କରୋନାରେ ଅଲିମ୍ପିକ୍ ହକି ସ୍ବର୍ଣ୍ଣ ବିଜେତା କୌଶିକ ଓ ରବିନ୍ଦର ପାଲ୍‌ଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଭାରତୀୟ ହକିକୁ ଗୋଟିଏ ଦିନରେ ଦୁଇଟି ଦୁଃଖଦ ଝଟ୍‌କା ଲାଗିଛି। ଶନିବାର ଦୁଇ ଦୁଇ ଜଣ ହକି କିଂବଦନ୍ତି ମାରାତ୍ମକ କରୋନା ଭୂତାଣୁର ଶିକାର ହୋଇଛନ୍ତି। ଅପରାହ୍ନରେ ମସ୍କୋ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜୟୀ ଦଳର ଅନ୍ୟତମ ସଦସ୍ୟ ରବିନ୍ଦର ପାଲ ସିଂହଙ୍କ ଅକଳ ବିୟୋଗର ଦାରୁଣ ଦୁଃଖ ଭାରତୀୟ କ୍ରୀଡ଼ା ଜଗତକୁ ସଂପୂର୍ଣ୍ଣ ଦୋହଲାଇ ଦେଇଥିଲା। ରାତି ‌ହେଉ ହେଉ ସେହି ମସ୍କୋ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟୀ ଦଳର ଆଉ ଜଣେ ଟାଣୁଆ ସଦସ୍ୟ ତଥା ଭାରତୀୟ ହକି ଦଳର ପୂର୍ବତନ ପ୍ରଶିକ୍ଷକ ଏମ୍‌କେ କୌଶିକ ଚାଲିଯିବା ଖବରକୁ କେହି ଯେମିତି ବିଶ୍ବାସ କରି ପାରୁ ନଥିଲେ। କୌଶିକଙ୍କୁ ବି କରୋନା ନିଜ ଶିକାର କରି ନେଇଥିଲା। ସେ ମଧ୍ୟ ହକି ଉପରେ ନିର୍ମାଣ ହୋଇଥିବା ପ୍ରସିଦ୍ଧ ବଲିଉଡ୍ ଚଳଚ୍ଚିତ୍ର ‘ଚକ୍‌ ଦେ ଇଣ୍ଡିଆ’ ସହ ସଂପୃକ୍ତ ଥିଲେ। କୌଶିକଙ୍କ ପରଲୋକ ପରେ ଭାରତୀୟ ହକି ଦୁନିଆର ଶୋକର ଛାୟା ଖେଳି ଯାଇଛି। କୋଭିଡ୍ ସଂକ୍ରମିତ ହେବା ପରେ ଗତ ମାସ ୧୭ ତାରିଖଠାରୁ କୌଶିକ ନୂଆଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଶନିବାର ସକାଳେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

କୌଶିକ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରଶିକ୍ଷକ ଦାୟିତ୍ବ ସଫଳତାର ସହ ତୁଲାଇଥିଲେ। ତାଙ୍କ ମାର୍ଗଦର୍ଶନରେ ଭାରତୀୟ ପୁରୁଷ ହକି ଦଳ ୧୯୯୮ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲା। ୨୦୦୬ ଏସୀୟ କ୍ରୀଡ଼ାରେ ମହିଳା ଦଳ କାଂସ୍ୟ ପଦକ ଜିତିଥିଲା।
୧୯୮୦ ମସିହାରେ ଭାରତ ଅଲିମ୍ପିକ୍ସରେ ଶେଷ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲା। ଏହି ଶେଷ ସ୍ବର୍ଣ୍ଣିମ ଦଳର ପ୍ରମୁଖ ସଦସ୍ୟ ରବିନ୍ଦର ପାଲ୍ ସିଂହ ଶନିବାର ସକାଳେ କରୋନାରେ ପ୍ରାଣ ତ୍ୟାଗ କରିଛନ୍ତି। ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ଏପ୍ରିଲ୍‌ ୨୪ ତାରିଖରେ କରୋନା ସଂକ୍ରମିତ ହେବା ଜଣାପଡ଼ିବା ପରେ ରବିନ୍ଦରଙ୍କୁ ଲକ୍ଷ୍ନୌର ବିବେକାନନ୍ଦ ହସପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। କୋଭିଡ୍‌ରୁ ମୁକ୍ତ ହୋଇ ସେ ଅଣକୋଭିଡ୍‌ ‌ଶଯ୍ୟାକୁ ସ୍ଥାନାନ୍ତର ହୋଇଥିଲେ ମଧ୍ୟ ଶୁକ୍ରବାର ରାତିରେ ହଠାତ ଗୁରୁତର ହୋଇପଡ଼ିଥିଲେ। ଭେଣ୍ଟିଲେଟରକୁ ନିଆଯାଇଥିଲେ ମଧ୍ୟ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ବୋଲି ପରିବାର ସୂତ୍ରର ପ୍ରକାଶ।

ରବିନ୍ଦର ପାଲ୍ ସିଂହ ଦୁଇଟି ଲେଖାଏଁ ଅଲିମ୍ପିକ୍ସ (୧୯୮୦ ଓ ୧୯୮୪), ଚାମ୍ପିଅନ୍ସ ଟ୍ରଫି (୧୯୮୦, ୧୯୮୩), ଏସିଆ କପ୍ (୧୯୮୨), ହଂକଂରେ ୧୦ ରାଷ୍ଟ୍ରୀୟ ରୌପ୍ୟ ଜୟନ୍ତୀ କପ୍‌ (୧୯୮୩), ମୁମ୍ବାଇ ବିଶ୍ବକପ୍ (୧୯୮୨)ରେ ମଧ୍ୟ ଦେଶର ପ୍ରତିନିଧିତ୍ବ କରିଥିଲେ। ୧୯୭୯ ମସିହାର କନିଷ୍ଠ ବିଶ୍ବକପ୍‌ରେ ଖେଳିଥିବା ରବିନ୍ଦର ପାଲ୍ ସିଂହ ୧୯୭୯ରୁ ୧୯୮୪ ମସିହା ପର୍ଯ୍ୟନ୍ତ ଭାରତ ପାଇଁ ପ୍ରତିନିଧିତ୍ବ କରିଥିଲେ। ଅବିବାହିତ ରହିଥିବା ରବିନ୍ଦର ପିଠି ସମସ୍ୟା କାରଣରୁ ହକିରୁ ଅବସର ନେବା ପରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ବୃତ୍ତିଗତ ଅବସର ନେଇଥିଲେ। ଏହି ଡବଲ୍ ଅଲିମ୍ପିଆନ୍‌ଙ୍କ ପ୍ରତି କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଏବଂ ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗମ୍ବମ୍‌ ଶୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର