ଅଲିମ୍ପିଆନ୍‌ଙ୍କ ରାଜ୍ୟ ‘ହରିୟାଣା’

ନୂଆଦିଲ୍ଲୀ: ଭାରତର ମୋଟ ଜନସଂଖ୍ୟାରୁ ମାତ୍ର ୨.୦୯ ପ୍ରତିଶତ ଲୋକ ହରିୟାଣାରେ ବାସ କରନ୍ତି। କିନ୍ତୁ ଦେଶର କ୍ରୀଡ଼ା ଇତିହାସରେ ଏହି ରାଜ୍ୟ ସର୍ବାଧିକ ବ୍ୟକ୍ତିଗତ ଅଲିମ୍ପିକ୍ସ ପଦକ ଅର୍ଜନ କରିପାରିଛି। ଅଲିମ୍ପିକ୍ସର ୧୨୫ ବର୍ଷ ଇତିହାସରେ ଭାରତ ମୋଟ ୩୫ ପଦକ ଜିତିଛି। ତା’ ମଧ୍ୟରୁ ହକିରୁ ୧୨ ପଦକକୁ ଛାଡ଼ିଦେଲେ ଅନ୍ୟ ୨୩ଟି ବ୍ୟକ୍ତିଗତ ପଦକ। ଏହି ୨୩ଟି ମଧ୍ୟରୁ ୮ଟି ଆସିଛି ହରିୟାଣାରୁ। କ୍ରୀଡ଼ା କ୍ଷେତ୍ରକୁ ଛାଡ଼ିଦେଲେ ହରିୟାଣା ଏତେ ସ୍ବତନ୍ତ୍ର ପରିଚୟ ପାଉନଥିଲେ ମଧ୍ୟ ଏବେ କ୍ରୀଡ଼ା ପାଇଁ ଢେର ଆଗରେ ପହଞ୍ଚିଯାଇଛି। ଜାଠ୍‌ ସମ୍ପ୍ରଦାୟ ଏବଂ ହରୢାନ୍‌ଭୀ ଭାଷାକୁ ନେଇ ପରିଚିତ ହରିୟାଣା ରାଜ୍ୟ ଦେଶର ସବୁଠୁ ଖରାପ ଲିଙ୍ଗଗତ ଅନୁପାତ, ଶିଶୁକନ୍ୟା ହତ୍ୟା, ଅପରାଧ, ଉଚ୍ଚ ବେକାରୀ ଭଳି ଖରାପ କାହାଣୀ ପାଇଁ ମଧ୍ୟ ଖବରରେ ରହିଥାଏ।

ମରଣ ମୁହଁରୁ ଫେରି ଶତ୍ରୁକୁ ହତ୍ୟା କରିବାର କାହାଣୀ ମଧ୍ୟ ଜାଠ ସମ୍ପ୍ରଦାୟରେ ରହିଛି। ଏହାର ପରୋକ୍ଷ ପ୍ରଭାବ ଟୋକିଓ ଅଲିମ୍ପିକ୍ସରେ ଦେଖିବାକୁ ମିଳିଥିଲା ଯେତେବେଳେ କୁସ୍ତିଯୋଦ୍ଧା ରବି ଦାହିୟା ୨-୯ରେ ପଛୁଆ ଥାଇ ସେମିଫାଇନାଲ୍ ଜିତିଥିଲେ। ବାଉଟ୍‌ର ଶେଷ ୧୦ ସେକେଣ୍ଡ୍‌ରେ ସେ ଚମତ୍କାର ଖେଳ ଦେଖାଇ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାହତ କରିଥିଲେ। ସେହି ଦୃଷ୍ଟିରୁ କ୍ରୀଡ଼ା ମଇଦାନରେ ବିଶେଷ କରି ଅଲିମ୍ପିକ୍ସରେ ହରିୟାଣା କ୍ରୀଡ଼ାବିତ୍‌ ବ୍ୟକ୍ତିଗତ ପଦକର ୩୦ ପ୍ରତିଶତ ଜିତି ନେଇଛନ୍ତି। କେବଳ ଖେଳ ନୁହେଁ ରାଜ୍ୟରେ କୃଷି ଓ ସେନାବାହିନୀରେ ଯୋଗଦେବାରେ ମଧ୍ୟ ଏମାନେ ପ୍ରମୁଖ ରହିଛନ୍ତି। କୃଷିକ୍ଷେତ୍ର ଓ ଯୁଦ୍ଧ‌‌କ୍ଷେତ୍ରର ଶାରୀରିକ ଆବଶ୍ୟକତା ହିଁ ସେମାନଙ୍କ ଅଲିମ୍ପିକ୍ସ ସ୍ବପ୍ନକୁ ସାକାର କରିବାର ଆଭ୍ୟନ୍ତରୀଣ ରହସ୍ୟ ରହିଛି। ରାଜ୍ୟର ବହୁ ପୂର୍ବତନ ଅଲିମ୍ପିଆନଙ୍କ ମଧ୍ୟରୁ ଲିଲା ରାମ, ଦେବୀ ସିଂହ ଏବଂ ଲଙ୍ଗ ଜମ୍ପର୍‌ ରାମ ମେହେର ଆର୍ମିରେ ଥିଲେ। ଏବେ ଯଦି ଦେଖିବା ରାଜ୍ୟର ଅଧିକାଂଶ ଅଲିମ୍ପିଆନ୍‌ ଭିୱାନୀ, ରିୱାରୀ, ସୋନିପତ ଓ ନଫଜଗଡ଼ରୁ ଆସିଛନ୍ତି, ଯେଉଁଠି ଆର୍ମିର ସର୍ବାଧିକ ପ୍ରଭାବ ରହିଛି। ଏବେ ବି ଏସବୁ ଜିଲ୍ଲାର ପ୍ରତି ଘରେ ସୈନିକ ରହିଛନ୍ତି। କୃଷିକ୍ଷେତ୍ର ଏବଂ ଯୁଦ୍ଧକ୍ଷେତ୍ର ପାଇଁ ଆବଶ୍ୟକ ହେଉଥିବା ଶାରୀରିକ ଦକ୍ଷତା ସେମାନଙ୍କୁ ବିଶ୍ବ ବିଜେତା କରାଇବାର ସୁଠାମ ଚେହେରା ଦେଇଛି। ସର୍ବବ୍ୟାପୀ କ୍ରିକେଟ୍‌ ହେଉ କି କୁସ୍ତିଆଖାଡ଼ା କିମ୍ବା ମୁଷ୍ଟିଯୁଦ୍ଧ ରିଂଙ୍ଗ ହରୢାନ୍‌ଭୀଙ୍କ ପ୍ରଭାବ ପଡ଼ିଛି। ରାଜ୍ୟର ପିଲାମାନଙ୍କୁ ଅତି ଛୋଟ ବୟସରୁ ବି ଆଖଡ଼ାରେ ଦେଖିବାକୁ ମିଳିଥାଏ।

ଏବେ ନିଶ୍ଚିତ ଭାବେ ଲଗାତାର କ୍ଷମତାରେ ଥିବା ହରିୟାଣା ସରକାରଙ୍କୁ ଶ୍ରେୟ ମିଳିବ। ମହିଳା, ଶିଶୁକନ୍ୟାଙ୍କ ପାଇଁ ବିକାଶ ଯୋଜନା ଏବେ ଏ‌ହି ପୁରୁଣାକାଳିଆ ବିଚାରଧାରା ମାନସିକତାର ଲୋକଙ୍କୁ କ୍ରୀଡ଼ାଭିମୁଖୀ କରିପାରିଛି। ଦେଶର ପ୍ରଥମ ରାଜ୍ୟ ଭାବେ କ୍ରୀଡ଼ା ପ୍ରତିଭାଙ୍କୁ ଉତ୍ସାହିତ କରିଛି। ୨୦୦୦ ମସିହାରେ ହରିୟାଣା ଏହାର କ୍ରୀଡ଼ା ନୀତି ଲାଗୁ କରିବା ପରଠାରୁ ସୁଫଳ ପାଇ ଚାଲିଛି। ୨୦୦୦ ମସିହା ସିଡନି ଅଲିମ୍ପିକ୍ସ ପୂର୍ବରୁ ପଦକ ବିଜେତାଙ୍କ ଲାଗି ପୁରସ୍କାର ରାଶି କିଛି ହଜାର ଟଙ୍କାରେ ସୀମିତ ରଖାଯାଇଥିଲା। କେବଳ ସ୍ବର୍ଣ୍ଣ ବିଜେତାଙ୍କ ପାଇଁ ୧ ଲକ୍ଷ ରହିଥିଲା। ୨୦୦୦ ମସିହାରେ ଓମ ପ୍ରକାଶ ଚୌତାଲାଙ୍କ ସରକାର କାଂସ୍ୟ ପାଇଁ ୨୫ ଲକ୍ଷ, ରୌପ୍ୟ ପାଇଁ ୫୦ ଏବଂ ସ୍ବର୍ଣ୍ଣ ପାଇଁ ୧ କୋଟି ଘୋଷଣା କରିବା ଭାରତୀୟ କ୍ରୀଡ଼ା ଇତିହ‌ାସରେ ନିର୍ଣ୍ଣାୟକ ମୋଡ଼ ନେଇଥିଲା। ସ୍ବର୍ଣ୍ଣ ପାଇଁ ହଠାତ୍‌ ପୁରସ୍କାର ରାଶି ୧ ଲକ୍ଷରୁ ୧ କୋଟିକୁ ବଢ଼ିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଅବଶ୍ୟ ଏହି ଘୋଷଣାର ୨୦ ବର୍ଷ ପରେ ସ୍ବର୍ଣ୍ଣ ପଦକ ଆସିଛି। ୨୦୦୧ ମସିହାରେ ମଧ୍ୟ ହରିୟାଣା କ୍ୟାବିନେଟ୍ ଏହାର ସିଭିଲ୍ ସର୍ଭିସ୍ ଓ ପୁଲିସ୍ ସର୍ଭିସ୍‌ରେ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ସିଧାସଳଖ ନିଯୁକ୍ତ ଦେବାକୁ ନିଷ୍ପତ୍ତି ନେବା ରାଜ୍ୟରେ ବୈପ୍ଳବିକ ପରିବେଶ ସୃଷ୍ଟି କରିଥିଲା। ଏହାପରେ ଆସିଥିବା କଂଗ୍ରେସ ଓ ବର୍ତମାନର ଭାଜପା ସରକାର ମଧ୍ୟ ପୁରସ୍କାର ଓ ପ୍ରୋତ୍ସାହନ ରାଶିକୁ ବଢ଼ାଇଥିଲେ। କ୍ରୀଡ଼ା ଭିତ୍ତିଭୂମି ମଧ୍ୟ ବଢ଼ାଇବାର ବ୍ୟବସ୍ଥା କରିଥିଲେ। ଏ କ୍ଷେତ୍ରରେ ହରିୟାଣା ସରକାର ଅନ୍ୟ ସମସ୍ତ ରାଜ୍ୟକୁ ପଛରେ ପକାଇ ଦେଇଥିଲା।

ଏବେ ଟୋକିଓରୁ ପଦକ ଧରି ଆସିଥିବା ନୀରଜ ଚୋପ୍ରା (ସ୍ବର୍ଣ୍ଣ)ଙ୍କୁ ୬ କୋଟି, ରବି ଦାହିୟା (ରୌପ୍ୟ)ଙ୍କୁ ୪ କୋଟି ଏବଂ ବଜରଙ୍ଗ ପୁନିଆ (କାଂସ୍ୟ)ଙ୍କୁ ୨.୫ କୋଟି ମିଳିଛି। କାଂସ୍ୟ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳର ଦୁଇ ସଦସ୍ୟ ସୁମିତ କୁମାର ଓ ସୁରେନ୍ଦ୍ର କୁମାରଙ୍କୁ ମଧ୍ୟ ୨.୫ କୋଟି ଲେଖାଏଁ ପ୍ରଦାନ କରିସାରିଛନ୍ତି ହରିୟାଣାର କଟ୍ଟର ସରକାର। ଖେଳାଳିମାନଙ୍କୁ ସରକାରୀ ଚାକିରି ସହିତ ଚତୁର୍ଥ ସ୍ଥାନରେ ରହିଥିବା ମହିଳା ହକି ଦଳର ୯ ଜଣ ରାଜ୍ୟ ସଦସ୍ୟାଙ୍କୁ ୫୦ ଲକ୍ଷ ଲେଖାଏଁ, ଯୋଗ୍ୟତା ଅର୍ଜନ କରିଥିବା ଅନ୍ୟମାନଙ୍କୁ ୧୫ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଛି। ଟୋକିଓ ଯାଇଥିବା ହରିୟାଣାର ୩୧ ଜଣଙ୍କୁ ମୋଟ ୨୬ କୋଟି ଦେଇଛନ୍ତି ଭାଜପା ସରକାର। କ୍ରୀଡ଼ା ପ୍ରତି ରାଜ୍ୟରେ ସୃଷ୍ଟି ହୋଇଥିବା ପାଗଳପଣ ଧାରାରୁ ହିଁ ହାର ନମାନିବାର ଚରିତ୍ରମାନ ସୃଷ୍ଟି ହୋଇଛି। ଏଥିସହ ହରୢାନଭୀର ପୁରୁଣା କଥିତ ଉକ୍ତି ‘ଜାଠ୍‌ ମାରା ତବ ଜାନି‌‌ୟେ ଜବ୍‌ ତେରଭୀ ‌ହୋଜାୟେ (ଜାଠ ମଲା ପରେ ଜାଣିବ) ଯଥାର୍ଥ ସାବ୍ୟସ୍ତ ‌ହୋଇଛି।

ସମ୍ବନ୍ଧିତ ଖବର