କଳିଙ୍ଗରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି: ଭାରତ ସାମ୍ନାରେ ରୁଷିଆ, ଆମେରିକା

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଦେଖିବାକୁ ମିଳିବ। ନଭେମ୍ବର ୧ ଓ ୨ ତାରିଖରେ ଏଠାରେ ଉଭୟ ଭାରତୀୟ ମହିଳା ଏବଂ ପୁରୁଷ ଦଳ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଲଢ଼େଇ କରିବେ। ଭାରତୀୟ ପୁରୁଷ ଦଳ ବିଶ୍ବ ମାନ୍ୟତାର ୨୨ତମ ସ୍ଥାନରେ ଥିବା ରୁଷିଆକୁ ଭେଟିବ। ନବମରେ ଥିବା ଭାରତୀୟ ମହିଳା ଦଳ ତ୍ରୟୋଦଶ ସ୍ଥାନ ଦଳ ଆମେରିକାର ମୁକାବିଲା କରିବ।

ସୋମବାର ଅପରାହ୍‌ଣରେ ୧୪ ଦଳକୁ ନେଇ ସ୍ବିଜରଲାଣ୍ଡର ଲୁସାନେଠାରେ ଅନୁଷ୍ଠିତ ଡ୍ର’ରେ ଏହା ସ୍ପଷ୍ଟ ହୋଇଛି। ଭାରତ ଆୟୋଜକ ଦେଶ ଭାବେ ଏହି ପ୍ରତିଯୋଗିତା ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳିବ। ଯୋଗ୍ୟତା ପର୍ଯ୍ୟାୟ ନିୟମ ଅନୁସାରେ ଭାରତ-ରୁଷିଆ ଓ ଭାରତ-ଆମେରିକା ଦୁଇ ଦିନରେ ଦୁଇଟି ମ୍ୟାଚ୍ ଖେଳିବେ। ଯିଏ ବିଜୟୀ ‌ହେବ, ସେ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ ହାସଲ କରିବ। ଯୋଗ୍ୟତା ପର୍ଯ୍ୟାୟ ଡ୍ର’ ତାଲିକାରେ ଭାରତ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଥିବାରୁ କଳିଙ୍ଗ ଷ୍ଟାଡିୟମରେ ଏମାନେ ପୁଣି ଥରେ ଭେଟାଭେଟି ହେବେ ବୋଲି ହକି ପ୍ରେମୀ ଆଶା ରଖିଥିଲେ। ହେଲେ ଡ୍ର’ ପରେ ପାକିସ୍ତାନ-ନେଦରଲାଣ୍ଡକୁ ଭେଟିବା ସ୍ପଷ୍ଟ ହୋଇଛି। ନେଦରଲାଣ୍ଡ ଆୟୋଜକ ଭାବେ ଏବଂ ପାକିସ୍ତାନ ଭ୍ରମଣକାରୀ ଦଳ ଭାବେ ନେଦରଲାଣ୍ଡରେ ଖେଳିବେ। ସୋମବାରର ଡ୍ର’ ରବିବାରର ଓସେନିଆ କପ୍ ଶେଷ ହେବା ପରେ କରାଯାଇଥିଲା। ବିଭିନ୍ନ ଦଳର ବିଶ୍ବ ମାନ୍ୟତାକୁ ହିସାବକୁ ନେଇ (କିଏ କାହାକୁ ଭେଟିବ) ଲକି ଡ୍ର’ କରାଯାଇଥିଲା। ଭୁବନେଶ୍ବରରେ ଭାରତ ଶେଷ ଥର ପାଇଁ ଏଫଆଇଏଚ୍ ସିରିଜ୍ ଫାଇନାଲ୍ସରେ ରୁଷିଆକୁ ଭେଟିଥିଲା। ଏଥିରେ ଭାରତ ୧୦-୦ ଗୋଲ୍‌ରେ ରୁଷିଆକୁ ହରାଇଥିଲା। ଅନ୍ୟପକ୍ଷରେ ରୁଷିଆ ଏହି ପ୍ରତିଯୋଗିତାରେ ୧୨-୧ରେ ଉଜବେକିସ୍ତାନ, ୩-୨ରେ ପୋଲାଣ୍ଡକୁ ହରାଇଥିଲା ବେଳେ ଦକ୍ଷିଣ ଆଫ୍ରିକାଠାରୁ ୧-୨ ଗୋଲ୍‌ରେ ପରାଜିତ ହୋଇଥିଲା। ଭାରତ (୫) ବିଶ୍ବ ମାନ୍ୟତାରେ ରୁଷିଆଠାରୁ ୧୭ ସ୍ଥାନ ଉପରେ ଥିବାରୁ ଟୋକିଓ ଅଲିମ୍ପିକ୍ସ ପାଇଁ ସହଜରେ ଯୋଗ୍ୟତା ଅର୍ଜନ କରିନେବାର ଯଥେଷ୍ଟ ସମ୍ଭାବନା ରହିଛି। ଅଧିନାୟକ ମନପ୍ରୀତ ସିଂହ ମଧ୍ୟ ଏହି ଆଶା ପୋଷଣ କରିଛନ୍ତି। ଡ୍ର’ ଘୋଷଣା ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଆମେ ରୁଷିଆକୁ ହଲ୍‌କା ଭାବେ ନେବୁ ନାହିଁ। ପ୍ରଶିକ୍ଷକ ଗ୍ରାହାମ ରିଡ୍ କୌଣସି ଦଳକୁ ହେୟଜ୍ଞାନ ନ କରିବାକୁ ପରାମର୍ଶ ଦେଇଛନ୍ତି। ଆମେ ତାଙ୍କ ପରାମର୍ଶ ଓ ମାର୍ଗଦର୍ଶନରେ ହିଁ ଖେଳିବୁ। ରୁଷିଆ ବିପର୍ଯ୍ୟୟ ସୃଷ୍ଟି କରିବାକୁ ପୂରା ସକ୍ଷମ। ଆମେ ସେମାନଙ୍କ ଦକ୍ଷତା ଓ ଦୁର୍ବଳତାକୁ ଦେଖି ରଣନୀତି ପ୍ରସ୍ତୁତ କରିବୁ।

ମହିଳାରେ ଭାରତ-ଆମେରିକା ଭେଟ
ପୁରୁଷ ଦଳ ସୌଭାଗ୍ୟ ବଶତଃ ଦୁର୍ବଳ ରୁଷିଆକୁ ଭେଟିବ। ଭାରତୀୟ ମହିଳା ହକି ଦଳ କିନ୍ତୁ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଅପେକ୍ଷାକୃତ ଶକ୍ତିଶାଳୀ ଆମେରିକାକୁ ଭେଟିବ। ତେବେ ନିକଟ ଅତୀତରେ ଭାରତୀୟ ମହିଳା ଦଳ ଭଲ କରିଥିବାରୁ ଭୁବନେଶ୍ବରରେ ଆମେରିକାକୁ ହରାଇବା ଆଶାରେ ରହିଛି। ‌ଶେଷ ଥର ପାଇଁ ଭାରତ ଓ ଆମେରିକା ଲଣ୍ଡନରେ ଆୟୋଜିତ ବିଶ୍ବକପ୍‌ରେ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌କୁ ଅମୀମାଂସିତ ରଖିବା ଲାଗି ଭାରତୀୟ ମହିଳା ଦଳକୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ଭାରତ ଅଧଘଣ୍ଟାଏ ପର୍ଯ୍ୟନ୍ତ ପଛୁଆ ରହିବା ପରେ ଅଧିନାୟିକା ରାଣୀ ରାମପାଲଙ୍କ ଗୋଲ୍ ବଳରେ ଆମେରିକାଠାରୁ ଗୋଟିଏ ପଏଣ୍ଟ୍‌ ଛାଡ଼ାଇ ଆଣିଥିଲା। ପ୍ରଶିକ୍ଷକ ଜୋରେଡ୍ ମାରିନ୍ କିନ୍ତୁ ଭାରତୀୟ ଖେଳାଳିଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି। ଗତ କିଛି ମାସ ହେବ ଦଳ ଭଲ ପ୍ରଦର୍ଶନ କରି ଆସୁଛି। ଖେଳାଳିମାନେ ଆତ୍ମବିଶ୍ବାସରେ ଭରି ରହିଛନ୍ତି। ଘରୋଇ ପରିବେଶରେ ଆମେ ଆମେରିକାକୁ ହରାଇ ପୁଣି ଥରେ ଅଲିମ୍ପିକ୍ସ ଖେଳିବୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଭାରତୀୟ ମହିଳା ହକି ଦଳ ବିଶ୍ବ ମାନ୍ୟତାର ନବମ ସ୍ଥାନରେ ଥିଲା ବେଳେ ଆମେରିକା ତ୍ରୟୋଦଶରେ ରହିଛି।

କଳିଙ୍ଗରେ ପୁଣି ହକି ମଜା
ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଅକ୍ଟୋବର ୨୬ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଭାରତୀୟ ପୁରୁଷ ଓ ମହିଳା ଦଳ ନଭେମ୍ବର ୧ରୁ ୨ ଭିତରେ ଯଥାକ୍ରମେ ରୁଷିଆ ଓ ଆମେରିକାକୁ ଦୁଇ ଥର ଲେଖାଏଁ ଭେଟିବେ। ଭାରତୀୟ ପୁରୁଷ ହକି ଦଳ ଆଉ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମରେ ଖେଳିବ। ହେଲେ କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସ ପ୍ରଥମ ଥର ପାଇଁ କୌଣସି ଅନ୍ତର୍ଜାତୀୟ ମହିଳା ହକି ପ୍ରତିଯୋଗିତାର ଆୟୋଜନ କରିବ। ଏହା ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ବିଶ୍ବକପ୍ ହକି ସହ ବହୁ ବିଶ୍ବସ୍ତରୀୟ ପ୍ରତିଯୋଗିତା ପୁରୁଷ ହକି ସିରିଜ୍ ଫାଇନାଲ୍ସ (୨୦୧୯), ଏଫଆଇଏଚ୍ ହକି ବିଶ୍ବ ଲିଗ୍ (୨୦୧୭), ହକି ଚାମ୍ପିଅନ୍ସ ଟ୍ରଫି (୨୦୧୪), ହକି ଇଣ୍ଡିଆ ଲିଗ୍ ଆୟୋଜିତ ହୋଇଛି। ହେଲେ କୌଣସି ବିଶ୍ବସ୍ତରୀୟ ମହିଳା ହକି ପ୍ରତିଯୋଗିତା ଆୟୋଜନ ହୋଇନାହିଁ। କଳିଙ୍ଗ ଷ୍ଟାଡିୟମର ନୀଳ ଟର୍ଫରେ ଭାରତୀୟ ମହିଳା ହକି ମଧ୍ୟ ପ୍ରଥମ ଥର ପାଇଁ ଖେଳିବ। ଏକ ଅନ୍ତର୍ଜାତୀୟ ମହିଳା ହକି ପ୍ରତିଯୋଗିତା ଦେଖିବା ସ୍ଥାନୀୟ ହକିପ୍ରେମୀଙ୍କ ପାଇଁ ମଧ୍ୟ ନୂଆ ଅଭିଜ୍ଞତା ହେବ।

ସିଧାସଳଖ ଯୋଗ୍ୟତା ହାସଲ କରିଥିବା ଦଳ:
ଅନ୍ତଃମହାଦେଶୀୟ ବିଜେତା ଭାବେ ପୁରୁଷରେ ଆର୍ଜେଣ୍ଟିନା‌, ଦକ୍ଷିଣ ଆଫ୍ରିକା, ବେଲଜିୟମ, ଅଷ୍ଟ୍ରେଲିଆ ଓ ଜାପାନ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଜାପାନ ଏସୀୟ କ୍ରୀଡ଼ା ବିଜେତା ଭାବେ ଅଲିମ୍ପିକ୍ସ ଟିକେଟ ପାଇଥିଲା। ଏହି ଦେଶ ମଧ୍ୟ ଟୋକିଓ ଅଲିମ୍ପିକ୍ସର ଆୟୋଜକ। ମହିଳାରେ ଆର୍ଜେଣ୍ଟିନା, ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ ଓ ଜାପାନ (ଆୟୋଜକ) ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର