ଅଲିମ୍ପିକ୍ସ ପ୍ରସ୍ତୁତି ପ୍ରଭାବିତ, ଗାଁରେ ରହି ସଚେତନତା ସୃଷ୍ଟି କରୁଛନ୍ତି ଜଉନା

ଭୁବନେଶ୍ବର: କରୋନା ପାଇଁ କ୍ରୀଡ଼ା ଜଗତ ଏକପ୍ରକାର ସ୍ଥାଣୁ ପାଲଟିଥିଲା ବେଳେ ଏହାର ପ୍ରଭାବ ଓଡ଼ିଶାର ଅନ୍ତର୍ଜାତୀୟ ଧାବିକା ଜଉନା ମୁର୍ମୁଙ୍କ ଉପରେ ମଧ୍ୟ ପଡ଼ିଛି। ଭଲ କଥା ହେଲା କରୋନା ଆତଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶରେ ୨୧ ଦିନିଆ ଗୃହାବଦ୍ଧ ଘୋଷଣା କରିବାର ୪ ଦିନ ପୂର୍ବରୁ ହିଁ ଜଉନା ଭୁବନେଶ୍ବରରୁ ମୟୂରଭଞ୍ଜ ଜିଲ୍ଲାର ତିରିଂସ୍ଥିତ ନିଜ ଗାଁ ସାନସିଆଜାଙ୍ଗକୁ ଚାଲି ଯାଇଥିଲେ। ବ୍ୟସ୍ତବହୁଳ ଖେଳ ଜୀବନ ପାଇଁ ମାତା ପିତା ଓ ପରିବାରଠାରୁ ଦୂରେଇ ରହିବାକୁ ବାଧ୍ୟ ହେଉଥିବା ଜଉନା ଦୀର୍ଘ ବ୍ୟବଧାନ ପରେ ଗ୍ରାମ୍ୟ ଜୀବନ ବଞ୍ଚିବାର ସୁଯୋଗ ପାଇଥିବାରୁ ଖୁସି ଅଛନ୍ତି। ହେଲେ କରୋନାର ବର୍ଦ୍ଧିତ କାୟା ଓ ଏଥିପାଇଁ ତାଙ୍କ ସହ ରାଜ୍ୟ ଓ ଦେଶର ଖେଳାଳିଙ୍କ ଅଭ୍ୟାସ ତଥା ପ୍ରଶିକ୍ଷଣ ବନ୍ଦ ରହିବା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଗାଁରେ ରହି କିନ୍ତୁ ୪୦୦ ମିଟର ଓ ୪୦୦ ମିଟର ବାଧାଦୌଡ଼ରେ ଅନେକ ଅନ୍ତର୍ଜାତୀୟ ପଦକ ଜିତିଥିବା ଜଉନା କରୋନାକୁ ନେଇ ସଚେତନତା ସୃଷ୍ଟି କରିବାକୁ ଭୁଲୁ ନାହାନ୍ତି। ପିତା ସୁରେନ୍ଦ୍ର ମୁର୍ମୁଙ୍କ ଛୋଟିଆ ତେଜରାତି ଦୋକାନକୁ ଆସୁଥିବା ଗ୍ରାହାକଙ୍କୁ ସାମାଜିକ ଦୂରତା ବାଜୟ ରଖିବାକୁ କହୁଛନ୍ତି। କରୋନା ପାଇଁ ସ୍ଥାନୀୟ ଅଞ୍ଚଳର ମୁଖିଆମାନେ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯାତାୟାତ କରିବା ଉପରେ ଅଙ୍କୁଶ ଜାରି କରିଥିବାରୁ ଏବଂ ସେଥିଲାଗି ତିରିଂରେ ଥିବା ଷ୍ଟାଡିୟମ ଯାଇ ଅଭ୍ୟାସ କରିବା ସମ୍ଭବ ହେଉ ନଥିବାରୁ ଜଉନା ନିଜ ଗାଁରେ ହିଁ ପ୍ରତିଦିନ ୫ରୁ ୧୦ କିଲୋମିଟର ସାଇକ୍ଲିଂ କରୁଛନ୍ତି। ଜଙ୍ଗଲିଆ ଅଞ୍ଚଳ ହୋଇଥିବାରୁ ବେଶି ଦୂର ଏକୁଟିଆ ଯିବା ମଧ୍ୟ ବିପଜ୍ଜନକ। ସେହିଭଳି ଖାଲି ପାଦରେ ଦୌଡ଼ିଲେ ଶରୀର ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ଘରେ ସିଟ୍ ଅପ୍ ଓ କଡ୍ ଭଳି ବ୍ୟାୟାମ କରୁଛନ୍ତି। ହେଲେ ଖାଦ୍ୟପେୟ ନେଇ କିଛିଟା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାରଣ ତାଙ୍କ ଗାଁର ଆଖ ପାଖରେ କୌଣସି ବଡ଼ ଦୋକାନ ନଥିବାରୁ ସୁଷମ ଖାଦ୍ୟ ଯୋଗାଡ଼ କରିବା ଜଉନାଙ୍କ ପାଇଁ ସମ୍ଭବ ହେଉନାହିଁ। ଖାଲି ସମୟରେ ସେ ନିଜ ପରିବାର ଚାଷ କରିଥିବା ବିଭିନ୍ନ ପ୍ରକାର ଶସ୍ୟ ଓ ପନିପରିବା ଅମଳରେ ମା’ କାପୁରା ମୁର୍ମୁଙ୍କୁ ସହାଯ୍ୟ କରୁଛନ୍ତି। ପାଞ୍ଚ ଭାଇ ଉଭଣୀ, ଭାଉଜ ଓ ବାପା ମା’ଙ୍କୁ ନେଇ ଗଠିତ ଜଉନାଙ୍କ ପରିବାର ଆଗରୁ କେବେ ବି ଏଭଳି ଆତଙ୍କ (କରୋନା) ବିଷୟରେ ଶୁଣି ନଥିବାରୁ କିମ୍ବା ଜାଣି ନଥିବାରୁ ଭୟ ଓ ଆଶଙ୍କାରେ ରହିଛନ୍ତି। ଓଡ଼ିଶା ସରକାର ଗୃହାବଦ୍ଧ ଅବଧିକୁ ବଢ଼ାଇବାକୁ କିନ୍ତୁ ସ୍ବାଗତ କରିଛନ୍ତି।

ଅଲିମ୍ପିକ୍ସ ପ୍ରସ୍ତୁତି ପ୍ରଭାବିତ
କରୋନା ପାଇଁ ଗତମାସ ୨୧ ତାରିଖରେ ଗାଁକୁ ଫେରିବା ପୂର୍ବରୁ ଜଉନା ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନରେ ଲାଗିଥିଲେ। ଏଥିପାଇଁ ସେ ରାଜ୍ୟର ଅନ୍ୟ ଦୁଇ ଅନ୍ତର୍ଜାତୀୟ ଧାବିକା ଦୂତି ଚାନ୍ଦ ଓ ପୂର୍ଣ୍ଣିମା ହେମ୍ବ୍ରମଙ୍କ ସହ ଭୁବନେଶ୍ବରରେ ରହି ଶିବ ପ୍ରଦାସ ମିଶ୍ରଙ୍କ ତତ୍ତ୍ବାବଧାନରେ ଅଭ୍ୟାସ ଚଲାଇଥିଲେ। ତେବେ ଏସବୁ ଏବେ ବନ୍ଦ ହୋଇଯାଇଛି। ଏଥିନେଇ ଜଉନା ‘ସମ୍ବାଦ’କୁ କହିଛନ୍ତି ଯେ କରୋନା ପାଇଁ ଲକ୍‌ଡାଉନ ହେବାର ଆଶଙ୍କା କରି ଆଗୁଆ ଗାଁକୁ ଚାଲି ଆସିଥିଲି। ଭୁବନେଶ୍ବରରେ ଥିଲା ବେଳେ ଦିଲ୍ଲୀରେ ହେବାକୁ ଥିବା ଇଣ୍ଡିଆନ୍ ଗାଁପ୍ରି ପାଇଁ ଆମେ ପ୍ରସ୍ତୁତ କରୁଥିଲୁ। ସେଠାରେ ଆମ ପାଇଁ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ଥିଲା। ମାତ୍ର ଏବେ ଏହା ବାତିଲ ହୋଇଯାଇଛି। ନିଜ ଅଲିମ୍ପିକ୍ସ ଯୋଗ୍ୟତା ସମ୍ଭାବନାକୁ ନେଇ ସେ କହିଛନ୍ତି ଯେ ଭାରତରେ ମୋ ପାଇଁ ଯୋଗ୍ୟତା ସୁଯୋଗ ଅଛି। ଏହା ନହେଲେ ବାହାରେ ଯାଇ ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରିବି। ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ହେବା ସବୁ ଖେଳାଳିଙ୍କ ପାଇଁ ଏକ ବଡ଼ ଧକ୍କା ବୋଲି ସେ ମତ ରଖିଛନ୍ତି। ବ୍ୟକ୍ତିଗତ ଭାବେ ସେ ଏଥିନେଇ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା ଜାହିର କରିଛନ୍ତି। ‘‘ଅଲିମ୍ପିକ୍ସ ଯୋଗ୍ୟତାକୁ ଆଖି ଆଗରେ ରଖି ଆମେ ଦୀର୍ଘ ୫ ମାସ ଧରି କଠୋର ଅଭ୍ୟାସ କରିଥିଲୁ। ବହୁତ ସମୟ ଦେଇଥିଲୁ। ଅର୍ଥ ବି ଖର୍ଚ କରିଥିଲୁ। ଏବେ ଏହା ଆସନ୍ତାବର୍ଷକୁ ଘୁଞ୍ଚି ଯିବା ପରେ, ଆମେ ଏବେ ପୁଣି ଆଶା ଓ ଆଶଙ୍କାରେ ରହିଛୁ। ପୁଣି ଥରେ ଅଭ୍ୟାସ ସାରଣୀ ପ୍ରସ୍ତୁତ କରିବାକୁ ହେବ, ଅଧିକ ଅର୍ଥର ବି ଆବଶ୍ୟକ ହେବ। ଏଣୁ ରାଜ୍ୟର ଆଗଧାଡ଼ିର ଆଥ୍‌ଲେଟ୍‌ଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରି ସେମାନଙ୍କ ପାଇଁ ବିଜ୍ଞାନ ସମ୍ମତ ଅଭ୍ୟାସ ବ୍ୟବସ୍ଥା କରିବାକୁ ମୁଁ ଓଡ଼ିଶା ସରକାରଙ୍କୁ ଆହ୍ବାନ କରୁଛି’’। ସୂଚନାଯୋଗ୍ୟ ଯେ ଜାତୀୟ ସ୍ତରରେ ପାଖାପାଖି ୫୦ରୁ ଅଧିକ ପଦକ ଜିତିଥିବା ଜଉନା ୨୦୧୬ ଦକ୍ଷିଣ ଏସୀୟ କ୍ରୀଡ଼ାରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୧୦ ଏସିଆନ୍ ଅଲ୍‌ଷ୍ଟାର ମିଟ୍‌ରେ କାଂସ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର