ଜାପାନ ଅଲିମ୍ପିକ୍‌ ସମିତି ଉପମୁଖ୍ୟ କରୋନା ଆକ୍ରାନ୍ତ, ଅଲିମ୍ପିକ୍ସ ପାଇଁ ଏବେଠୁ କଠୋର ନିଷ୍ପତ୍ତି ନେଇ ହେବନି

ଟୋକିଓ: ଟୋକିଓ ଅଲିମ୍ପିକ୍‌ ଲାଗି ଏବେଠୁ କୌଣସି କୋଠର ନିଷ୍ପତ୍ତି ନେଇ ହେବନି ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି (ଆଇଓସି) ମଙ୍ଗଳବାର କହିଛି। କରୋନା ପାଇଁ ଅଲିମ୍ପିକ୍ସ ପ୍ରଭାବିତ ହେବାର ସମ୍ଭାବନାକୁ ନେଇ ମଙ୍ଗଳବାର ଆଇଓସି ଅଧିକାରୀମାନେ ଟେଲିକନଫରେନ୍‌ସିଂ ଜରିଆରେ ଆଲୋଚନା କରିଥିଲେ। ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଅଲିମ୍ପିକ୍ସ ଆୟୋଜନ ହେବ। ଆହୁରି ୪ ମାସ ଥିବାରୁ ଏବେଠାରୁ କୌଣସି ନିଷ୍ପତ୍ତି ନେଇ ହେବନାହିଁ। ଖେଳାଳିମାନେ ଏଥିଲାଗି ନିଜ ନିଜର ଅଭ୍ୟାସ ଜାରି ରଖନ୍ତୁ ବୋଲି ଆଇଓସି ପକ୍ଷରୁ କୁହାଯାଇଛି। ମୋଟ ୧୧୦୦୦ ଖେଳାଳି ଅଲିମ୍ପିକ୍ସରେ ଭାଗନେବାକୁ ଥିଲା ବେଳେ ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୫୭ ପ୍ରତିଶତ ଯୋଗ୍ୟତା ଅର୍ଜନ କରି ସାରିଲେଣି। ଆଉ ୪୩ ପ୍ରତିଶତ ଲାଗି ଆଇଓସି ଓ ଅନ୍ତର୍ଜାତୀୟ ମହାସଂଘ କାମ କରୁଛନ୍ତି। ଏହି ସ୍ଥାନ ଲାଗି ମାନ୍ୟତା ଓ ପୂର୍ବ ପ୍ରଦର୍ଶନକୁ ନେଇ ବିଚାର କରାଯିବ ବୋଲି ଆଇଓସି ପକ୍ଷରୁ ସୂଚନା ଦିଆଯାଇଛି।

ଜାପାନ ଅଲିମ୍ପିକ୍ସ ସମିତିର ଉପମୁଖ୍ୟ କୋଜୋ ତସିମା କରୋନା ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଥିବା ନିଜେ କୋଜୋ ମଙ୍ଗଳବାର କହିଛନ୍ତି। ନୂଆ କରୋନା ଭୂତାଣୁକୁ ନେଇ ଆଜି ମୋର ପରୀକ୍ଷା ରିପୋର୍ଟ ପଜିଟିଭ୍‌ ରହିଛି ବୋଲି ଜାପାନ ଫୁଟ୍‌ବଲ୍‌ ସଂଘ ପକ୍ଷରୁ ପ୍ରକାଶିତ ଏକ ଇସ୍ତାହାରରେ କୋଜୋ କହିଛନ୍ତି। କୋଜୋ ମଧ୍ୟ ଜାପାନ ଫୁଟ୍‌ବଲ୍‌ ସଂଘର ମୁଖ୍ୟ ରହିଛନ୍ତି। କୋଜୋଙ୍କ କହିବା କଥା ହେଲା, ସେ ଫେବ୍ରୁଆରି ୨୮ ତାରିଖରୁ ବ୍ୟାବସାୟିକ କାର୍ଯ୍ୟରେ ବିଦେଶ ଗସ୍ତରେ ଥିଲେ। ପ୍ରଥମେ ସେ ଆନ୍ତର୍ଜାତିକ ଫୁଟ୍‌ବଲ୍‌ ସଂଘ ବୋର୍ଡର ବାର୍ଷିକ ସାଧାରଣ ବୈଠକରେ ଯୋଗଦେବା ପାଇଁ ବେଲ୍‌ଫାଷ୍ଟ ଯାଇଥିଲେ। ସେଠାରୁ ମାର୍ଚ୍ଚ ୨ରେ ୟୁଇଏଫ୍‌ଏ ବୈଠକରେ ଯୋଗଦେବା ପାଇଁ ଆମ୍‌ଷ୍ଟରଡାମ୍‌ ଯାତ୍ରା କରିଥିଲେ। ଆମ୍‌ଷ୍ଟରଡାମ୍‌ରୁ ଆମେରିକା ଯାଇଥିବାରୁ ସେଠାରେ ହୁଏତ ଏହି ଭୂତାଣୁ ସଂକ୍ରମିତ ହୋଇଥାଇପାରେ।

ସମ୍ବନ୍ଧିତ ଖବର