ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ଲାଗି ଭାରତୀୟ ଦଳ ଚୟନ ବେଳେ କିଛି ନମନୀୟତା ଅବଲମ୍ବନ ଲାଗି ଭାରତୀୟ ଅଲିମ୍ପିକ୍ ସଂଘକୁ କ୍ରୀଡ଼ା ମନ୍ତ୍ରଣାଳୟ ଦେଇଥିବା ସୁପାରିସକୁ ସଂଘ ଗମ୍ଭୀରତାର ସହ ନେଇଛି। କିନ୍ତୁ ଏ ସମ୍ପର୍କରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ଶୁକ୍ରବାର ଏହାର ଆଭ୍ୟନ୍ତରୀଣ ଓ ଆଇନଗତ ସମିତିର ଏକ ବୈଠକ ଡାକିଛି। ଖେଳ ଓ ଖେଳାଳିଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରୁ ରଖି ଚୟନ ବ୍ୟବସ୍ଥାରେ କୋହଳ କରିବାକୁ ମନ୍ତ୍ରଣାଳୟ ବୁଧବାର ନିବେଦନ କରିଥିଲା। ପଦକ ସମ୍ଭାବନା ରଖିବା ସତ୍ତ୍ୱେ ବଞ୍ଚିତ ହେଉଥିବା ଖେଳାଳିଙ୍କ କଥା ବିଚାର କରିବାକୁ ମନ୍ତ୍ରଣାଳୟ କହିଥିଲା। ବିଗତ ୬ ମାସ ମଧ୍ୟରେ ଯଦି ଜଣେ ଖେଳାଳି ଭଲ ପ୍ରଦର୍ଶନ କରି ଆସିଛି, କିନ୍ତୁ ପର୍ଯ୍ୟାପ୍ତ ସୁଯୋଗ ଅଭାବରୁ ବଞ୍ଚିତ ହେଉଛି ତାହା ବିଚାର କରିବା କଥା। ବିଶେଷ କରି ସମ୍ପୃକ୍ତ ଖେଳାଳି ଯଦି ଶୀର୍ଷ ୪ ଭିତରେ ରହିବା ସମ୍ଭାବନା ରଖିଥିବ ତା ପାଇଁ କୋହଳ ଚୟନ ପ୍ରକ୍ରିୟା ଅବଲମ୍ବନ କରିବାକୁ ମନ୍ତ୍ରଣାଳୟ କହିଛି। ଏହି ଆଦେଶନାମା ପରେ ଆଇଓଏ ଦ୍ୱନ୍ଦ୍ୱରେ ପଡ଼ିଯାଇଛି। କ୍ରୀଡ଼ା ମନ୍ତ୍ରଣାଳୟ ସହ ଶୁକ୍ରବାର ବସି ଆଲୋଚନା କରିବାକୁ ପ୍ରସ୍ତୁତ ହୋଇଛି। ଏ ପ୍ରସ୍ତାବ ସମ୍ପର୍କରେ କି ନିଷ୍ପତ୍ତି ନିଆଯାଇପାରିବ ଆମେ ଶୁକ୍ରବାର ଆଲୋଚନା କରିବୁ ବୋଲି କହିଛନ୍ତି ଆଇଓଏ ମହାସଚିବ ରାଜୀବ ମେହେଟା। ବୈଠକରେ ସଭାପତି ନରିନ୍ଦର ଧୃବ ବାତ୍ରା ଏବଂ ପ୍ରସ୍ତୁତି ପ୍ୟାନେଲ୍ ଅଧ୍ୟକ୍ଷ ଲଳିତ ଭାନୋଟ ଉପସ୍ଥିତ ରହିବେ। ଧାର୍ଯ୍ୟ ଜୁନ୍ ୩୦ ତାରିଖ ମଧ୍ୟରେ ଭାରତୀୟ ଖେଳାଳିଙ୍କ ନାମ ପଠାସରିଛି। ପରେ ଅଧିକ ଖେଳାଳି ପଠାଗଲେ ଏସୀୟ କ୍ରୀଡ଼ା ଆୟୋଜକ ଏହାକୁ ଗ୍ରହଣ କରିବା ନେଇ ରାଜି ହୋଇନପାରନ୍ତି ବୋଲି ଆଇଓଏ ଅଧିକାରୀ ଆଶଙ୍କା କରୁଛନ୍ତି। ବହୁ ବିଳମ୍ଭ ହୋଇଯାଇଛି ବୋଲି ମେହେଟା ପ୍ରକାଶ କରିଛନ୍ତି। କିନ୍ତୁ ମନ୍ତ୍ରଣାଳୟର ସୁପାରିସ ନେଇ କ’ଣ କରାଯିବ ବିଚାର କରି ଦେଖିବୁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ଆଇଓଏ ୫୨୪ ଜଣିଆ ଭାରତୀୟ ଦଳ ଘୋଷଣା କରିଥିଲା। ନିମ୍ନ ମାନ୍ୟତା ପାଇଁ ଫୁଟ୍ବଲ୍ ଏବଂ ତ୍ରୁଟିପୂର୍ଣ୍ଣ ସୂଚନା ପ୍ରଦାନ ଲାଗି ୪ ଜଣିଆ ଟ୍ରାଏଥଲନ୍ ଦଳକୁ ବାଦ୍ ଦିଆଯାଇଥିଲା। ସେହିଭଳି ଆଲ୍ଲାହାବାଦ ହାଇକୋର୍ଟଙ୍କ ନିର୍ଦେଶ ପରେ ପୁରୁଷ ହ୍ୟାଣ୍ଡବଲ୍ ଦଳ ବଦଳରେ ୨୦ ଜଣିଆ ପେନସାକ୍ ସିଲଟ୍ ଦଳକୁ ବାଦ୍ ଦେବାକୁ ପଡ଼ିଥିଲା।
କ୍ରୀଡ଼ା ମନ୍ତ୍ରଣାଳୟ ପ୍ରସ୍ତାବ ପରେ ଅଲିମ୍ପିକ୍ ବୈଠକ
ଏସୀୟ କ୍ରୀଡ଼ା ଚୟନ ପଦ୍ଧତି
/sambad/media/post_attachments/wp-content/uploads/2018/07/Logo-Icon-Maskot-Asian-Games-2018-Palembang-Jakarta-Indonesia-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)