ଅଲିମ୍ପିକ୍‌ ହକି ଟେଷ୍ଟ୍‌ ଇଭେଣ୍ଟ୍‌, ଉଭୟ ଫାଇନାଲ୍‌ରେ ଭାରତ

ମନ୍‌ଦୀପ୍‌ଙ୍କ ହ୍ୟାଟ୍ରିକ୍‌; ଜାପାନକୁ ୬-୩ରେ ହରାଇଲେ ପୁରୁଷ

ନୂଆଦିଲ୍ଲୀ: ଜାପାନର ଟୋକିଓରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ୍‌ ଇଭେଣ୍ଟ ହକି ପ୍ରତିଯୋଗିତାରେ ମଙ୍ଗଳବାର ଭାରତୀୟ ପୁରୁଷ ଦଳ ଆଉ ଏକ ବଡ଼ ବିଜୟ ପାଇଛି। ପ୍ରଥମ ମ୍ୟାଚ୍‌ରେ ମାଲେସିଆକୁ ୬-୦ରେ ପରାସ୍ତ କରିଥିବା ଭାରତ ଦ୍ବିତୀୟ ମ୍ୟାଚ୍‌ରେ କିନ୍ତୁ ନ୍ୟୁଜିଲାଣ୍ଡ୍‌ ନିକଟରୁ ୧-୨ରେ ହାରି ଯାଇଥିଲା। ହେଲେ ମଙ୍ଗଳବାର ତୃତୀୟ ମ୍ୟାଚ୍‌ରେ ଆୟୋଜକ ଜାପାନକୁ ୬-୩ ଗୋଲ୍‌ରେ ପରାସ୍ତ କରି ଦେଇଛି। ମନ୍‌ଦୀପ୍‌ ସିଂହଙ୍କ ହ୍ୟାଟ୍ରିକ୍‌ ହିଁ ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନେଇଥିଲା। ମନ୍‌ଦୀପ୍‌ ମ୍ୟାଚ୍‌ର ନବମ, ୨୯ତମ ଓ ୩୦ତମ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ କରି ହ୍ୟାଟ୍ରିକ୍‌ ଅର୍ଜନ କରିଥିଲା ବେଳେ ନୀଳକାନ୍ତ ଶର୍ମା (ତୃତୀୟ ମିନିଟ୍‌), ଓଡ଼ିଆ ତାରକା ନୀଲମ ସଞ୍ଜୀବ ଖେସ୍‌ (ସପ୍ତମ ମିନିଟ୍‌) ଏବଂ ଗୁରଜାଣ୍ଟ୍‌ ସିଂହ (୪୧ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ‌ଯୋଡ଼ି ବ୍ୟବଧାନ ବଢ଼ାଇଥିଲେ। ଜାପାନ ପକ୍ଷରୁ କେଣ୍ଟାରୋ ଫୁକୁଡା (୨୫ ମିନିଟ୍‌), କେଣ୍ଟା ଟନକା (୪୬ ମିନିଟ୍‌) ଏବଂ କାଜୁମା ମୁରାତା (୫୨ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଶୁଝି ଦେଇଥିଲେ ମଧ୍ୟ ଦଳ ପରାଜୟ ଏଡ଼ାଇବା ପାଇଁ ଯଥେଷ୍ଟ ହୋଇନଥିଲା। ତୃତୀୟ ମିନିଟ୍‌ରେ ନୀଳକାନ୍ତ ଏକ ଚମତ୍କାର ଫିଲ୍‌ଡ ଗୋଲ୍‌ ଦେବା ପରେ ସପ୍ତମ ମିନିଟ୍‌ରେ ସଞ୍ଜୀବ୍‌ ଖେସ୍‌ ପେନାଲ୍‌ଟି କର୍ନରକୁ ଗୋଲ୍‌ରେ ରୂପାନ୍ତରିତ କରି ଭାରତକୁ ୨-୦ର ଅଗ୍ରଣୀ ଦେଇଥିଲେ। ଏହାପରେ ମନ୍‌ଦୀପ୍‌ଙ୍କ ଯାଦୁ ଦେଖିବାକୁ ମିଳିଥିଲା। ତାଙ୍କ ପ୍ରଥମ ତଥା ନବମ ମିନିଟ୍‌ ଗୋଲ୍‌ ବଳରେ ପ୍ରଥମ କ୍ବାର୍ଟର ଶେଷ ବେଳକୁ ଭାରତ ୩-୦ରେ ଆଗେଇ ଯାଇଥିଲା। ପୁଣି ମନ୍‌ଦୀପ୍‌ ଦ୍ବିତୀୟ କ୍ବାର୍ଟରରେ ଆଧିପତ୍ୟ ବିସ୍ତାର କରି ଦୁଇଟି ଗୋଲ୍‌ ଲଦି ଦେଇଥିଲେ। ଏଥି ସହିତ ଦଳର ଉପଅଧିନାୟକ ମନ୍‌ଦୀପ୍‌ ତାଙ୍କ ହ୍ୟାଟ୍ରିକ୍‌ (କ୍ରମାଗତ ୩ ଗୋଲ୍‌) ଅର୍ଜନ କରିଥିଲେ। ତେବେ ଏହି କ୍ବାର୍ଟରରେ ଜାପାନ ଗୋଟିଏ ଗୋଲ୍‌ ଦେବା ସତ୍ତ୍ବେ ଭାରତ ୫-୧ରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟରରେ ଜାପାନ ଅପେକ୍ଷାକୃତ ଅଧିକ ଆକ୍ରମଣ କରି ଗୋଟିଏ ଗୋଲ୍‌ ଦେଇଥିଲା ବେଳେ ଭାରତ ପାଇଁ ଗୁର୍‌ଜାଣ୍ଟ ମଧ୍ୟ ଗୋଲ୍‌ କରିଥିଲେ। ଫଳରେ ଚତୁର୍ଥ ତଥା ଶେଷ କ୍ବାର୍ଟର ପୂର୍ବରୁ ଭାରତର ଅଗ୍ରଣୀ ବ୍ୟବଧାନ ୬-୨ରେ ପହଞ୍ଚିଥିଲା। ଚତୁର୍ଥ କ୍ବାର୍ଟରରେ ଭାରତ ଗୋଲ୍‌ କରିବାକୁ ସମର୍ଥ ହୋଇନଥିଲା ବେଳେ ଜାପାନ ଗୋଟିଏ ଦେଇ ବ୍ୟବଧାନ କମାଇଥିଲା।

ପ୍ରତିଯୋଗିତାରେ ଏହା ବିଶ୍ବ ମାନ୍ୟତାର ପଞ୍ଚମ ଭାରତ ପାଇଁ ଦ୍ବିତୀୟ ବିଜୟ ଥିଲା। ଆଉ ଏହି ବିଜୟ ସହ ଭାରତ ମଧ୍ୟ ପଏଣ୍ଟ୍‌ ତାଲିକାର ଦ୍ବିତୀୟ ସ୍ଥାନ ସହ ଫାଇନାଲ୍‌ ପ୍ରବେଶ କରିଛି। ବୁଧବାର ଫାଇନାଲ୍‌ରେ ଭାରତର ମୁକାବିଲା ବିଶ୍ବ ମାନ୍ୟତାର ଅଷ୍ଟମ ନ୍ୟୁଜିଲାଣ୍ଡ୍‌ ସହ ହେବ। ନ୍ୟୁଜିଲାଣ୍ଡ୍‌ ରାଉଣ୍ଡ୍‌ ରବିନ୍‌ ପର୍ଯ୍ୟାୟରେ ସମସ୍ତ ୩ ମ୍ୟାଚ୍‌ ଜିତି ଅପରାଜେୟ ସହ ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଛି। ଭାରତକୁ ୨-୧ ବ୍ୟତୀତ ନ୍ୟୁଜିଲାଣ୍ଡ ଅନ୍ୟ ଦୁଇଟି ମ୍ୟାଚ୍‌ରେ ଆୟୋଜକ ଜାପାନକୁ ୪-୩ ଏବଂ ମାଲେସିଆକୁ ୩-୧ ଗୋଲ୍‌ରେ ପରାସ୍ତ କରିଥିଲା। ଏଥି ସହିତ ଦଳ ପଏଣ୍ଟ୍‌ ତା‌ଲିକାର ଶୀର୍ଷରେ ରହିଛି। ତେବେ ବୁଧବାର ଫାଇନାଲ୍‌‌ରେ ନ୍ୟୁଜିଲାଣ୍ଡ ନିକଟରୁ ଲିଗ୍‌ ପର୍ଯ୍ୟାୟ ପରାଜୟର ମଧୁର ପ୍ରତିଶୋଧ ନେବାର ସୁଯୋଗ ଭାରତ ନିକଟରେ ରହିଛି। ଭାରତ ମଧ୍ୟ ଏହି ଲକ୍ଷ୍ୟ ରଖିଛି।

ଚୀନ୍‌ ସହ ପଏଣ୍ଟ ବାଣ୍ଟିଲେ ମହିଳା
ନୂଆଦିଲ୍ଲୀ: ପୁରୁଷଙ୍କ ପରେ ଭାରତୀୟ ମହିଳା ଦଳ ମଧ୍ୟ ଚଳିତ ଅଲିମ୍ପିକ୍‌ ଟେଷ୍ଟ୍‌ ଇଭେଣ୍ଟ ହକି ପ୍ରତିଯୋଗିତାର ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଛି। ମଙ୍ଗଳବାର ତୃତୀୟ ତଥା ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଚୀନ୍‌ ସହ ପଏଣ୍ଟ ବାଣ୍ଟି ଭାରତ ତାଲିକାର ଶୀର୍ଷ ସ୍ଥାନ ସହ ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଛି। ନିଜର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଜାପାନକୁ ୨-୧ ଗୋଲ୍‌ରେ ପରାସ୍ତ କରିବା ପରେ ବିଶ୍ବ ମାନ୍ୟତାର ଦଶମ ଭାରତ ଦ୍ବିତୀୟ ମ୍ୟାଚ୍‌କୁ ଶକ୍ତିଶାଳୀ ତଥା ବିଶ୍ବ ମାନ୍ୟତାର ଦ୍ବିତୀୟ ଅଷ୍ଟ୍ରେଲିଆ ସହ ୨-୨ରେ ଅମୀମାଂସିତ ରଖିଥିଲା। ଏହାପରେ ମଙ୍ଗଳବାର ବିଶ୍ବ ମାନ୍ୟତାର ଏକାଦଶ ଚୀନ୍‌ ସହ ମ୍ୟାଚ୍‌କୁ ଗୋଲ୍‌ ଶୂନ୍ୟ ଭାବେ ଅମୀମାଂସିତ ରଖିଥିଲା। ବିଶେଷକରି ଗୋଲ୍‌ରକ୍ଷିକା ସବିତା ପ୍ରତିପକ୍ଷର ଆକ୍ରମଣକୁ ପଣ୍ଡ କରି ଭାରତକୁ ପରାଜୟରୁ ରକ୍ଷା କରିଥିଲେ। ଫଳରେ ଅପରାଜେୟ ଭାରତ ସର୍ବାଧିକ ୫ ପଏଣ୍ଟ ସହ ତାଲିକାର ଶୀର୍ଷ ସ୍ଥାନରେ ରହିଥିଲା। ବୁଧବାର ଫାଇନାଲ୍‌ରେ ଭାରତର ମୁକାବିଲା ଆୟୋଜକ ତଥା ବିଶ୍ବ ମାନ୍ୟତାର ଚତୁର୍ଦଶ ଜାପାନ ସହ ହେବ। ଲିଗ୍‌ ପର୍ଯ୍ୟାୟରେ ଜାପାନ ୧-୨ ଗୋଲ୍‌ରେ ଭାରତଠୁ ହାରିଯାଇଥିଲା ବେଳେ ଚୀନ୍‌କୁ ୨-୧ରେ ହରାଇଥିଲା। ତେଣୁ ଲିଗ୍‌ ପର୍ଯ୍ୟାୟର ସଫଳତା ଦୋହରାଇ ଫାଇନାଲ୍‌‌ରେ ବି ଜାପାନକୁ ପରାସ୍ତ କରି ଟ୍ରଫି କରାୟତ କରିବା ଲକ୍ଷ୍ୟରେ ରହିଛି ଭାରତ।

ସମ୍ବନ୍ଧିତ ଖବର