ସମ୍ବଲପୁର: ଅଲିମ୍ପିକ୍ ମାନ୍ୟତାପ୍ରାପ୍ତ ଖେଳ ଉଷୁ ଓଡ଼ିଶା ଖେଳାଳିମାନଙ୍କ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହେଉଛି। ଉଷୁର ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଜଣେ ଖେଳାଳିକୁ ଜଣ ପିଛା ଦଶରୁ ୧୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଯେ ଏତେ ଟଙ୍କା ଯୋଗାଡ଼ କରି ନପାରିବ, ପ୍ରତିଭା ଓ ଯୋଗ୍ୟତା ଥିଲେ ବି ତା’ ପାଇଁ ଏହି ଖେଳରେ ଭାଗ ନେବା ଦିବା ସ୍ୱପ୍ନ ପାଲଟୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ସିଲଂରେ ହେବାକୁ ଥିବା ଜାତୀୟ ଉଷୁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶା ଦଳ ଶନିବାର ମେଘାଳୟ ଅଭିମୁଖେ ଯାତ୍ରା କରିବ। ରାଜ୍ୟର ପ୍ରାୟ ୩୦ ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେବେ। ତେବେ ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ରାଜ୍ୟର ଏହି ମନୋନୀତ ଉଷୁ ଖେଳାଳିଙ୍କଠାରୁ ରାଜ୍ୟ ସଂଘ ଜଣ ପିଛା ୭୫୦୦ ଟଙ୍କା ଲେଖାଏଁ ଅସୁଲ କରିଛି। ଏହାବାଦ ଯିବାଠୁ ଆସିବା ରାସ୍ତାରେ ଖେଳାଳିଙ୍କୁ ନିଜ ହାତରୁ ଅନେକ କିଛି ଖର୍ଚ୍ଚ କରିବାକୁ ପଡ଼ୁଛି। ରାସ୍ତାରେ ଯିବା ଆସିବା ବେଳେ ଖେଳାଳିମାନେ ନିଜ ହାତରୁ ଖର୍ଚ୍ଚ କରି ଖାଇବା ପିଇବା କରନ୍ତି। ବସ୍ ଇତ୍ୟାଦିରେ ଯିବାକୁ ହେଲେ ସେଥି ପାଇଁ ଅତିରିକ୍ତ ଭଡ଼ା ଦେବାକୁ ପଡ଼େ। ତେଣୁ ଥରେ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଜଣ ପିଛା ୧୦ ହଜାର ଟଙ୍କା ବ୍ୟୟ କରିବାକୁ ପଡ଼ୁଛି ବୋଲି କିଛି ଅଭିଭାବକ ଅଭିଯୋଗ କରିଛନ୍ତି। ଯେଉଁ ପିଲାମାନେ ଏହି ଅର୍ଥ ଖର୍ଚ୍ଚ କରିବାରେ ଅସମର୍ଥ ସେମାନେ ସିଧାସଳଖ ଜାତୀୟ ପ୍ରତିଯୋଗିତାରୁ ବଞ୍ଚିତ ହେଉଥିବା ଜଣା ପଡ଼ିଛି। ଜାତୀୟ ପ୍ରତିଯୋଗିତା ପାଇଁ ଖେଳାଳିଙ୍କ ପ୍ରବେଶିକା ଦେୟ ବାବଦରେ ରାଜ୍ୟ ସଂଘ ଜଣ ପିଛା ୧୨୦୦ ଟଙ୍କା ଲେଖାଏଁ ଜମା କରେ। ଖେଳାଳିମାନଙ୍କୁ ୭୫% ରିହାତି ମିଳୁଥିବାରୁ ଟ୍ରେନ୍ (ଦ୍ୱିତୀୟ ଶ୍ରେଣୀ ସ୍ଲିପର୍)ରେ ଭାରତର ଯେକୌଣସି ସ୍ଥାନକୁ ଯିବା ଆସିବା ଭଡ଼ା ବାବଦକୁ ଜଣ ପିଛା ଅତି ବେଶୀରେ ୮୦୦ ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସଂଘ ପିଲାଙ୍କୁ କିଟ୍ ବାବଦକୁ ଅତି ଯଦି ହଜାରେ ଟଙ୍କାର ସାମଗ୍ରୀ ଦେଉଥିବେ ତାହେଲେ ବି ଅତି ବେଶୀରେ ଜଣେ ପିଲା ପାଇଁ ୩ ହଜାର ଟଙ୍କା ଖର୍ଚ୍ଚ ହେଉଥିବ। ପ୍ରତିଯୋଗିତା ସମୟରେ ପିଲାମାନଙ୍କ ରହିବା ଓ ଖାଇବା ଖର୍ଚ୍ଚ ଆୟୋଜକମାନେ ବହନ କରନ୍ତି। ତେଣୁ ସାଢ଼େ ୭ ହଜାର ଟଙ୍କା ନେବାର ଯଥାର୍ଥତା ନେଇ ଅଭିଭାବକ ଓ କିଛି ଜିଲ୍ଲା ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି। ବର୍ଷ ସାରା ବିଭିନ୍ନ ବୟସ ବର୍ଗର ପ୍ରତିଯୋଗିତାରେ ରାଜ୍ୟର ୧୦୦ରୁ ଅଧିକ ପିଲା ଜାତୀୟ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ରାଜ୍ୟ ସଂଘ ସେମାନଙ୍କଠାରୁ ଏତେ ପରିମାଣରେ ଅର୍ଥ ଆଦାୟ କରିବା ତଦନ୍ତ ସାପେକ୍ଷ ବୋଲି କିଛି ଅଭିଭାବକ ମତ ଦେଇଛନ୍ତି। କୁସ୍ତି, ଜୁଡୋ ଆଦି ଅନ୍ୟ ଅଲିମ୍ପିକ୍ ମାନ୍ୟତାପ୍ରାପ୍ତ ସାମରିକ ଖେଳର ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପିଲାଙ୍କଠୁ ଆଦୌ ଅର୍ଥ ନିଆଯାଉ ନଥିବା ବା ଖୁବ୍ କମ୍ ଟଙ୍କା ନିଆ ଯାଉଥିବା ସେମାନେ କହିଛନ୍ତି।
ଏ ସଂପର୍କରେ ରାଜ୍ୟ ଉଷୁ ସଂଘର ସଭାପତି ଇଂ ଏସ୍ଏସ୍ ହରିଚନ୍ଦନଙ୍କୁ ପଚାରିବାରୁ ସେ କହିଲେ, ଆମକୁ ରାଜ୍ୟ ସରକାର ବହୁତ କମ ଅନୁଦାନ ଦେଉଛନ୍ତି। ଏତିକି ଅର୍ଥରେ ସବୁ ଖର୍ଚ୍ଚ ତୁଲାଇବା କଷ୍ଟ। ଅନ୍ୟ ରାଜ୍ୟ ଗୁଡ଼ିକ ବହୁତ ଅଧିକ ଟଙ୍କା ନେଉଛନ୍ତି। ଉଷୁ ଖେଳ ପରିଚାଳନା ପାଇଁ ଅନ୍ୟ କୌଣସି ସୂତ୍ରରୁ ଅର୍ଥ ମିଳୁ ନାହିଁ। ତେଣୁ ବାଧ୍ୟ ହୋଇ ପିଲାମାନଙ୍କୁ ଯିବା ଆସିବା ଖର୍ଚ୍ଚ ବହନ କରିବାକୁ ପଡ଼ୁଛି। ତେଣୁ ବର୍ତମାନ ପରିସ୍ଥିତିରେ ଗରିବ ପିଲାମାନେ ଉଷୁ ଭଳି ଖେଳ ଖେଳିବା କଷ୍ଟ ବୋଲି ଇଂ ହରିଚନ୍ଦନ ସ୍ୱୀକାର କରିଥିଲେ। ଏ ସଂପର୍କରେ ରାଜ୍ୟ ସଂଘ ସଂପାଦକ ପ୍ରଦ୍ୟୁମ୍ନ ବେହେରା କହିଲେ, ଆମେ ପିଲାମାନଙ୍କୁ ଟ୍ରେନ୍ରେ ନେଉଛୁ, ଯେଉଁଠି ଆବଶ୍ୟକ ହେଲା ବସ୍ରେ ନେଉଛୁ, ଗୋଟିଏ ଷ୍ଟେସନ୍ରୁ ଆଉ ଗୋଟିଏ ଷ୍ଟେସନ୍କୁ ନେବା ପାଇଁ ସ୍ଥାନୀୟ ପରିବହନର ଆବଶ୍ୟକ ହେଉଛି। ପିଲାମାନଙ୍କ ଏଣ୍ଟ୍ରି ଫି’ ବାବଦକୁ ମୋଟା ଅଙ୍କର ଅର୍ଥ ଦେବାକୁ ପଡ଼ୁଛି। ପିଲାଙ୍କୁ ଟ୍ରାକ୍ ସୁଟ୍, ଜୋତା, ମୋଜା ଏବଂ ଅନ୍ୟାନ୍ୟ ଖେଳ ଉପକରଣ ପ୍ରଦାନ କରାଯାଉଛି। ତେଣୁ ପିଲାଙ୍କଠାରୁ ଆଦୌ ଅନୁଚିତ ଅର୍ଥ ଆଦାୟ କରାଯାଉ ନାହିଁ। ଯଦି ରାଜ୍ୟ ସରକାର ବା ଅନ୍ୟ କୌଣସି ସଂସ୍ଥା ପିଲାଙ୍କ ଯିବା ଆସିବା ପାଇଁ ଆର୍ଥିକ ବ୍ୟବସ୍ଥା କରିବେ, ତାହେଲେ ପିଲାଙ୍କଠୁ ଟଙ୍କାଟେ ବି ନେବାର ଆବଶ୍ୟକତା ପଡ଼ିବ ନାହିଁ ବୋଲି ଶ୍ରୀ ବେହେରା କହିଥିଲେ। ଉଷୁ ଖେଳରେ ବ୍ୟବହୃତ ଅସ୍ତ୍ର ଓ ଉପକରଣ ଗୁଡ଼ିକ ଖୁବ ମହଙ୍ଗା ଓ ତାହା ବାହାର ରାଜ୍ୟରୁ ମଗାଇବାକୁ ପଡ଼େ ବୋଲି ସେ ସୂଚନା ଦେଇଥିଲେ।