ବିଶ୍ବରେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ହେଉଛି ସର୍ବୋଚ୍ଚ ମାନ୍ୟତାର ଖେଳ ପ୍ରତିଯୋଗିତା ଯେଉଁଠି ହୋଇଥାଏ ବିବିଧ ଖେଳର ସମାହାର। ଖେଳ ଦୁନିଆର ମହାକୁମ୍ଭ କୁହାଯାଉଥିବା ଏହି ମଞ୍ଚରେ ପହଞ୍ଚିବା ପ୍ରତି ଖେଳାଳି ପାଇଁ ବଡ଼ ସ୍ବପ୍ନ ପାଲଟିଥାଏ। ପହଞ୍ଚିବା ପରେ ସଫଳତା ଦ୍ବିତୀୟ ପ୍ରାଧାନ୍ୟର ସ୍ଥାନ ନିଏ। ଅଲିମ୍ପିକ୍ସ ମଇଦାନରେ ପାଦ ଥାପୁଥିବା ପ୍ରତିଟି ଖେଳାଳି ନିଜ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବର ଗୋଟିଏ ଗୋଟିଏ ଅଧ୍ୟାୟ ଯୋଡ଼ିଥାଏ। ପ୍ରତି ୪ ବର୍ଷରେ ଆୟୋଜିତ ହେଉଥିବା ଏହି ସର୍ବଶ୍ରେଷ୍ଠ ଖେଳ ମହୋତ୍ସବର ରହିଛି ୧୨୮ ବର୍ଷର ଇତିହାସ। ଭୌଗୋଳିକ ସୀମା ସରହଦ ତଥା ଜନସଂଖ୍ୟା ଦୃଷ୍ଟିରୁ ଭାରତର ସଫଳତା ସୀମିତ ରହିଛି, ନିମ୍ନଗାମୀ ହୋଇଛି। ତଦନୁଯାୟୀ ଓଡ଼ିଶାର ଉପସ୍ଥିତି ଓ ଓଡ଼ିଆଙ୍କ ଅଂଶଗ୍ରହଣ ବି ଅତ୍ୟନ୍ତ ନଗଣ୍ୟ। ୧୨୮ ବର୍ଷରେ ମାତ୍ର ୧୬ ଜଣ ପହଞ୍ଚିପାରିଛନ୍ତି ଏହି ସ୍ତରରେ।
୧୮୯୬ରେ ଗ୍ରିସ୍ର ଅଲିମ୍ପିଆରୁ ପ୍ରାଚୀନ ଅଲିମ୍ପିକ୍ସର ସୃଷ୍ଟି ହୋଇଥିବାବେଳେ ଏହାର ଠିକ୍ ୧୦୦ ବର୍ଷ ପରେ ଓଡ଼ିଶାର ପ୍ରତିନିଧିତ୍ବ ମିଳିଥିଲା। ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସରେ ଦିଲୀପ ତିର୍କି ଭାରତୀୟ ହକି ଦଳରେ ଖେଳିବା ପରେ ଏହି ଶତକୀୟ ସ୍ବପ୍ନ ସାକାର ହୋଇଥିଲା। ପରବର୍ତ୍ତୀ ସମୟରେ ଦିଲୀପ ୨୦୦୦ ସିଡ୍ନି ଏବଂ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ମଧ୍ୟ ଖେଳିଥିଲେ। ଯାହାକି ଏ ପର୍ଯ୍ୟନ୍ତ କୌଣସି ଓଡ଼ିଆଙ୍କ ଭାଗ୍ୟ (୩ ଥର ପ୍ରତିନିଧିତ୍ବ)ରେ ଜୁଟି ପାରିନାହିଁ। ସିଡ୍ନି ଅଲିମ୍ପିକ୍ସରେ ଦିଲୀପଙ୍କ ସହ ଲାଜରୁସ୍ ବାର୍ଲା ମଧ୍ୟ ଭାରତୀୟ ହକି ଦଳରେ ସାମିଲ ଥିଲେ। ସେହି ସିଡ୍ନି ସଂସ୍କରଣରେ ଭାରତୀୟ ଦୌଡ଼କୁଦ ରିଲେ ଦଳରେ ସାମିଲ ହୋଇ ଅନୁରାଧା ବିଶ୍ବାଳ ଓ ରଚିତା ପଣ୍ଡା ମିସ୍ତ୍ରୀ ଓଡ଼ିଶାର ମହିଳା ପ୍ରତିନିଧିତ୍ବ ଧାରା ଆରମ୍ଭ କରିଥିଲେ। ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ଦିଲୀପଙ୍କ ସହ ଅନ୍ୟ ଦୁଇ ହକି ଖେଳାଳି ଇଗ୍ନେସ ତିର୍କି ଓ ୱିଲିୟମ୍ ଖାଲକୋ ମଧ୍ୟ ସାମିଲ ଥିଲେ। ୨୦୦୮ ବେଜିଂ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ଯୋଗ୍ୟତା ଅର୍ଜନ କରିପାରି ନଥିବାରୁ ଓଡ଼ିଶାର ପ୍ରତିନିଧିତ୍ବ ଶୂନ ହୋଇଯାଇଥିଲା। ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା କେ ରବି କୁମାର ଭାରୋତ୍ତୋଳନରେ ଅଂଶଗ୍ରହଣ କରି ଓଡ଼ିଶା ପାଇଁ ଆଉ ଏକ ଫର୍ଦ୍ଦ ଯୋଡ଼ିଥିଲେ। ଲଣ୍ଡନ୍ରେ ଭାରତୀୟ ହକି ଦଳରେ ଇଗ୍ନେସ ତିର୍କି ଓ ବୀରେନ୍ଦ୍ର ଲାକ୍ରା ଖେଳିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସ କିନ୍ତୁ ଓଡ଼ିଶା ପାଇଁ ଅଧିକ ସ୍ମରଣୀୟ ହୋଇଥିଲା। ଏକକାଳୀନ ୬ ଜଣ ଓଡ଼ିଆଙ୍କ ପ୍ରତିନିଧିତ୍ବ ରାଜ୍ୟ ଖେଳକୁ ନୂଆ ଦିଶା ପ୍ରଦାନ କରିଥିଲା। ଭାରତୀୟ ମହିଳା ହକି ଦଳରୁ ଦୀପଗ୍ରେସ୍ ଏକ୍କା, ନମିତା ଟୋପ୍ପୋ, ସୁନୀତା ଲାକ୍ରା, ଲିଲିମା ମିଞ୍ଜ୍ ଅଲିମ୍ପିକ୍ସ ପଦାର୍ପଣର ସୌଭାଗ୍ୟ ପାଇଥିଲେ। ସେହିଭଳି ଆଥଲେଟିକ୍ସ ପାଇଁ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କ ଅଂଶଗ୍ରହଣ ହୃତଗୌରବକୁ ଫେରାଇ ଆଣିଥିଲା। କୋଭିଡ୍ ପାଇଁ ୨୦୨୦ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ସ୍ଥଗିତ ପରେ ୨୦୨୧ରେ ଖେଳାଯାଇଥିଲା।
ଭାରତୀୟ ହକି ଦଳ ୪୧ ବର୍ଷ ପରେ ହକି ଗୌରବକୁ ଫେରି କାଂସ୍ୟ ପଦକ ଜିତିଥିଲା। ଭାରତୀୟ ଦଳରେ ସାମିଲ ଥିବାରୁ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ କିନ୍ତୁ ପଦକ ଜିତିବାର ପ୍ରଥମ ଦୁଇ ଓଡ଼ିଆ ହୋଇପାରିଥିଲେ। ଟୋକିଓରେ ଭାରତୀୟ ମହିଳା ହକି ଦଳରେ ଦୀପଗ୍ରେସ୍ ଏକ୍କା ଓ ନମିତା ଟୋପ୍ପୋ ଖେଳିଥିଲେ ନିଜ ନିଜ ଦ୍ବିତୀୟ ଅଲିମ୍ପିକ୍ସ। ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ଦୂତି ଚାନ୍ଦ ମଧ୍ୟ ଟୋକିଓରେ କ୍ରମାଗତ ଅଲିମ୍ପିକ୍ସରେ ଖେଳିଥିଲେ। ପ୍ୟାରିସ୍ ୨୦୨୪ରେ କିନ୍ତୁ ଓଡ଼ିଶାର ଅଂଶଗ୍ରହଣ ୨ରେ ସୀମିତ ରହିଯାଇଥିଲା। ଜାଭଲିନ୍ରେ କିଶୋର ଜେନା ଅଲିମ୍ପିକ୍ସ ପଦାର୍ପଣ କରି ଅଭିଜ୍ଞତା ସାଉଁଟିଛନ୍ତି। ଅମିତ ରୋହିଦାସ କିନ୍ତୁ କ୍ରମାଗତ ଦୁଇଟି ସଂସ୍କରଣରେ କାଂସ୍ୟ ପଦକ ଜିତି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ଏ କ୍ଷେତ୍ରରେ ସେ ପ୍ରଥମ ଓଡ଼ିଆ ହୋଇଛନ୍ତି।
ସହଜ ନୁହେଁ ୨୦୩୬ ସ୍ବପ୍ନ
ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିର ବିଶ୍ବସ୍ତରୀୟ ବିକାଶ ସହ ଭୁବନେଶ୍ବରରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା କିମ୍ବା ଏସୀୟ କ୍ରୀଡ଼ା ଭଳି ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନର ସ୍ବପ୍ନ ଅତୀତରେ କ୍ରୀଡ଼ା ବିଭାଗ ଦେଖାଇଥିଲା। କଳିଙ୍ଗ ଷ୍ଟାଡିୟମ୍ରେ ଏସିଆନ୍ ଆଥଲେଟିକ୍ସ ପ୍ରତିଯୋଗିତାର ସଫଳ ଆୟୋଜନକୁ ଏହାର ପ୍ରେରଣା ଓ ଉଦାହରଣ ଭାବେ ଦର୍ଶାଇଥିଲେ। ଏବେ ୨୦୩୬ ସୁଦ୍ଧା ବିଶ୍ବ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାର ଲକ୍ଷ୍ୟ ନୂଆ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଧାର୍ଯ୍ୟ କରିଛନ୍ତି। ୨୦୩୬ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେବର୍ଷ ପୂର୍ତ୍ତି ହେଉଥିବାରୁ ଏହା ଏକ ଉତ୍ସାହବର୍ଦ୍ଧକ ଲକ୍ଷ୍ୟ ବୋଲି କୁହାଯାଇପାରେ। ତେବେ ଏହି ସ୍ବପ୍ନ ସାକାର ହେବାର ପଥ ସେତେଟା ସହଜ ନୁହେଁ। ଏଥିଲାଗି ଏବେଠାରୁ ଖସଡ଼ା ପ୍ରସ୍ତୁତ କରି ତଦନୁଯାୟୀ ଭିତ୍ତିଭୂମି ସହ ତୃଣମୂଳସ୍ତରରୁ ଖେଳାଳି ସୃଷ୍ଟି ଉପରେ ଅଧିକ ଧ୍ୟାନ ଦେବା ଜରୁରି ବୋଲି କ୍ରୀଡ଼ା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ବିଶ୍ବସ୍ତରୀୟ ଭିତ୍ତିଭୂମି ସହ ବିଶ୍ବସ୍ତରୀୟ ପ୍ରଶିକ୍ଷଣ, ପ୍ରତି ପିଲାଙ୍କ ମନରେ ଖେଳ ଭାବନା ସୃଷ୍ଟି କରିବା, ସବୁ ପିଲାଙ୍କୁ କ୍ରୀଡ଼ା ଭିତ୍ତିଭୁମିର ସମାନ ଉପଯୋଗ ସୁଯୋଗ, ଏକ ସୁସ୍ଥ କ୍ରୀଡ଼ା ଜୈବମଣ୍ଡଳ ସୃଷ୍ଟି, କ୍ରୀଡ଼ାକୁ ପେସା ଭାବେ ଗ୍ରହଣ କରିବାର ବିକଳ୍ପ ପ୍ରଦାନ ଓ ପ୍ରୋତ୍ସାହନ, କ୍ରୀଡ଼ାବିତ୍ଙ୍କ ଉତ୍କର୍ଷତା ଲାଗି ପରିବେଶ ଗଠନ ଆଦି କ୍ଷେତ୍ରରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସେମାନେ ରାଜ୍ୟର ନୂଆ ସରକାରଙ୍କୁ ଆହ୍ବାନ କରିଛନ୍ତି। ଏସବୁ ଦିଗରେ ନିରନ୍ତର ପ୍ରୟାସ ଜାରି ରହିଲେ, ୨୦୩୬ ବେଳକୁ ଓଡ଼ିଶା ଅଲିମ୍ପିକ୍ସ କ୍ରୀଡ଼ାରେ ଉତ୍କର୍ଷତା ଲାଭ କରି ପାରିବ ବୋଲି ସେମାନେ ଆଶା ପୋଷଣ କରିଛନ୍ତି। ପୂର୍ବତନ କ୍ରୀଡ଼ା ସଚିବ ଆର. ଭିନୀଲ କ୍ରିଷ୍ଣା ମଧ୍ୟ ଓଡ଼ିଶା ୨୦୩୬ ବେଳକୁ ଅଲିମ୍ପିକ୍ସରେ ଅଧିକ ପଦକ ଜିତି ପାରିବ ବୋଲି ଏକଦା ମତ ପ୍ରକାଶ କରିଥିଲେ।
ଖେଳିବାକୁ ପଡ଼ିଆ ନାହିଁ, ଭିତ୍ତିଭୂମି କାହାପାଇଁ ?
ଓଡ଼ିଶାରୁ ଅଲିମ୍ପିଆନ୍ ସୃଷ୍ଟି ନହେବା ପଛରେ ରହିଛି ଅନେକ ‘ନାହିଁ’। ସହରୀକରଣ ଚାପରେ ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ଖେଳ ପଡ଼ିଆ ସଙ୍କୁଚିତ ହେବାରେ ଲାଗିଛି। ରାଜ୍ୟରେ କ୍ରୀଡ଼ା ଛାତ୍ରାବାସଗୁଡ଼ିକୁ ଗୌଣ କରି ଦିଆଯାଉଛି। ଭଲ ପ୍ରଶିକ୍ଷକ ସୃଷ୍ଟି ହେବାର ସେଭଳି କୌଣସି ନିର୍ଦ୍ଦିଷ୍ଟ ନୀତି ନିୟମ କିମ୍ବା ସାରଣୀ ନାହିଁ। ତୃଣମୂଳ ସ୍ତରରୁ ଖେଳାଳି ଚିହ୍ନଟର ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନାହିଁ। ଯଦିଓ ଅଛି, ଏହା ପ୍ରଭାବଶାଳୀ ହେଉନି। ସେହିଭଳି ସ୍କୁଲ୍ ସ୍ତରରେ ଖେଳକୁ ଆବଶ୍ୟକ ପ୍ରୋତ୍ସାହନ ମିଳୁନି। କ୍ରୀଡ଼ାକୁ ପାଠ୍ୟକ୍ରମରେ ସାମିଲ କରାଯିବା କଥା କେବଳ ଚର୍ଚ୍ଚାରେ ସୀମିତ ରହିଛି। ଏଥିନେଇ ଜ୍ଞାନ ରଞ୍ଜନ ବଳବନ୍ତରାୟ ନାମକ ଜଣେ ଅଭିଭାବକ କହିଛନ୍ତି, ମୁଁ ମାନୁଛି ବିଗତ ଦିନରେ ଆମର ଏହି ବିଶ୍ବସ୍ତରୀୟ ଭିତ୍ତିଭୂମି ତିଆରି ହୋଇଛି। କେବଳ ଭୁବନେଶ୍ବରରେ ୬ଟି ଫିଫା ମାନ୍ୟତା ଫୁଟବଲ୍ ପଡ଼ିଆ ସୃଷ୍ଟି କରାଯାଇଛି। ଇନ୍ଡୋର ଆଥଲେଟିକ୍ସ ଷ୍ଟାଡିୟମ୍, କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଆଦି ଗଢ଼ି ଉଠିଛି। କଳିଙ୍ଗ ଷ୍ଟାଡିୟମ୍ରେ କ୍ରୀଡ଼ାବିତ୍ଙ୍କ ପାଇଁ ବହୁତ ଭଲ ବ୍ୟବସ୍ଥା କରାଯାଇଛି। ହେଲେ ଏସବୁ ଭିତ୍ତିଭୂମି ହେଉଛି ପ୍ରତିଦ୍ବନ୍ଦ୍ବିତାମୂଳକ। ଅର୍ଥାତ୍ ଏଠାରେ କେବଳ ପେସାଦାର ଖେଳାଳି ଖେଳି ପାରୁଛନ୍ତି। ଅନ୍ୟପକ୍ଷରେ ଛୋଟ ଛୋଟ ପିଲାମାନେ ଖେଳିବା ଲାଗି ପଡ଼ିଆ ନାହିଁ। ଆଗ ସେମାନଙ୍କ ପାଇଁ ଭିତ୍ତିଭୂମି କରାଯାଇ, ତାପରେ ବିଶ୍ବସ୍ତରୀୟ ଭିତ୍ତିଭୂମି କରାଯାଇଥିଲେ ଲାଭ ମିଳିଥା’ନ୍ତା। କେତେ ଜଣ ଖେଳାଳିଙ୍କୁ କଳିଙ୍ଗ ଷ୍ଟାଡିୟମ୍ ଯାଇ ଖେଳିବାର ସୁଯୋଗ ମିଳୁଛି? ଏପରିକି ବ୍ଲକ୍ସ୍ତରରେ ସୃଷ୍ଟି କରାଯାଇଥିବା
ମିନି ଷ୍ଟାଡିୟମ୍ଗୁଡ଼ିକରେ କେତେ ଜଣ ସାଧାରଣ ପିଲାଙ୍କୁ ପ୍ରବେଶ ଅନୁମତି ମିଳୁଛି? ତାଛଡ଼ା ଆମ ସ୍କୁଲ୍ଗୁଡ଼ିକରେ ଖେଳ ସଂସ୍କୃତି ନାହିଁ। ଯେଉଁମାନେ ଖେଳୁଛନ୍ତି, ମାଟ୍ରିକ୍ ବେଳକୁ ଛାଡ଼ି ଦେଉଛନ୍ତି। କିଛି ଖେଳାଳି ଚାକିରି ପାଇଗଲେ ଖେଳ ଛାଡ଼ି ଦେଉଛନ୍ତି। ଭୁବନେଶ୍ବର ସହ ସାରା ରାଜ୍ୟରେ ସୃଷ୍ଟି କରାଯାଇଥିବା ବିଭିନ୍ନ ଖେଳର ଭିତ୍ତିଭୂମିକୁ ଜାତୀୟସ୍ତରରେ ପ୍ରତିଷ୍ଠିତ ଓଡ଼ିଶାର କ୍ରୀଡ଼ା ସାମ୍ବାଦିକ ଏନ୍.ଜଗନ୍ନାଥ ଦାସ ସମର୍ଥନ କରିଛନ୍ତି। ଏଥିନେଇ ଚାଲିଥିବା ବିତର୍କ ଉପରେ ଏକ ଫେସ୍ବୁକ୍ ପୋଷ୍ଟ କରି ସେ କହିଛନ୍ତି, ଏଭଳି ବିତର୍କର କୌଣସି ସୀମା ନାହିଁ। ହେଲେ ଆଧୁନିକ ଭିତ୍ତିଭୂମି ପାଇଁ ଭୁବନେଶ୍ବର ନିଶ୍ଚିତ ଭାବେ ଦେଶର ଅନ୍ୟତମ ସ୍ପୋର୍ଟସ ହବ୍ ପାଲଟିଛି। ଚାମ୍ପିଅନ୍ ରାତାରାତି ସୃଷ୍ଟି ହୁଅନ୍ତିନି। ଏହି ସବୁ ଭିତ୍ତିଭୂମି ଓଡ଼ିଶାରେ କ୍ରୀଡ଼ା ସଂସ୍କୃତି ସୃଷ୍ଟି ପାଇଁ ବଳିଷ୍ଠ ମଞ୍ଚ ହୋଇପାରିବେ। ଯୁବ ପ୍ରତିଭାଙ୍କୁ ଚିହ୍ନଟ କରିବା ପରେ ଆମକୁ ଧୈର୍ଯ୍ୟ ରଖିବାକୁ ହେବ। ସେମାନଙ୍କୁ ଚାମ୍ପିଅନ୍ ଖେଳାଳି ଭାବେ ସୃଷ୍ଟି କରିବା ଲାଗି ନିରନ୍ତର ପ୍ରୟାସ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ଦ୍ରୋଣାଚାର୍ଯ୍ୟ ବିଜୟିନୀ ହଂସା ଶର୍ମା ‘ସମ୍ବାଦ’କୁ ଏକ ସାକ୍ଷାତକାରରେ କହିଥିଲେ ଯେ ଭଲ ଖେଳାଳି ସୃଷ୍ଟି କରିବା ଲାଗି ଆମକୁ ଗଣଅଂଶଗ୍ରହଣର ଆବଶ୍ୟକତା ରହିଛି। ଯେତେବେଳେ କୌଣସି ପ୍ରତିଦ୍ବନ୍ଦ୍ବିତାର ସ୍ତର ବଢ଼ିବ, ସେତେବେଳେ ହିଁ ଭଲ ଖେଳାଳି ବାହାରିବେ। ୧୦ କିମ୍ବା ୨୦ ପରିବର୍ତ୍ତେ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ଖେଳରେ ଖେଳାଳିଙ୍କ ସଂଖ୍ୟା ଶହେ କିମ୍ବା ତା’ଠାରୁ ଅଧିକ ହେବ, ସେତେବେଳେ ନିଶ୍ଚିତ ବିଶ୍ବସ୍ତରୀୟ ଖେଳାଳି ସୃଷ୍ଟି ହେବେ। ଖାଲି ଭିତ୍ତିଭୂମି ଗଢ଼ିଲେ ଖେଳର କେବଳ ଗୋଟିଏ ଦିଗ ହିଁ ପୂରଣ ହେବ। ସବୁ ଦିଗ ନୁହେଁ।