଳ ଥିଲାବେଳେ ଏହି ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ହକି ତାରକା। ୨୮ ବର୍ଷିୟା ଅଲିମ୍ପିଆନ ଲିଲିମା ମିଞ୍ଜ ଶୁକ୍ରବାର ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ଷ୍ଟାନ୍ଲି ଭିକ୍ଟର ମିଞ୍ଜଙ୍କୁ ବିବାହ କରିଛନ୍ତି। ରାଜଗାଙ୍ଗପୁର ବିହାବନ୍ଧସ୍ଥ କୃଷ ବିଜୟ କଥୋଲିକ ଚର୍ଚ୍ଚରେ ଖ୍ରୀଷ୍ଟିଆନ ଧର୍ମ ରୀତିନୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ପ୍ରଥମେ ଉଭୟଙ୍କ ସୁଖମୟ ଦାମ୍ପତ୍ୟ ପାଇଁ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ପରେ ସେମାନେ ପରସ୍ପରକୁ ମୁଦି ପିନ୍ଧାଇଥିଲେ। ଲିଲିମାଙ୍କ ମଥାରେ ଷ୍ଟାନଲି ସିନ୍ଦୂର ପିନ୍ଧାଇଥିଲେ ଏବଂ ଲିଲିମା ପାଲଟା ସିନ୍ଦୂର ଲଗାଇଥିଲେ ତାଙ୍କ ବେକରେ।
ବିହାବନ୍ଧ ଚର୍ଚ୍ଚର ଫାଦର ବିପିନ ମାଝୀ, ସଞ୍ଜିତ କେର୍କେଟା, ବିପିନ କୁଜୁର, ପାଉଳସ ଏକ୍କା, ପ୍ରତାପ କୁଲୁ ପ୍ରମୁଖ ବିବାହ ସମ୍ପନ୍ନ କରାଇଥିଲେ। ପୂର୍ବାହ୍ନ ୯ଟାରୁ ୧୧ଟାରୁ ପର୍ଯ୍ୟନ୍ତ ସଙ୍ଗୀତମୟ ପରିବେଶରେ ସମ୍ପନ୍ନ ହୋଇଥିଲା। ଏଥିରେ ଉଭୟଙ୍କ ପରିବାର ସଦସ୍ୟଙ୍କ ସମେତ ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲୀପ ତିର୍କି, ପତ୍ନୀ ମୀରା ତିର୍କି, ଅଲିମ୍ପିଆନ ସୁନିତା ଲାକ୍ରା, ନମିତା ଟପ୍ପୋ, ଅନ୍ତର୍ଜାତୀୟ ଖେଳାଳି ପୁନମ ବାର୍ଲା, ଅମନ ମିରାଜ ତିର୍କି, ସମୀର ବାଖଲା, ବରିଷ୍ଠ ପ୍ରଶିକ୍ଷକ ସିଲଭେଷ୍ଟର ଟପ୍ପୋ ପ୍ରମୁଖ ସାମିଲ ହୋଇଥିଲେ। ପରେ ତାନାଟୋଲି ସ୍ଥିତ ଲିଲିମାଙ୍କ ଘରେ ଭୋଜିର ଆୟୋଜନ ହୋଇଥିଲା।
ବିବାହ ପରେ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟଗୀତରେ ଚର୍ଚ୍ଚ ପରିସର ଝୁମି ଉଠିଥିବା ବେଳେ ଲିଲିମାଙ୍କ ପୈତୃକ ବାସଭବନ ତାନାଟୋଲିରେ ଭୋଜିଭାତର ଆୟୋଜନ ହୋଇଥିଲା। ବିବାହ ଉତ୍ସବରେ ସମସ୍ତେ ଯୋଗଦେଇ ଆର୍ଶୀବାଦ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ନବ ଦମ୍ପତି ଷ୍ଟାନ୍ଲି ଓ ଲିଲିମା। ଲିଲିମାଙ୍କ ହାତ ଧରିଥିବା ଷ୍ଟାନ୍ଲି ହେଉଛନ୍ତି କେଶ୍ରାମାଲର ମୂଳ ନିବାସୀ। ଗତ ନଭେମ୍ବର ୪ ତାରିଖରେ ସେମାନଙ୍କ ନିର୍ବନ୍ଧ ସରିଥିଲା।
ସୂଚନାଯୋଗ୍ୟ, ରାଜଗାଙ୍ଗପୁର ବ୍ଲକ୍ ତାନାଟୋଲିରେ ୧୯୯୪ ଏପ୍ରିଲ ୧୦ରେ ଜନ୍ମଗ୍ରହଣ କରିଥିବା ଲିଲିମାଙ୍କ ପିଲାଦିନୁ ହକି ପ୍ରତି ରୁଚି ଥିଲା। ସେ ରାଉରକେଲା ପାନପୋଷ କ୍ରୀଡ଼ା ଛାତ୍ରାବାସରେ ତାଲିମ ନେଇ ୨୦୧୧ରେ ଭାରତୀୟ ମହିଳା ହକି ଦଳରେ ସାମିଲ ହୋଇଥିଲେ। ୨୦୧୩ ଜୁନିୟର ହକି ବିଶ୍ବକପରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ମହିଳା ଦଳରେ ସଦସ୍ୟା ଥିଲେ। ୨୦୧୮ରେ ସେ ଜାତୀୟ ଦଳରେ ୧୦୦ ମ୍ୟାଚ୍ ଖେଳିବାର ରେକର୍ଡ ଅର୍ଜନ କରିଥିଲେ। ଏହା ସହ ୨୦୧୬ ରିଓ ଅଲିମ୍ପିକରେ ଲିଲିମା ଭାରତୀୟ ମହିଳା ହକି ଦଳର ପ୍ରତିନିଧିତ୍ବ କରିଥିଲେ। ଏହା ପରେ ୨୦୨୨ ଜାନୁଆରି ୧୩ରେ ଲିଲିମା ହକିରୁ ଅବସର ଘୋଷଣା କରିଥିଲେ।