ସହିଦଙ୍କୁ ସଲାମ୍‌, ଚୀନ୍‌ ସାମଗ୍ରୀ ବର୍ଜନ କରିବାକୁ ଅଲିମ୍ପିଆନଙ୍କ ଆହ୍ବାନ

ନୂଆଦିଲ୍ଲୀ: ବିଶ୍ବାସଘାତକ ଚୀନ୍‌ର ଛଳନାର ଶିକାର ହୋଇ ଲଦାଖର ଗଲୱାନ ଘାଟିରେ ସହିଦ ହୋଇଥିବା ୨୦ ଜଣ ଭାରତୀୟ ବୀର ଯବାନକୁ କ୍ରୀଡ଼ା ଜଗତ ସଲାମ କରିଛି। ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କଠାରୁ ଆରମ୍ଭ କରି ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହୱାଲଙ୍କ ପର୍ଯ୍ୟନ୍ତ, ଦେଶର ସଫଳ ତଥା ଲୋକପ୍ରିୟ ଖେଳାଳିମାନେ ଭାରତୀୟ ସେନାର ସାହସ ଓ ବଳିଦାନକୁ ପ୍ରଶଂସା କରିବା ସହ ଦେଶର ସୁଯୋଗ୍ୟ ସନ୍ତାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କୋହଲି କହିଛନ୍ତି ଯେ ଦେଶର ସୁରକ୍ଷା କରି ଗଲୱାନ ଘାଟିରେ ସହିଦ ହୋଇଥିବା ସୈନିକମାନଙ୍କୁ ମୁଁ ସଲାମ କରୁଛି। ଜଣେ ସୈନିକଠାରୁ ଅନ୍ୟ କେହି ନିସ୍ବାର୍ଥପର ଓ ସାହସୀ ହୋଇ ପାରିବ ନାହିଁ। ସେମାନଙ୍କ ପରିବାରବର୍ଗ ପ୍ରତି ମୋର ଗଭୀର ସମବେଦନା ରହିଛି। ଏହି କଷ୍ଟକର ସମୟରେ ଆମ ପ୍ରାର୍ଥନା ମାଧ୍ୟମରେ ସେମାନେ ଶାନ୍ତିର ଅନୁଭବ କରି ପାରିବେ ବୋଲି ଆଶା କରୁଛି। ଭାରତୀୟ କ୍ରିକେଟ୍ ଦଳର ହିଟ୍‌ମ୍ୟାନ୍ ରୋହିତ ଶର୍ମା ଲେଖିଛନ୍ତି ଯେ ଆମ ଅସଲ ହିରୋଙ୍କୁ ମୋର ସାଲ୍ୟୁଟ। ସୀମାର ସୁରକ୍ଷା ଓ ଦେଶ ମାତୃକାର ସମ୍ମାନ ଲାଗି ସେମାନେ ନିଜ ଜୀବନକୁ ବଳି ଦେଲେ।

ଏହି ଅଦିନିଆ ଧକ୍କା ସହିବାକୁ ସେମାନଙ୍କ ପରିବାରକୁ ଶକ୍ତି ଓ ସାମର୍ଥ୍ୟ ମିଳୁ। ଫୁଟବଲର୍‌ ବାଇଚୁଙ୍ଗ ଭୂତିଆ ଚୀନର ଆକ୍ରାମକ ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଚୀନ ଗତ ସପ୍ତାହରେ ତା’ର ନାଗରିକମାନଙ୍କୁ ଭାରତ ଛାଡ଼ିବାକୁ କହିଥିଲା। ସୀମାରେ ଆମ ଯବାନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଭାବୁଛି। ଚୀନର ଏହି କାପୁରୁଷ କାମ ପାଇଁ ଆମେ ତାକୁ କଠୋର ଶବ୍ଦରେ ନିନ୍ଦା କରୁଛୁ। ଭାରତ ସରକାର ଚୀନ ଆଗରେ ମୁଣ୍ଡ ନନୁଆଁଇ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର କହିଛନ୍ତି ଯେ ସୀମା ସୁରକ୍ଷା ଲାଗି ନିଜ ପ୍ରାଣ ବଳି ଦେଇ କୋଟି କୋଟି ଭାରତୀୟଙ୍କୁ ଅନୁପ୍ରେରିତ କରିଥିବା ବୀର ଯବାନମାନେ ଆମ ହୃଦୟରେ ବଞ୍ଚି ରହିବେ। ସମଗ୍ର ଦେଶ ଏମାନଙ୍କ ପାଇଁ ମର୍ମାହତ। ସେମାନଙ୍କ ନିସ୍ବାଥର୍ପର ପରିବାର ଓ ପିତାମାତାଙ୍କ ସହ ସମଗ୍ର ଭାରତ ବର୍ଷ ଅଛି। ଗଭୀର ସମବେଦନା ଓ ଶ୍ରଦ୍ଧାଞ୍ଜଳି। ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହବାଗ, ଯୁବରାଜ ସିଂହ, ଦ୍ରୁତ ବୋଲର ଈଶାନ୍ତ ଶର୍ମା, ଭୁବନେଶ୍ବର କୁମାର ପ୍ରମୁଖ ମଧ୍ୟ ବୀର ଯବାନମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତୁମ ବଳିଦାନ ଜୀବନ ଥିଲା ଯାଏ ମନେ ରହିବ। ସମଗ୍ର ଦେଶ ଆପଣମାନଙ୍କ ପାଇଁ ଗର୍ବିତ ବୋଲି ସାଇନା ତାଙ୍କ ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ କହିଛନ୍ତି।

ଚୀନ୍‌ ସାମଗ୍ରୀ ବର୍ଜନ କରିବାକୁ ଅଲିମ୍ପିଆନଙ୍କ ଆହ୍ବାନ
ସୀମାରେ ଚୀନର ଦାଦାଗିରି ଓ ଭାରତୀୟ ସୈନିକଙ୍କୁ ହତ୍ୟାକୁ ଘୋର ନିନ୍ଦା କରିଛନ୍ତି ଅଲମ୍ପିଆନ୍ କୁସ୍ତି ତାରକା ସୁଶୀଲ କୁମାର। ଏପରିକି ଚୀନ ସାମଗ୍ରୀର ସଂପୂର୍ଣ୍ଣ ବହିଷ୍କାର ଓ ବର୍ଜନ କରିବାକୁ ସେ ସବୁ ଭାରତୀୟଙ୍କୁ ଆହ୍ବାନ କରିଛନ୍ତି। ସୁଶୀଲ କହିଛନ୍ତି ଯେ ଚୀନ ସୈନିକଙ୍କ ସହ ମୁହାଁମୁହିଁ ହେଲା ବେଳେ ଆମର ୨୦ ଜଣ ସୈନିକ ସହିଦ ହୋଇଥିବା ଖବର ଶୁଣି ମୁଁ ଅତ୍ୟନ୍ତ ବ୍ୟଥିତ। ଦେଶ ମାତୃକାର ସେବା କରି ନିଜ ପ୍ରାଣର ବଳିଦାନ ଦେଇଥିବା ଏହି ବୀର ଯବାନମାନଙ୍କୁ ମୁଁ ସଲାମ କରୁଛି। ସମଗ୍ର ବିଶ୍ବ କରୋନା ମହାମାରୀକୁ ହରାଇବାକୁ ଲଢ଼େଇ କରୁଥିଲା ବେଳେ ଚୀନ ଏଭଳି କୁକର୍ମ କରୁଛି। ଆମେ ଚୀନ ସହ ଭଲ ସଂପର୍କ ରଖିବାର ଆବଶ୍ୟକତା ନାହିଁ। ବରଂ ଆମେ ସେମାନଙ୍କ ସାମଗ୍ରୀକୁ ସଂପୂର୍ଣ୍ଣ ବର୍ଜନ କରିବା ଉଚିତ। ଚୀନ ସାମଗ୍ରୀ ଯେମିତି ଭାରତ ଭିତରକୁ ପ୍ରବେଶ ନକରେ, ସେ ଭଳି ନୀତି ସରକାର କରନ୍ତୁ।

ସମ୍ବନ୍ଧିତ ଖବର