ଭୁବନେଶ୍ୱର: ହକି ଇଣ୍ଡିଆ ସଭାପତି ଦିଲୀପ ତୀର୍କିଙ୍କ ନେତୃତ୍ୱରେ ଗୁରୁବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛି ଅଲିମ୍ପିକ୍ସ କାଂସ୍ୟ ବିଜେତା ଭାରତୀୟ ହକି ଦଳ। ଶ୍ରୀ ପଟ୍ଟନାୟକ ଖେଳାଳିମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦେଶର ଗୌରବକୁ ଆହୁରି ଉଚ୍ଚାକୁ ନେବା ପାଇଁ କାମ ଜାରି ରଖିବା ପାଇଁ ଖେଳାଳିମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଗାମୀ ଅଲମ୍ପିକ୍ସରେ ଓଡ଼ିଶା ତଥା ଭାରତ ହକିରେ ସୁନା ପଦକ ଜିତିବା ଆଶା ରଖିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଖେଳାଳିମାନଙ୍କୁ ଉପାୟନ ଓ ରୁପା ତାରକସିର କୋଣାର୍କ ଚକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଖେଳାଳିମାନେ ସେମାନଙ୍କ ସ୍ୱାକ୍ଷର ସମ୍ବଳିତ ଜର୍ସି ଶ୍ରୀ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ।

Advertisment

ଖେଳାଳିମାନେ କହିଥିଲେ ଯେ ଭାରତୀୟ ହକି ଦଳ ସବୁବେଳେ ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ନିକଟରେ ସେମାନଙ୍କ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞ ରହିବ। ଯେତେବେଳେ ହକି ପାଇଁ କେହି ପ୍ରୟୋଜକ ଆଗେଇ ଆସି ନ ଥିଲେ ସେତେବେଳେ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ ଏବଂ ଓଡ଼ିଶା ଭାରତୀୟ ହକି ଦଳର ପ୍ରୟୋଜକ ଦାୟିତ୍ୱ ନେଇଥିଲା। ଯାହାର ଫଳଶୃତି ସ୍ୱରୂପ ଆଜି ଅଲମ୍ପିକ୍ସରେ ଭାରତୀୟ ହକି ଲଗାତାର ଦୁଇ ଥର ପଦକ ଜିତିବାରେ ସଫଳ ହୋଇ ପାରିଛି। ଓଡ଼ିଶାବାସୀଙ୍କ ସମର୍ଥନ ଯୋଗୁଁ ଭାରତୀୟ ହକି ତାର ହୃତ ଗୌରବ ଫେରି ପାଇଛି ବୋଲି ଖେଳାଳିମାନେ ପ୍ରକାଶ କରିବା ସହ ଶ୍ରୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।