ସ୍ବର୍ଣ୍ଣ ଲିଖିତ ଉତ୍ତରାଧିକାରୀ: ସମ୍ଭାବ୍ୟ ଦଳରେ ନଥାଇ ବି ଅଲିମ୍ପିକ୍ସ ବିଜେତା

ନୂଆଦିଲ୍ଲୀ: ବଲ୍‌ବୀର ସିଂହଙ୍କୁ ସୁନାରେ ଲିଖିତ ଉତ୍ତରାଧିକାରୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ପଦାର୍ପଣ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ବିଜୟଠାରୁ ହ୍ୟାଟ୍ରିକ୍‌ ସ୍ବର୍ଣ୍ଣର ସଫଳତା ହେଉ ଅବା ବିଶ୍ବକପ୍‌ ବିଜେତା ପ୍ରଶିକ୍ଷକ ଭାବେ କୁହନ୍ତୁ, ତାଙ୍କ ପ୍ରତିଟି ସ୍ପର୍ଶରେ ଥିଲା ସଫଳତାର କାହାଣୀ। ମେଜର ଧ୍ୟାନଚାନ୍ଦ ଏବଂ ବଲବୀର ସିଂହ ସିନିୟରଙ୍କ ତୁଳନା ବି ଯଥାର୍ଥରେ କୁହାଯାଇପାରିବ। ଅନ୍ତର୍ଜାତୀୟ କ୍ରୀଡ଼ାରେ ଏହି ଦୁଇ ଜଣଙ୍କ ପାଇଁ ଭାରତ ପ୍ରାଧାନ୍ୟ ଆଣିପାରିଥିଲା। ଧ୍ୟାନଚାନ୍ଦଙ୍କୁ ଶତାବ୍ଦୀର ମହାନ ଖେଳାଳି କୁହାଯାଉଥିଲେ ମଧ୍ୟ ବଲବୀରଙ୍କୁ ସର୍ବକାଳୀନ ସେଣ୍ଟର୍ ଫରୱାର୍ଡର ଆଖ୍ୟା ମିଳିଛି। ବଲବୀରଙ୍କ ଭଳି ଧ୍ୟାନଚାନ୍ଦ ମଧ୍ୟ ୩ ଥର ଅଲିମ୍ପିକ୍‌ ହକି ସ୍ବର୍ଣ୍ଣ (୧୯୨୮, ୧୯୩୨, ୧୯୩୬) ପଦକ ଜିତିଥିଲେ। ସେ ୧୯୭୯ ମସିହାରେ ୭୪ ବର୍ଷ ବୟସରେ ପ୍ରାଣ ହରାଇଥିଲେ। ବଲବୀର ୯୬ ବର୍ଷରେ ସୋମବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଭାରତୀୟ ହକିର କଳାକୁ ବିଶ୍ବବିଦିତ କରିଥିଲେ ଏହି ଦୁଇ ମହାରଥୀ। ଭାରତୀୟ ହକିରେ ବହୁ ବଲବୀର ଆସିଛନ୍ତି ଯାଇଛନ୍ତି କିନ୍ତୁ ଏ ବଲବୀର ନିଜ ନାମ ସହିତ ସିନିୟର ଯୋଡ଼ିବା ସାଙ୍ଗକୁ ଏହାକୁ ଯଥାର୍ଥ ସାବ୍ୟସ୍ତ କରିଯାଇଛନ୍ତି। ବଲବୀରଙ୍କୁ ମଧ୍ୟ କ୍ରିକେଟ୍ କିଂବଦନ୍ତି ବିଶନ ସିଂହ ବେଦୀଙ୍କ ସହିତ ତୁଳନା କରାଯାଇଥାଏ। ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସ ସମୟରେ ମଧ୍ୟ ବଲବୀରଙ୍କୁ ବିଶ୍ବର ଶ୍ରେଷ୍ଠ ୧୬ ଅଲିମ୍ପିଆନ୍‌ଙ୍କ ମଧ୍ୟରେ ସାମିଲ କରାଯାଇ ଦ ଅଲିମ୍ପିକ୍‌ ଜର୍ନି: ଦ ଷ୍ଟୋରି ଅଫ୍ ଦ ଗେମ୍ସ’ ପ୍ରଦର୍ଶନୀରେ ସ୍ଥାନିତ କରାଯାଇଥିଲା। ନିଜ ଜୀବନୀ ସହିତ ବଲବୀର ମଧ୍ୟ ବହୁ ପୁସ୍ତକ ରଚନା କରିଥିଲେ।

ସମ୍ଭାବ୍ୟ ଦଳରେ ନଥାଇ ବି ଅଲିମ୍ପିକ୍ସ ବିଜେତା
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବଲ୍‌ବିର ସିଂହ ଦୋସାଞ୍ଜ ୧୯୪୮ ମସିହାର ଲଣ୍ଡନ୍ ଅଲିମ୍ପିକ୍ସ ପାଇଁ ପ୍ରଥମେ ଘୋଷିତ ୩୯ ଜଣିଆ ସମ୍ଭାବ୍ୟ ଭାରତୀୟ ଦଳରେ ସାମିଲ ନ ଥିଲେ। ତାଙ୍କ ସାମିଲ ନେଇ ପ୍ରବଳ ଦାବି ହେବା ପରେ ଟେଲିଗ୍ରାମ୍‌ ବାର୍ତା ପାଇଁ ଦଳରେ ସାମିଲ ହୋଇଥିଲେ। ଶିବିରରେ ସାମିଲ ହେବାର ମାତ୍ର ୨ ଦିନ ବିତିନି ତାଙ୍କ ପଞ୍ଜରା ହାଡ଼ ଭାଙ୍ଗିଯିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ତୁରନ୍ତ ସୁସ୍ଥ ହୋଇ ସେ ୨୦ ଜଣିଆ ଅଲିମ୍ପିକ୍ ଦଳରେ ସାମିଲ ହୋଇଥିଲେ। ଆର୍ଜେଣ୍ଟିନା ବିପକ୍ଷ ପଦାର୍ପଣ ମ୍ୟାଚ୍‌ରେ ୬ ଗୋଲ୍ ଦେବା ସତ୍ତ୍ବେ ତାଙ୍କୁ ସ୍ପେନ୍‌ ଓ ହଲାଣ୍ଡ୍ ବିପକ୍ଷ କ୍ବାର୍ଟର ଫାଇନାଲ୍ ଓ ସେମିଫାଇନାଲ୍‌ରୁ ବାଦ୍‌ ଦିଆଯାଇଥିଲା। ଚୟନ ସମିତି ତାଙ୍କ ପ୍ରତି କିଛି ଅନ୍ୟାୟ କରୁଥିବା ଜାଣି ସାଧାରଣ ଜନତାଙ୍କ ସ୍ବର ଉଠିବା ପରେ ଫାଇନାଲ୍ ମ୍ୟାଚ୍‌ ଖେଳିଥିଲେ। ଏହା ପରେ ଆଉ ସବୁ ଇତିହାସ ପାଲଟିଯାଇଥିଲା।

ସମ୍ବନ୍ଧିତ ଖବର