ଅଲିମ୍ପିକ ଯୋଗ୍ୟତା ଅର୍ଜନରେ ମହିଳା ଫୁଟ୍‌ବଲ୍‌ ଦଳ ବିଫଳ

ଶେଷ ମ୍ୟାଚ୍‌ରେ ଭ‌ାରତ ୩-ମିଆଁମାର ୩

ମାଣ୍ଡାଲୟ (ମିଆଁମାର): ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳ ଜାପାନର ଟୋକିଓରେ ହେବାକୁଥିବା ୨୦୨୦ ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନରୁ ବା‌ଦ୍‌ ପଡ଼ିଛି। ଏଏଫ୍‌ସି ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଦ୍ବିତୀୟ ରାଉଣ୍ଡ୍‌ର ପ୍ରଥମ ଦୁଇ ମ୍ୟାଚ୍‌ ଇଣ୍ଡୋନେସିଆ ଓ ନେପାଳକୁ ହରାଇଥିବା ଭାରତ ମଙ୍ଗଳବାର ଆୟୋଜକ ମିଆଁମାର ସହ ମ୍ୟାଚ୍‌ ଅମୀମାଂସିତ ରଖିଥିଲା। ଫଳରେ ଉଭୟ ଦଳ ୨ ବିଜୟ ଓ ଗୋଟିଏ ଅମୀମାଂସିତ ରଖି ଏହି ୪ ଦେଶୀୟ ପ୍ରତିଯୋଗିତାରେ ୭ ପଏଣ୍ଟ୍‌ ଲେଖାଏଁ ପାଇଥିଲେ। ତେବେ ଗୋଲ୍‌ ବ୍ୟବଧାନରେ ଭାରତ (+୪)କୁ ପଛରେ ପକାଇ ମିଆଁମାର (+୮) ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନ ଦଖଲ ସହ ତୃତୀୟ ପର୍ଯ୍ୟାୟ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିନେଇଥିଲା। ଅନ୍ୟପକ୍ଷରେ ଭାରତ ଦ୍ବିତୀୟ ସ୍ଥାନରେ ରହି ଅଲିମ୍ପିକ୍ସ ଅଭିଯାନ ଶେଷ କରିଥିଲା।
ମଙ୍ଗଳବାର ମାଣ୍ଡାଲାର ଥିରି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ନବମ ମିନିଟ୍‌ରେ ସାଧିୟା ରଙ୍ଗନାଥନ୍‌ ଗୋଲ୍‌ ଦେଇ ଭାରତକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ହେଲେ ମିଆଁମାରର ୱିନ୍‌ ଥେଇଙ୍ଗ୍‌ ତୁନ୍‌ (୧୭ ମିନିଟ୍‌) ଏହି ଗୋଲ୍‌ଟିକୁ ଶୁଝି ଦେଇଥିଲେ। ୨୧ ମିନିଟ୍‌ରେ ଆଉ ଏକ ଗୋଲ୍‌ ଦେଇ ତୁନ୍‌ ମିଆଁମାରକୁ ୨-୧ରେ ଅଗୁଆ କରିଥିଲେ। ୩୨ତମ ମିନିଟ୍‌ରେ ସଂଜୁ ଏହାକୁ ଶୁଝାଇ ସ୍ଥିତି ୨-୨ କରିଦେଇଥିଲେ। ରତ୍ନବାଳା ଦେବୀ (୬୪ ମିନିଟ୍‌)ଙ୍କ ଗୋଲ୍‌ରେ ଭାରତ ୩-୨ ଆଗୁଆ ହୋଇ ‌ହୋ‌ଇଥିଲା। ହେଲେ ୭୨ତମ ମିନିଟ୍‌ରେ ମିଆଁମାରର ତୁନ୍‌ ବ୍ୟକ୍ତିଗତ ଭାବେ ହ୍ୟାଟ୍ରିକ୍‌ ଅର୍ଜନ କରିବା ସହ ମ୍ୟାଚ୍‌ ସମାନସ୍ତରକୁ ଆଣି ଦେଇଥିଲେ। ଆଉ ‌ଗୋଲ୍‌ ନହେବାରୁ ମ୍ୟାଚ୍‌ ଅମୀମାଂସିତ ଭା‌ବେ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର