ବିଳମ୍ବିତ ଅଲିମ୍ପିକ୍ସ କାହା ପାଇଁ କେମିତି, ଏହି ୬ ତାରକାଙ୍କ ପାଇଁ ଅତ୍ୟନ୍ତ ଖରାପ ଖବର

ପ୍ୟାରିସ୍: ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ହେବାକୁ ବିଶ୍ବର ବହୁ କ୍ରୀଡ଼ା ତାରକା ସ୍ବାଗତ କରିଛନ୍ତି। କରୋନା ଆତଙ୍କ ପରେ ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ଏହି ସର୍ବବୃହତ୍ କ୍ରୀଡ଼ା ମହୋତ୍ସବକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦେଇଥିବାରୁ, ସେମାନେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ ଓ ଆୟୋଜକ ଦେଶ ଜାପାନକୁ ପ୍ରଶଂସା କରିଛନ୍ତି। ତେବେ ଏମିତି ଅନେକ ଖେଳାଳି ଅଛନ୍ତି, ଯେଉଁମାନଙ୍କ ପାଇଁ ଅଲିମ୍ପିକ୍ସ ବିଳମ୍ବିତ ହେବା ଖରାପ ଖବର ନେଇ ଆସିଛି। ୨୦୨୧ରେ ହୁଏତ ଏମାନେ ଅଲିମ୍ପିକ୍ସ ଆଖଡ଼ାରେ ଦେଖିବାକୁ ମିଳି ନପାରନ୍ତି। ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିବା ପରେ କିଛି ସର୍ବକାଳୀନ ଶ୍ରେଷ୍ଠ ଖେଳାଳିମାନଙ୍କ ଆଉ ଏକ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବା ସ୍ବପ୍ନ ଭାଙ୍ଗିଯିବାର ଯଥେଷ୍ଟ ଆଶଙ୍କା ରହିଛି। ଏମାନଙ୍କ ମଧ୍ୟରୁ ୬ ଜଣ ପ୍ରମୁଖ, ଲୋକପ୍ରିୟ ଓ ପ୍ରସିଦ୍ଧ କ୍ରୀଡ଼ା କିଂବଦନ୍ତିଙ୍କ ଉପରେ ଆସନ୍ତୁ ନଜର ପକାଇବା।

ରୋଜର୍‌ ଫେଡେରର୍‌
ସ୍ବିଜରଲାଣ୍ଡ୍‌ର ମହାନ୍‌ ଟେନିସ୍‌ ଖେଳାଳି ରୋଜର ଫେଡେରର ୨୦୨୧ ଅଗଷ୍ଟରେ ୪୦ ବର୍ଷରେ ପଦାର୍ପଣ କରିବେ। ଫେଡେରର ୨୦୦୮ ବେଜିଂ ଅଲିମ୍ପିକ୍ସରେ ଷ୍ଟାନିସ୍ ଲାସ୍ ୱାରିଙ୍କାଙ୍କ ସହ ମିଶି ପୁରୁଷ ଯୁଗଳରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହି ଅଲିମ୍ପିକ୍ସର ପୁରୁଷ ଏକକରେ ଫେଡେରର କ୍ବାର୍ଟର ଫାଇନାଲ ପର୍ଯ୍ୟନ୍ତ ଯାଇଥିଲା ବେଳେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ଆଘାତ ପ୍ରାପ୍ତ ହେବା ପରେ ୨୦୧୬ ରିଓ ଅଲିମ୍ପିକ୍ସରୁ ଓହରିବାକୁ ସେ ବାଧ୍ୟ ହୋଇଥିଲେ। ୨୦୦୦ ମସିହା ସିଡନି ଅଲିମ୍ପିକ୍ସରେ ଫେଡେରର ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲେ। ଅବଶ୍ୟ ଏହି ଅଲିମ୍ପିକ୍ସ ବେଳେ ହିଁ ସେ ପତ୍ନୀ ମିର୍କା ଭାର୍ଭିନେକଙ୍କ ସହ ପରିଚିତ ହୋଇଥିଲେ ଏବଂ ପରେ ତାଙ୍କୁ ଜୀବନ ସାଥୀ ଭାବେ ବାଛିଥିଲେ। ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ସେ ଦ୍ବିତୀୟ ରାଉଣ୍ଡ ଆଗକୁ ବଢ଼ି ନଥିଲେ। ପୂର୍ବରୁ କେବେ ବି ଅଲିମ୍ପିକ୍ସରେ ଏକକ ସ୍ବର୍ଣ୍ଣ ଜିତି ନଥିବା ଫେଡେରର ଚଳିତ ବର୍ଷ ଏହି ସ୍ବପ୍ନ ପୂରଣ କରିବା ଲକ୍ଷ୍ୟରେ ଥିଲେ। ତେବେ କରୋନା ପାଇଁ ତାଙ୍କର ଏହି ସ୍ବପ୍ନ ହୁଏତ ପୂରଣ ହୋଇ ନପାରେ। ୨୦୨୧ ସମ୍ଭବତଃ ତାଙ୍କ ପାଇଁ ମାତ୍ରାଧିକ ବିଳମ୍ବିତ ହୋଇଯାଇପାରେ।

ସେରେନା ୱିଲିୟମ୍‌ସ
ଆମେରିକାର କିଂବଦନ୍ତି ମହିଳା ଟେନିସ୍ ଖେଳାଳି ସେରେନା ୱିଲିୟମ୍ସ ୨୦୨୧ ସେପ୍ଟେମ୍ବରରେ ୪୦ ବର୍ଷରେ ଉପନୀତ ହେବେ। ଅବଶ୍ୟ ଟୋକିଓ ଅଲିମ୍ପିକ୍ସ ବିଳମ୍ବିତ ହେବା ତାଙ୍କ ପାଇଁ ଫେଡେରରଙ୍କ ଭଳି ବଡ଼ ଝଟକା ହୋଇ ନପାରେ, କାରଣ ସେରେନା ପୂର୍ବରୁ ଚାରିଟି ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତି ସାରିଛନ୍ତି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସର ଏକକରେ ସ୍ବର୍ଣ୍ଣ ପଦକ ଜିତିବା ସହ ଭଉଣୀ ଭେନସଙ୍କ ସହ ମିଶି ସେରେନା ୨୦୦୦, ୨୦୦୮ ଓ ୨୦୧୨ର ମହିଳା ଯୁଗଳ ସ୍ବର୍ଣ୍ଣ ପଦକ ହାସଲ କରିସାରିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସରେ ସେରେନା ଓ ଭେନସ୍ ମହିଳା ଯୁଗଳର ପ୍ରଥମ ରାଉଣ୍ଡରେ ହାରି ଯାଇଥିଲେ। ସେହିଭଳି ମହିଳା ଏକକର ତୃତୀୟ ରାଉଣ୍ଡରେ ଏଲିନା ସ୍ବିତୋଲିନାଙ୍କଠାରୁ ସେରେନା ହାରି ଯାଇଥିଲେ।

ଟାଇଗର୍‌ ଉଡ୍‌ସ
ଚଳିତ ବର୍ଷର ଅଲିମ୍ପିକ୍ସ ପାଇଁ ଆମେରିକୀୟ ଗଲ୍ଫ ଦଳରେ ସ୍ଥାନ ପାଇବା ସେତେଟା ସହଜ ହୋଇ ନଥାଆନ୍ତା, ଆସନ୍ତାବର୍ଷକୁ ଘୁଞ୍ଚିବା ପରେ ସେ ପୁଣି ଥରେ ଅଲିମ୍ପିକ୍ସରେ ଖେଳିବା ସମ୍ଭାବନା ଏକବାର କମ୍ ରହିଛି। ୧୫ଟି ପିଜିଓ ଟୁର ଜିତିଥିବା ଉଡ୍ସ ସଂପ୍ରତି ପିଠି ଯନ୍ତ୍ରଣା ପାଇଁ ଗଲ୍ଫ ପଡ଼ିଆରୁ ଦୂରେଇ ରହିଛନ୍ତି। ଅଲିମ୍ପିକ୍ସ ବିଳମ୍ବିତ ହେବା ପରେ ଅବଶ୍ୟ ତାଙ୍କୁ ଏଥିରୁ ଆରୋଗ୍ୟ ଲାଭ କରିବା ଲାଗି କିଛି ଅତିରିକ୍ତ ସମୟ ମିଳି ଯାଇଛି। ସଂପ୍ରତି ସେ ଆମେରିକୀୟ ମାନ୍ୟତା ତାଲିକାର ଷଷ୍ଠ ସ୍ଥାନରେ ରହିଛନ୍ତି। ଶୀର୍ଷ ୪ ଜଣ ହିଁ ଅଲିମ୍ପିକ୍ସ ଖେଳିବାର ସୁଯୋଗ ପାଆନ୍ତି। ଆଘାତ ଜନିତ ସମସ୍ୟା ପାଇଁ ୨୦୧୬ ରିଓ ଅଲିମ୍ପିକ୍ସରେ ମଧ୍ୟ ଉଡ୍ସ ଦେଖିବାକୁ ମିଳି ନଥିଲେ। ଏଥର ସେ ଟୋକିଓରେ ଖେଳିବେ ବୋଲି ଆୟୋଜକ ଆଶା ରଖିଥିଲେ। ଅଲିମ୍ପିକ୍ସ ବର୍ଷେ ବିଳମ୍ବିତ ହେବା ପରେ କିନ୍ତୁ ତାଙ୍କ ଆଶା ହୁଏତ ପୂରଣ ହୋଇ ନପାରେ।

ଲିନ୍ ଡାନ୍
ଚୀନ୍‌ର ବିବାଦୀୟ ହେଲେ ସଫଳ ବ୍ୟାଡମିଣ୍ଟନ୍ ତାରକା ଲିନ୍ ଡାନ୍ ସବୁବେଳେ ଅଲିମ୍ପିକ୍ସର ଅନ୍ୟତମ ଆକର୍ଷଣ ‌ ହୋଇ ରହିଆସିଛନ୍ତି। ଆସନ୍ତାବର୍ଷ ବେଳକୁ ଲିନ୍‌ଙ୍କୁ ୩୭ ବର୍ଷ ହୋଇଥିବ। ୨୦୧୬ ରିଓ ଅଲିମ୍ପିକ୍ସରେ ସେ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ସେମିଫାଇନାଲରେ ଲିନ୍ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଲି’ ଚୋଙ୍ଗ୍ ୱି’ଙ୍କଠାରୁ ହାରି ଯାଇଥିଲେ। ୱି ମଧ୍ୟ ୨୦୦୮ ଓ ୨୦୧୨ ଅଲିମ୍ପିକ୍ସରେ ତାଙ୍କୁ ପରାସ୍ତ କରିଥିଲେ। ଏଣୁ ଲିନ୍ ଟୋକିଓରେ ସ୍ବର୍ଣ୍ଣ ପଦକ ଜିତିବାକୁ ଲକ୍ଷ୍ୟ ରଖିଥିଲେ। ଅଲିମ୍ପିକ୍ସ ବିଳମ୍ବିତ ହେବା କିନ୍ତୁ ତାଙ୍କ ପାଇଁ ଏକ ବଡ଼ ଝଟ୍‌କା ହୋଇଛି।

ଆଲିସନ୍ ଫେଲିକ୍ସ
ଅଲିମ୍ପିକ୍ସ ଇତିହାସର ଏକମାତ୍ର ମହିଳା ଧାବିକା ଭାବେ ଆମେରିକାର ଆଲିସନ୍ ‌ଫେଲିକ୍ସ ୬ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଚଳିତ ବର୍ଷ ଶେଷ ଆଡ଼କୁ ୩୫ ବର୍ଷରେ ପଦାର୍ପଣ କରୁଥିବା ଫେଲିକ୍ସ ଟୋକିଓ ଅଲିମ୍ପିକ୍ସ ଲାଗି ଗତ ଦୁଇ ବର୍ଷ ହେବ କଠୋର ଅଭ୍ୟାସ କରି ଆସୁଥିଲେ। ଟୋକିଓ ଅଲିମ୍ପିକ୍ସ ତାଙ୍କର ବିଦାୟକାଳୀନ ଅଲିମ୍ପିକ୍ସ ହେବ ବୋଲି ମଧ୍ୟ କୁହାଯାଉଥିଲା। ଏହା ମଧ୍ୟ ତାଙ୍କର କ୍ରମାଗତ ପଞ୍ଚମ ଅଲିମ୍ପିକ୍ସ ହୋଇଥାଆନ୍ତା। ହେଲେ ଏବେ ତାଙ୍କୁ ଆଉ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ତେବେ ଜାମାଇକାର ମାର୍ଲେନ ଓଟେ ୨,୦୦୦ ଅଲିମ୍ପିକ୍ସରେ ୪୦ ବର୍ଷ ବୟସରେ ୪ ଗୁଣା ୧୦୦ ମିଟର ରିଲେ ଦୌଡ଼ରେ କାଂସ୍ୟ ପଦକ ଜିତିଥିଲେ। ଆଲିସନ୍ ତାଙ୍କୁ ପ୍ରେରଣା ଭାବେ ନେଇ ପାରିବେ।

ଜଷ୍ଟିନ ଗଟ୍‌ଲିନ
ଆମେରିକାର ଚର୍ଚିତ ଧାବକ ଜଷ୍ଟିନ ଗଟଲିନ ଚଳିତ ବର୍ଷ ଟୋକିଓରେ ନିଜ ଚତୁର୍ଥ ଅଲିମ୍ପିକ୍ସ ଖେଳି ୩୮ ବର୍ଷ ବୟସରେ ଅବସର ନେବାକୁ ଲକ୍ଷ୍ୟ ରଖିଥିଲେ। ଏବେ ତାଙ୍କୁ ନିଜ ଯୋଜନାକୁ ସଂପୂର୍ଣ୍ଣ ବଦଳାଇବାକୁ ପଡ଼ିବ। କାରଣ ଟୋକିଓ ଅଲିମ୍ପିକ୍ସକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ ଗୋଟିଏ ବର୍ଷ ଆଗକୁ ଘୁଞ୍ଚାଇ ଦେଇଛି। ତେବେ ତାଙ୍କ ଭଳି ବୟସ୍କ ଖେଳାଳିଙ୍କୁ ନେଇ ଅନେକ ଚର୍ଚା ହେଉଥିଲେ ମଧ୍ୟ ସେ ଆସନ୍ତାବର୍ଷର ଅଲିମ୍ପିକ୍ସ ବେଳକୁ ପୂରା ଫିଟ୍ ଥିବେ ବୋଲି ଦୃଢ଼ତାର ସହ କହିଛନ୍ତି। ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଗଟଲିନଙ୍କୁ କିନ୍ତୁ ଆମେରିକା ଦଳରେ ସ୍ଥାନ ପାଇବା ଲାଗି ଅନେକ ଯୁବ ଧାବକଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ। ସେପଟେ ସିରିୟାର ଟେବୁଲ ଟେନିସ୍ ଖେଳାଳି ହେନ୍ଦ ଜାଜା ମାତ୍ର ୧୧ ବର୍ଷ ବୟସରେ ଟୋକିଓ ଅଲିମ୍ପିକ୍ସର ସର୍ବକନିଷ୍ଠ ଖେଳାଳି ହେବାର ଥିଲା। ଏବେ ହୁଏତ ସେ ଏହି କୀର୍ତ୍ତିମାନରୁ ବଞ୍ଚିତ ହୋଇପାରନ୍ତି।

ସମ୍ବନ୍ଧିତ ଖବର