ଅଲିମ୍ପିକ୍ସ ନିର୍ଧାରିତ ସମୟରେ ହେବ: ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ: କରୋନା ସଂକ୍ରମଣ ଓ ଭୟାବହତା ଦିନକୁ ଦିନ ବଢ଼ି ଚାଲିଥିଲା ବେଳେ ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ହେବାକୁ ଥିବା ବିଶ୍ବର ସର୍ବବୃହତ୍ କ୍ରୀଡ଼ା ମହୋତ୍ସବ ‘ଅଲିମ୍ପିକ୍ସ’ ବାତିଲ କିମ୍ବା ସ୍ଥଗିତ ହେବାର ଆଶଙ୍କା ଘନେଇବାରେ ଲାଗିଛି। ଆୟୋଜକ ଦେଶ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କିନ୍ତୁ ପୂର୍ବ ଘୋଷିତ ସୂଚୀ ଅନୁଯାୟୀ ଅଲିମ୍ପିକ୍ସ ଆୟୋଜିତ ହେବ ବୋଲି ପୁଣି ଥରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। କରୋନା ଆତଙ୍କ ପାଇଁ ପୂର୍ବରୁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅଲିମ୍ପିକ୍ସକୁ ବର୍ଷକ ପାଇଁ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଥିଲେ। ହେଲେ ଆବେ ତାଙ୍କ ସହ ଏକମତ ହୋଇ ନାହାନ୍ତି। ସେ କହିଛନ୍ତି ଯେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ (ଆଇଓସି) ଓ ଅନ୍ୟାନ୍ୟା ଅଧିକାରୀଙ୍କ ସହ ବିଚାର ବିମର୍ଶ ପରେ ଆମେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ। ଏହି ନୀତିରେ ଏବେ କୌଣସି ଅଦଳ ବଦଳ କରାଯାଇନାହିଁ। ଆମେ ପୂର୍ବ ଯୋଜନା ଅନୁସାରେ ଏବଂ ବିନା ଅସୁବିଧାରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଚାହୁଁ। ତେବେ ଜାପାନ ଓ ଆମେରିକା ଏହି ଦିଗରେ ଏକାଠି କାର୍ଯ୍ୟ କରିବେ। ଏଥିନେଇ ମୋର ଟ୍ରମ୍ପଙ୍କ ସହ ଟେଲିଫୋନରେ ଆଲୋଚନା ହୋଇଛି ବୋଲି ଆବେ କହିଛନ୍ତି।

ସମ୍ବନ୍ଧିତ ଖବର