କରୋନା ସଂକ୍ରମଣ ସତ୍ତ୍ୱେ ଜାପାନରେ ପହଞ୍ଚିଲା ଅଲିମ୍ପିକ୍‌ ଜ୍ୟୋତି

ନୂଆଦିଲ୍ଲୀ: କରୋନାଭାଇରସ୍‌ ସଂକ୍ରମଣ ବ୍ୟାପୁଥିବା ବେଳେ ଶୁକ୍ରବାର ଦିନ ଉତ୍ତରପୂର୍ବ ଜାପାନର ଏକ ବିମାନଘାଟିରେ ଏଥର ଗ୍ରୀଷ୍ମକାଳୀନ ଟୋକିଓ ଅଲିମ୍ପିକ୍ସ୍‍ ଜ୍ୟୋତି ପହଞ୍ଚିଛି। ଫଳରେ ଏଥର ଅଲିମ୍ପିକ୍ସ୍‍ ହେବା ନ ହେବା ନେଇ କ୍ରୀଡ଼ାବିତ୍‌ମାନଙ୍କ ମନରେ ଥିବା ଆଶଙ୍କା ଦୂର ହୋଇଛି।
ଗ୍ରୀସ୍‌ ଠାରୁ ଗ୍ରହଣ କରାଯାଇଥିବା ଏହି ମଶାଲ ଆସନ୍ତା ସପ୍ତାହରୁ ସମଗ୍ର ଜାପାନ ପରିକ୍ରମା କରିବ। ଏହି ଜ୍ୟୋତିର ପରିଚୋୟକ୍ତି ରହିଛି ‘ଆଶା ଆମ ପଥକୁ ଆଲୋକିତ କରୁଛି’।

କିନ୍ତୁ ଅଲିମ୍ପିକ୍‌ ଆୟୋଜକମାନେ ଜ୍ୟୋତି ଗ୍ରହଣ ସ୍ୱାଗତ ସମାରୋହକୁ ନିରାଡ଼ମ୍ବର ଭାବେ ଶେଷ କରିଛନ୍ତି। କରୋନାଭାଇରସ୍‌ ସଂକ୍ରମଣଜନିତ ସତର୍କତା ଯୋଗୁଁ ଅଲିମ୍ପିକ୍‌ କ୍ରୀଡ଼ା ପାଇଁ ହେଉଥିବା ଅନେକ ସମାରୋହ ପ୍ରଭାବିତ ହୋଇଛି। ତେଣୁ ଦର୍ଶକମାନଙ୍କ ଉପସ୍ଥିତି ବିନା ମାର୍ଚ ୧୨ ତାରିଖରେ ଗ୍ରୀସ୍‌ ଠାରେ ଅଲିମ୍ପିକ୍‌ ମଶାଲ ପ୍ରଜ୍ଜ୍ୱଳନ କରାଯାଇଥିଲା।

Image Source: The Mainichi

‘ଟୋକିଓ ୨୦୨୦ ଗୋ’ ନାମକ ଚାଟର୍ଡ ବିମାନରେ ଗ୍ରୀସ୍‌ରୁ ଅଲିମ୍ପିକ୍‌ ଜ୍ୟୋତି ମାତସୁସିମା ବିମାନଘାଟିକୁ ଆସିବା ପରେ ରଙ୍ଗିନ ଧୂଆଁରେ ଜାପାନ ବାୟୁସେନାର ‘ବ୍ଲୁ ଇମ୍ପଲ୍‌ସ୍‌ ଏରୋବାଟିକ୍ସ୍‌ ଟିମ୍‌’ ପାଞ୍ଚଟି ଅଲିମ୍ପିକ୍‌ ରିଙ୍ଗ୍‌ ସୃଷ୍ଟି କରିଥିଲେ।

ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ଯାଏଁ ଜାପାନରେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ କ୍ରୀଡ଼ା ଆୟୋଜନ କରାଯାଇଛି।

ସମ୍ବନ୍ଧିତ ଖବର